ଜାତୀୟ

Manipur News: ମଣିପୁରରେ ୪ ନାଗା ଲୋକଙ୍କୁ ହତ୍ୟା, ଚଳିତ ବର୍ଷ ହିଂସାକାଣ୍ଡରେ ଗଲାଣି ୪୪ ଜୀବନ

ଇମ୍ପାଲ,୨୬/୦୯; ମଣିପୁରରେ କାମଜୋଙ୍ଗ୍ ଜିଲ୍ଲାରେ ୪ ତାଙ୍ଗଖୁଲ୍ ନାଗା ଲୋକଙ୍କୁ ହତ୍ୟା କରାଯାଇଛି । ଏହି ସ୍ଥାନ ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୩୪ କିମି ଦୂର । ସ୍ଥାନୀୟ ଲୋକେ ଲୁକି ନ୍ୟାସନାଲ ଆର୍ମି-ବର୍ମାର ଉଗ୍ରବାଦୀଙ୍କ ବିରୋଧରେ ଏହି ହତ୍ୟା ଅଭିଯୋଗ ଆଣିଛନ୍ତି । ସଶସ୍ତ୍ର ଉଗ୍ରବାଦୀମାନେ ପିଲୋଙ୍ଗ ନାଗା ଗ୍ରାମରେ ଗ୍ରାମବାସୀଙ୍କ ଉପରେ ଅତର୍କିତ ଭାବେ ଗୁଳିମାଡ଼ କରିଥିବା ପୁଲିସ୍ କହିଛି । ମୃତକଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରେ ଜଣେ ବାପା-ପୁଅ ଅଛନ୍ତି । ୪ ଜଣଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଘଟଣା ପରେ ତାଙ୍ଗଖୁଲ ସହ କାର୍ଯ୍ୟାନୁଷ୍ଠାନ ଦାବିରେ ଗତକାଲି (ଶୁକ୍ରବାର)ଦୋକାନ ବଜାର ବନ୍ଦ ଡାକରା ଦିଆଯାଇଥିଲା ।

ନାଗା ପିପୁଲ୍ସ ଫ୍ରଣ୍ଟ (ଏନପିଏଫ୍)ର ରାଜ୍ୟ ସଭାପତି ଅୱାଙ୍ଗବୋ ନ୍ୟୁମାଇ ଏହି ହତ୍ୟାକାଣ୍ଡକୁ ନିନ୍ଦା କରିବା ସହ ଏହା ପଛରେ କୁକି ନ୍ୟାସନାଲ ଆର୍ମି (ବର୍ମା)ର ହାତ ଥିବା ଅଭିଯୋଗ କରିଛନ୍ତି । ମଣିପୁରରେ ଗତ ଫେବୃଆରୀରୁ ଉଖରୁଲ, କାମଜୋଙ୍ଗ, କାଙ୍ଗପୋକପି, ତାମେଙ୍ଗଲଙ୍ଗ ଏବଂ ନୋନେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କୁକି-ନାଗା ସମ୍ପ୍ରଦାୟ ମଧ୍ୟରେ ହିଂସାକାଣ୍ଡ ଜାରି ରହିଛି । ଉଖଲୁରରେ ତାଙ୍ଗଖୁଲ ନାଗା ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ପ୍ରଥମେ ସଂଘର୍ଷ ଆରମ୍ଭ ହୋଇଥିଲା । ପରେ ଏହି ବିବାଦ ଅତର୍କିତ ଆକ୍ରମଣ, ହତ୍ୟାରେ ପରିଣତ ହୋଇଛି । ଉଭୟ ପକ୍ଷ ପରସ୍ପର ଉପରେ ଆକ୍ରମଣ ପ୍ରତିଆକ୍ରମଣ ଜାରି ରଖିଛନ୍ତି । ମଣିପୁରରେ ଜାରି ହିଂସାକାଣ୍ଡକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ସଶସ୍ତ୍ର ବାହିନୀ (ସ୍ୱତନ୍ତ୍ର କ୍ଷମତା) ଆଇନ୍ ୧୯୫୮ ବା ଆଫ୍ସ୍ପା ଲାଗୁ ଅବଧିକୁ ୬ ମାସ ବଢାଇଛନ୍ତି । ଆସନ୍ତା ଅକ୍ଟୋବର ୧ରୁ ୬ ମାସ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । କେନ୍ଦ୍ର ସରକାର ୨୦୨୩କରେ ମଣିପୁରକୁ ଅଶାନ୍ତ ଅଞ୍ଚଳ ଭାବେ ଘୋଷଣା କରି ଆଫସ୍ପା ଲାଗୁ କରିଥିଲେ । ସେବେଠାରୁ ଏହାକୁ ବାରମ୍ବାର ବୃଦ୍ଧି କରାଯାଇଆସୁଛି ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button