ଶ୍ରୀନଗର: ଲେହ ଏବଂ ଲଦାଖରେ ଆଜି ସକାଳୁ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ ଗୁରୁବାର ସକାଳ ୬:୫ରେ ଲଦାଖର ଲେହରେ ରିକ୍ଟର ସ୍କେଲରେ ୫.୫ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା।
ଭୋର ସକାଳୁ ପୃଥିବୀ ଥରିବା କାରଣରୁ ଲୋକେ ଭୟଭୀତ ହୋଇଯାଇଥିଲେ। ଲୋକମାନେ ଭୟରେ ଘର ଭିତରକୁ ବାହାରି ବାହାରକୁ ପଳାୟନ କରିଥିଲେ। ତେବେ ରିପୋର୍ଟ ଲେଖାଯିବା ବେଳକୁ କୌଣସି କ୍ଷୟକ୍ଷତିର ସୂଚନା ହସ୍ତଗତ ହୋଇ ନାହିଁ।
ପୃଥିବୀ ଭିତରେ ୭ଟି ପ୍ଲେଟ୍ ଅଛି, ଯାହା ନିରନ୍ତର ଗତିଶୀଳ ହେଉଛି। ଏହି ପ୍ଲେଟ୍ଗୁଡ଼ିକ ଯେଉଁଠାରେ ବାରମ୍ବାର ଧକ୍କା ପାଆନ୍ତି, ସେହି ସ୍ଥାନଗୁଡ଼ିକୁ ଫଲ୍ଟ ଜୋନ୍ କୁହାଯାଏ। ବାରମ୍ବାର ଧକ୍କା ହେବା ଦ୍ୱାରା ପ୍ଲେଟ୍ଗୁଡ଼ିକର କୋଣ ବଙ୍କା ହୋଇଯାଏ। ଚାପ ବଢ଼ିଗଲେ, ପ୍ଲେଟ୍ଗୁଡ଼ିକ ଭାଙ୍ଗିବାକୁ ଆରମ୍ଭ କରେ। ଏହି ଭାଙ୍ଗିବା ଫଳରେ ସେମାନଙ୍କ ଭିତରେ ଥିବା ଶକ୍ତି ଖସିଯିବାର ରାସ୍ତା ଖୋଜି ପାଏ। ଏହି ବିଭ୍ରାଟ ଭୂମିକମ୍ପ ସୃଷ୍ଟି କରେ।
ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ମାପ କରାଯାଏ। ୭.୦ କିମ୍ବା ତା’ଠାରୁ ଅଧିକ ତୀବ୍ରତାର ଭୂମିକମ୍ପକୁ ସାଧାରଣତଃ ବିପଦପୂର୍ଣ୍ଣ ଭାବରେ ବର୍ଗୀକୃତ କରାଯାଏ, ଯେତେବେଳେ ୨.୦ କିମ୍ବା ତା’ଠାରୁ କମ୍ ତୀବ୍ରତାର ଭୂମିକମ୍ପକୁ ସୂକ୍ଷ୍ମ-ଭୂମିକମ୍ପ ଭାବରେ ବିବେଚନା କରାଯାଏ, ଯାହାକୁ ଅଧିକାଂଶ ଲୋକ ଅନୁଭବ ମଧ୍ୟ କରିପାରିବେ ନାହିଁ।
ଅନ୍ୟପକ୍ଷରେ, ୪.୫ କିମ୍ବା ତା’ଠାରୁ ଅଧିକ ତୀବ୍ରତାର ଭୂମିକମ୍ପ କୋଠା ଏବଂ ଘରଗୁଡ଼ିକୁ କ୍ଷତି ପହଞ୍ଚାଇବାର ସମ୍ଭାବନା ଥାଏ। ପୂର୍ବରୁ ସୋମବାର ରାତିରେ ମହାରାଷ୍ଟ୍ରର ପାଲଘରରେ ଗୋଟିଏ ଘଣ୍ଟା ମଧ୍ୟରେ ଦୁଇଟି ଭୂମିକମ୍ପ ଅନୁଭୂତ ହୋଇଥିଲା। ଉଭୟ ଭୂମିକମ୍ପର ତୀବ୍ରତା ୩.୪ ଥିଲା।
ସୌଜନ୍ୟ ସମ୍ବାଦ