Delhi: ଦିଲ୍ଲୀରେ ହାଇଭୋଲ୍ଟେଜ୍ ଡ୍ରାମା, ସମ୍ବିଧାନ ଧରି ରାସ୍ତାରେ ଶୋଇଲେ ପ୍ରିୟଙ୍କା
ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ମାମଲାରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଥିବା ଇଣ୍ଡି ମେଣ୍ଟର ଦିଲ୍ଲୀ ପ୍ରତିବାଦ କାର୍ଯ୍ୟକ୍ରମ ଆଜି ପୁଣି ଜୋରଦାର ହୋଇଛି

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ମାମଲାରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଥିବା ଇଣ୍ଡି ମେଣ୍ଟର ଦିଲ୍ଲୀ ପ୍ରତିବାଦ କାର୍ଯ୍ୟକ୍ରମ ଆଜି ପୁଣି ଜୋରଦାର ହୋଇଛି। ଆଜି ବିରୋଧୀ ଦଳ ନେତାମାନେ ପୁଣି ଆନ୍ଦୋଳନ ପାଇଁ ଯନ୍ତରମନ୍ତରକୁ ଯାଉଥିବା ବେଳେ ସେମାନଙ୍କୁ ବସ୍କୁ ପୁଲିସ ଅଶୋକା ରୋଡ୍ ନିକଟରେ ଅଟକାଇଥିଲା। ପୁଲିସ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଅନ୍ୟାନ୍ୟ ପ୍ରମୁଖ ନେତାମାନଙ୍କୁ ଅଟକ ରଖିବା ସହ ଗିରଫ ପ୍ରକ୍ରିୟା ଆରମ୍ଭ କରିବାରୁ ଯନ୍ତର ମନ୍ତର ନିକଟରେ ହାଇଭୋଲ୍ଟେଜ୍ ରାଜନୈତିକ ନାଟକ ଦେଖିବାକୁ ମିଳିଥିଲା। ପୁଲିସର ଏହି କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ହାତରେ ସମ୍ବିଧାନ ଧରି ସେହି ସଡ଼କ ଉପରେ ହିଁ ଶୋଇ ରହି ଅନନ୍ୟ ଶୈଳୀରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ‘ବନ୍ଦେ ମାତରମ୍’ ସ୍ଲୋଗାନ ଦେଇଥିଲେ।
ପୁଲିସ ଉପରେ ଗମ୍ଭୀର ଅଭିଯୋଗ ଆଣି ସେ ଗଣମାଧ୍ୟମକୁ କହିଛନ୍ତି ଯେ, ସରକାରଙ୍କ ନିର୍ଦ୍ଦେଶରେ ମହିଳା ପୁଲିସ କର୍ମଚାରୀମାନେ ମୋତେ ଆହତ କରିଦେବା ସହ ତଳେ ଫିଙ୍ଗି ଦେଇଛନ୍ତି। ପୁଲିସ ବର୍ବର ଓ ବେପରୁଆ ଆଭିମୁଖ୍ୟ ଗ୍ରହଣ କରିଛି। ପ୍ରିୟଙ୍କାଙ୍କୁ ସଡ଼କରେ ଶୋଇଥିବା ଦେଖି କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତଙ୍କ ସମେତ ବିରୋଧୀ ଦଳର ଅନେକ ନେତା ମଧ୍ୟ ତାଙ୍କ ସହ ରାସ୍ତାରେ ଶୋଇ ରହି ପ୍ରତିବାଦ କରିଥିଲେ ଏବଂ ଏହା ପରେ ପୁଲିସ ସମସ୍ତଙ୍କୁ ଉଠାଇ ନେଇଥିଲା।
ସୌଜନ୍ୟ ସମ୍ବାଦ




