Cyber fraud: ୩ ହଜାର ଟଙ୍କାରେ ବ୍ୟାଙ୍କ ଖାତା ଭଡ଼ା, ୨୫ କୋଟିର ସାଇବର ଠକେଇ
ସାଇବର ଠକେଇରେ ବ୍ୟବହାର ପାଇଁ ନିଜ ବ୍ୟାଙ୍କ ଖାତା ଭଡ଼ାରେ ଦେଉଥିବା ଅଭିଯୋଗରେ ବିହାର ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଏହି ଖାତାଗୁଡ଼ିକ ଜରିଆରେ ଆନ୍ତଃରାଜ୍ୟ ସାଇବର ଅପରାଧୀ ଗୋଷ୍ଠୀ ପ୍ରାୟ ୨୫ କୋଟି ଟଙ୍କାର ଠକେଇ କରିଛି।

ପାଟନା: ସାଇବର ଠକେଇରେ ବ୍ୟବହାର ପାଇଁ ନିଜ ବ୍ୟାଙ୍କ ଖାତା ଭଡ଼ାରେ ଦେଉଥିବା ଅଭିଯୋଗରେ ବିହାର ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଏହି ଖାତାଗୁଡ଼ିକ ଜରିଆରେ ଆନ୍ତଃରାଜ୍ୟ ସାଇବର ଅପରାଧୀ ଗୋଷ୍ଠୀ ପ୍ରାୟ ୨୫ କୋଟି ଟଙ୍କାର ଠକେଇ କରିଛି। ଗିରଫ ୩ ଜଣଙ୍କ ମଧ୍ୟରୁ ୨ ଜଣ ରାପିଡୋ ବାଇକ୍-ଟ୍ୟାକ୍ସି ଚାଳକ ବୋଲି ଜଣାପଡ଼ିଛି।
ପୁଲିସ ସୂଚନା ଅନୁସାରେ, ଅଭିଯୁକ୍ତମାନେ ନିଜ ବ୍ୟାଙ୍କ ଖାତାକୁ ସାଇବର ଠକମାନଙ୍କୁ ଭଡ଼ାରେ ଦେଉଥିଲେ। ଏଥିପାଇଁ ସେମାନେ ପ୍ରତ୍ୟେକ ଖାତା ବାବଦରେ ପ୍ରାୟ ୩ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ପାଉଥିଲେ। ପରେ ସେହି ଖାତାରେ ସାଇବର ଠକେଇରୁ ମିଳିଥିବା ଟଙ୍କା ଜମା କରାଯାଇ ଅନ୍ୟ ଖାତାକୁ ସ୍ଥାନାନ୍ତର କରାଯାଉଥିଲା। ଏହି ଉପାୟରେ ଟଙ୍କାର ମୂଳ ଉତ୍ସ ଓ ଠକେଇରେ ସମ୍ପୃକ୍ତ ଲୋକଙ୍କ ପରିଚୟ ଲୁଚାଇବାକୁ ଚେଷ୍ଟା କରାଯାଉଥିଲା।
ଘଟଣାର ତଦନ୍ତ ବେଳେ ପୁଲିସ ପାଟନା ଓ ବକ୍ସରରୁ ଅଭିଯୁକ୍ତମାନଙ୍କୁ ଧରିଛି। ବିଭିନ୍ନ ଅନ୍ଲାଇନ୍ ଠକେଇ ମାମଲା ସହ ସେମାନଙ୍କ ବ୍ୟାଙ୍କ ଖାତାରେ ହୋଇଥିବା ବହୁ ପରିମାଣର ଆର୍ଥିକ କାରବାରର ସମ୍ପର୍କ ମିଳିଛି। ପ୍ରାଥମିକ ତଦନ୍ତରେ ପ୍ରାୟ ୨୫ କୋଟି ଟଙ୍କାର କାରବାର ଚିହ୍ନଟ ହୋଇଛି। ପୁଲିସ ଏବେ ଏହି ଆନ୍ତଃରାଜ୍ୟ ସାଇବର ଅପରାଧୀ ନେଟ୍ୱର୍କର ଅନ୍ୟ ସଦସ୍ୟଙ୍କୁ ଚିହ୍ନଟ କରିବାକୁ ତଦନ୍ତ ଚଳାଇଛି।
ସୌଜନ୍ୟ ସମ୍ବାଦ




