ମହୀଧରପୁର/ବଡକେରା: ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ହାତୀ ଉପଦ୍ରବ ଘଟଣା ଘଟିଛି। ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ଜଣେ ବୃଦ୍ଧ ଆହତ ହୋଇଛନ୍ତି। ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା ବେଳେ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବନ୍ତଳା ରେଞ୍ଜ ଅନ୍ତର୍ଗତ ଗଡ଼ତଳମୂଳ ଗ୍ରାମରେ ବନ୍ୟ ହାତୀର ବିଭୀଷିକା ଦେଖିବାକୁ ମିଳିଛି। ଘରେ ଶୋଇଥିବା ସମୟରେ ହାତୀ ଘର କାନ୍ଥ ଭାଙ୍ଗି ଦେବାରୁ ସେହି କାନ୍ଥ ତଳେ ଚାପି ହୋଇ ଆର୍ତ୍ତ ଭୋଇ (୪୬) ନାମକ ଜଣେ ଵ୍ୟକ୍ତି ଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏକ ବନ୍ୟ ହାତୀ ଗଡ଼ତଳମୂଳ ଗ୍ରାମରେ ପଶି ଆର୍ତ୍ତ ଭୋଇଙ୍କ ଘର ଉପରେ ଆକ୍ରମଣ କରିଥିଲା। ହାତୀଟି ଘରର କାନ୍ଥକୁ ଭାଙ୍ଗି ଦେଇଥିବା ବେଳେ ଘର ଭିତରେ ଶୋଇଥିବା ଆର୍ତ୍ତଙ୍କ ଉପରେ କାନ୍ଥଟି ମାଡ଼ି ବସିଥିଲା। ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ।
ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦା ତାଙ୍କୁ ଉଦ୍ଧାର କରି ତୁରନ୍ତ ଅନଗୁଳ ମୁଖ୍ୟ ଚିକିତ୍ସାଳୟକୁ ନେଉଥିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଗ୍ରାମରେ ଭୟ ଓ ଶୋକର ପରିବେଶ ଖେଳିଯାଇଛି। ବାରମ୍ବାର ଏହି ଅଞ୍ଚଳରେ ହାତୀଙ୍କ ଉପଦ୍ରବ ବଢୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବନ ବିଭାଗ ତୁରନ୍ତ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ସହ ହାତୀ ଘଉଡ଼ାଇବା ପାଇଁ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ହାତୀ ଆକ୍ରମଣରେ ବୃଦ୍ଧ ଆହତ
ଅନୁଗୁଳ ବନାଞ୍ଚଳ ଅନଗୁଳ ସେକ୍ସନ ତୁମୁଣୀ ତେଲିତଇଳା ଗାଁରେ ସକାଳୁ ଅଭାବନୀୟ ଘଟଣା ଘଟିଛି। ଗାଁର ବନ୍ଧୁ ବେହେରା (୬୫) ସକାଳୁ ଘର ନିକଟରେ ଥିବା ଆମ୍ବ ବଗିଚାକୁ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲା। ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା। ପାଟି ଶୁଣି ପରିବାର ଲୋକେ ଗ୍ରାମବାସୀ ସେଠାରେ ପହଞ୍ଚିବା ପରେ ବନ ବିଭାଗ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର ଚିକିତ୍ସା ଚାଲିଛି। ଅନୁଗୁଳରେ ବାରମ୍ବାର ହାତୀ ଆକ୍ରମଣ ଘଟଣା ସାମ୍ନାକୁ ଆସୁଥିବା ବେଳେ ଲୋକେ ଭୟଭୀତ ଅଛନ୍ତି।
ସୌଜନ୍ୟ ସମ୍ବାଦ

