Cuttack fire incident : କଟକ ସିଡିଏ ସେକ୍ଟର-୧୦ରେ ବଡ଼ ଅଘଟଣ, ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ

କଟକ, ୧୩/୧୦ : କଟକ ସିଡିଏ ସେକ୍ଟର ୧୦ ଅଞ୍ଚଳରେ ବଡ଼ ଅଘଟଣ । ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ରାସ୍ତା କଡ଼ରେ ଥିବା ଦୋକାନ ଓ ଗୋଟିଏ ଟ୍ରାକ୍ଟର ଡାଲା ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି । ଘଟଣା ସ୍ଥଳରେ ଗେଲ୍ କର୍ତ୍ତୃପକ୍ଷ ପହଞ୍ଚି ସଜାଡ଼ିବାକୁ ଚେଷ୍ଟା କରୁଛନ୍ତି ।
ସୂଚନାନୁଯାୟୀ, ମଙ୍ଗଳବାର ସକାଳ ପ୍ରାୟ ୭ଟାରେ ହଠାତ୍ ରାସ୍ତା କଡ ମାଟି ତଳୁ ନିଆଁ ଉଠିଥିଲା । ଚାରିଟି ସ୍ଥାନରେ ଏଭଳି ନିଆଁ ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଓ ଗ୍ୟାସ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ ବା ଗେଲ୍ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଭୂତଳ ବିଦ୍ୟୁତ କେବୁଲ ବିଛାଇବା ପାଇଁ କାମ ଚାଲୁଥିବା ବେଳେ ମାଟି ତଳେ ଯାଇଥିବା ଗ୍ୟାସ୍ ପାଇପ୍ ଲାଇନ୍ ଫାଟିଥିବା କୁହାଯାଉଛି । ସେପଟେ ଭୂତଳ ଗ୍ୟାସ୍ ପାଇପ୍ ଲାଇନର ନିରାପତ୍ତା ନେଇ ପ୍ରଶ୍ନ ଉଠିଛି । ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ନିଆଁ ଲାଗିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ରନ୍ଧନ ଗ୍ୟାସ ଯୋଗାଯୋଗ ପ୍ରଭାବିତ ହୋଇଛି । ଗେଲ୍ କର୍ତ୍ତୃପକ୍ଷ ପାଇପ୍ ଲାଇନ୍ ସଜାଡ଼ିବାକୁ ଚେଷ୍ଟା କରୁଥିବା ବେଳେ ପାଣି ପାଇପ୍ ଲାଇନ୍ ମଧ୍ୟ ଫାଟି ଯାଇଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ମଧ୍ୟ ପ୍ରଭାବିତ ହୋଇଛି ।
ସୌଜନ୍ୟ ପ୍ରମେୟ




