BMC Hospital : ବିଏମ୍ସି ହସ୍ପିଟାଲରୁ ପଳାଇବେ ମେଡିସିନ୍ ସ୍ପେଶାଲିଷ୍ଟ, ଏବେ ଜଣଙ୍କ ଭରସାରେ ୨୫୦ ରୋଗୀ

ଭୁବନେଶ୍ୱର, ୨୬/୯ : ୧୦ କି ୨୦ ନୁହେଁ, ଦିନକୁ ମେଡିସିନ୍ ବିଭାଗକୁ ଆସୁଛନ୍ତି ୨୫୦ ରୋଗୀ । ସକାଳୁ ସକାଳୁ ଖଚାଖଚ ଭିଡ଼ । ଏତେ ରୋଗୀଙ୍କ ପାଇଁ ମାତ୍ର ଜଣେ ଡାକ୍ତର ହିଁ ସାହା । ପୂର୍ବରୁ ଜଣେ ବୟସ୍କ ମେଡିସିନ୍ ସ୍ପେଶାଲିଷ୍ଟଙ୍କୁ ଠିକାରେ ରଖାଯାଇଥିଲା । ସେ କିଛି ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିଲେ । ହେଲେ ବୟସାଧିକ କାରଣରୁ ତାଙ୍କୁ ଏବେ କାର୍ଯ୍ୟରୁ ବିରାମ ଦେବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ଫଳରେ ଜଣେ ମେଡିସିନ୍ ସ୍ପେଶାଲିଷ୍ଟଙ୍କ ଉପରେ ଚାପ ବଢ଼ିଛି । ରାଜଧାନୀର ସବୁଠାରୁ ପୁରୁଣା ଚିକିତ୍ସାଳୟ ବିଏମ୍ସି ହସ୍ପିଟାଲରେ ଏବେ ଏଭଳି ସ୍ଥିତି ଦେଖାଦେଇଛି ।
ପୂର୍ବରୁ ହସ୍ପିଟାଲର ମେଡିସିନ୍ ବିଭାଗରେ ଜଣେ ଡାକ୍ତର ଥିଲେ । ବର୍ଦ୍ଧିତ ରୋଗୀ ସଂଖ୍ୟାକୁ ଦେଖି କ୍ୟାପିଟାଲ ହସ୍ପିଟାଲରୁ ଜଣେ ଡାକ୍ତରଙ୍କୁ ଡେପୁଟେସନରେ ଅଣାଯାଇଥିଲା । ତଥାପି ଚାପ କମିନଥିଲା । ପରେ ଆଉ ଜଣେ ବରିଷ୍ଠ ଡାକ୍ତରଙ୍କୁ ବିଭାଗର ଦାୟିତ୍ୱ ଦିଆଯାଇଥିଲା । ତିନିଜଣ ଡାକ୍ତର ବିଭାଗକୁ ଚଲାଉଥିଲେ । କିଛିମାସ ପୂର୍ବେ କ୍ୟାପିଟାଲ ହସ୍ପିଟାଲରୁ ଡେପୁଟେସନରେ ଆସିଥିବା ଡାକ୍ତରଙ୍କ ପଦୋନ୍ନତି ହୋଇଥିଲା । ଏବେ ବରିଷ୍ଠ ଡାକ୍ତର ଘରେ ରହିବେ । ଧୀରେଧୀରେ ଏଠାରୁ ଡାକ୍ତରଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଥିବା ବେଳେ ନୂଆ ଡାକ୍ତରଙ୍କ ନିଯୁକ୍ତି ନାହିଁ କହିଲେ ଚଳେ । ସେଥିପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ଠିକାରେ ଅବସରପ୍ରାପ୍ତ ଡାକ୍ତରଙ୍କୁ ଆଣି ରୋଗୀଙ୍କ ସେବାରେ ନିୟୋଜିତ କରାଇଥିଲେ । ମାତ୍ର ଅଧିକ ବୟସ ଯୋଗୁ ଡାକ୍ତରମାନଙ୍କୁ ଛଟେଇ କରାଯାଉଛି । ଯାହାକୁ ନେଇ ଚିନ୍ତାରେ ଉଭୟେ ରୋଗୀ ଓ କର୍ତ୍ତୃପକ୍ଷ ।
ସୌଜନ୍ୟ ପ୍ରମେୟ




