Durga Puja 2026: ଗଙ୍ଗୀବନ୍ତରେ ପୂଜା ପାଇବେ ୭୨ ଫୁଟ ମୃଣ୍ମୟୀ ମୂର୍ତ୍ତି, ମା’ଙ୍କ ପାଇଁ ୨୦୦ ମିଟର ଶାଢ଼ି

ବାରଙ୍ଗ,୨୬/୦୯: ଆଉ ଦୁଇ ସପ୍ତାହ ପରେ ଧାରା ପୃଷ୍ଟକୁ ଅବତରଣ କରିବେ ମା ଦୁର୍ଗା । ଏଥିପାଇଁ ବିଭିନ୍ନ ଦୁର୍ଗାପୂଜା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହାଇଯାଇଛି । ଭୁବନେଶ୍ୱର ଉପକଣ୍ଠ ଗଙ୍ଗୀବନ୍ତ ଦୁର୍ଗାପୂଜା କମିଟି ଗତବର୍ଷ ୬୨ ଫୁଟ ଉଚ୍ଚର ମା’ଙ୍କ ମୃଣ୍ମୟୀ ମୂର୍ତ୍ତି କରି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ଚଳିତ ବର୍ଷ ୯ମ ବର୍ଷରେ ପଦାର୍ପଣ କରିଛି କମିଟି । କମିଟି ପକ୍ଷରୁ ଚଳିତ ବର୍ଷ ମା’ଙ୍କ ମୂର୍ତ୍ତି ଗତବର୍ଷ ଅପେକ୍ଷା ଆହୁରି ୧୦ ଫୁଟ ଉଚ୍ଚ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ୭୨ ଫୁଟ ମୂର୍ତ୍ତି ନିର୍ମାଣ ଲାଗି କାର୍ଯ୍ୟ ଆରମ୍ଭ ହୋଇଯାଇଛି ।
ଗତ ଅଗଷ୍ଟ ୨୬ରୁ ପୂଜା କରାଯାଇ ମା’ଙ୍କ ମୂର୍ତ୍ତି ନିର୍ମାଣ ପାଇଁ ବାଉଁଶ ବନ୍ଧା ଆରମ୍ଭ ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ମୂର୍ତ୍ତି ତିଆରି ଲାଗି ୩୦୦ ବାଉଁଶ ଲାଗିସାରିଲାଣି । କଟକର କାରିଗର ଗୋପାଳ ୧୫ ଜଣ ସହଯୋଗୀଙ୍କୁ ନେଇ ମା’ଙ୍କ ମୂର୍ତ୍ତି ନିର୍ମାଣ କରୁଛନ୍ତି । ଏଥି ସହିତ ୪୦ ଫୁଟ ଉଚ୍ଚତାର ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣ କରାଯିବ । ମା’ଙ୍କ ସମୁଖରେ ସପ୍ତମୀଠାରୁ ଦଶମୀ ପର୍ଯ୍ୟନ୍ତ ସନ୍ଧ୍ୟା ଆଳତି ସମୟରେ ଉଜ୍ଜୟିନୀ ଭଳି ଏକ ୩୦ ଫୁଟ ଉଚ୍ଚତାର ଦୀପ ଜଳିବ । ପ୍ରତ୍ୟେକ ଦିନ ସଂସ୍କୃତି କାର୍ଯ୍ୟକ୍ରମ ରହିଛି । ଭକ୍ତ ମୀନାବଜାର, ଦୋଳି ଓ ଚଟ୍ପଟା ଖାଦ୍ୟର ମଜା ମଧ୍ୟ ନେଇପାରିବେ । ଭିଡ଼କୁ ନିୟନ୍ତ୍ରଣ ପାଇଁ ସ୍ୱେଚ୍ଛାସେବୀଙ୍କ ସହିତ ପ୍ରଶାସନ ସହଯୋଗ ଲୋଡ଼ାଯାଇଥିବା କମିଟି ପକ୍ଷରୁ କୁହାଯାଇଛି।
ସୌଜନ୍ୟ ପ୍ରମେୟ




