Former MLA: ପରଲୋକରେ ପୂର୍ବତନ ବିଧାୟକ ଶିବାଜୀ ମାଝୀ: ଲାଞ୍ଜିଗଡ଼ ହରାଇଲା ଜନସେବକଙ୍କୁ
ଲାଞ୍ଜିଗଡ଼ ଅଞ୍ଚଳ ପାଇଁ ଆଜି ଏକ ଅପୂରଣୀୟ କ୍ଷତି। ପୂର୍ବତନ ଲାଞ୍ଜିଗଡ଼ ବିଧାୟକ ତଥା ପୂର୍ବତନ ସ୍ୱତନ୍ତ୍ର ଅନୁସୂଚିତ ଜାତି ଓ ଜନଜାତି ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ ମଙ୍ଗଳବାର ବିଳମ୍ବିତ ରାତିରେ ନିଜ ଗାଁ ବିଜେପୁର ଦନାରଗୁଡ଼ାରେ ପରଲୋକ ଗମନ କରିଛନ୍ତି।

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ଅଞ୍ଚଳ ପାଇଁ ଆଜି ଏକ ଅପୂରଣୀୟ କ୍ଷତି। ପୂର୍ବତନ ଲାଞ୍ଜିଗଡ଼ ବିଧାୟକ ତଥା ପୂର୍ବତନ ସ୍ୱତନ୍ତ୍ର ଅନୁସୂଚିତ ଜାତି ଓ ଜନଜାତି ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ ମଙ୍ଗଳବାର ବିଳମ୍ବିତ ରାତିରେ ନିଜ ଗାଁ ବିଜେପୁର ଦନାରଗୁଡ଼ାରେ ପରଲୋକ ଗମନ କରିଛନ୍ତି। କିଛି ଦିନ ତଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ଭବାନୀପାଟଣା ଏବଂ ସେଠାରୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସା ପରେ ଡିସଚାର୍ଜ ହୋଇ ସେ ନିଜ ଗାଁକୁ ଫେରିଥିଲେ। ମଙ୍ଗଳବାର ରାତିରେ ତାଙ୍କର ଦେହାନ୍ତ ହୋଇଛି।
ସରଳ ଜୀବନଯାପନ କରୁଥିଲେ ଶିବାଜୀ ମାଝୀ
ଓଡ଼ିଶାର ରାଜନୀତିରେ ନିଜର କ୍ୟାରିୟର ଆରମ୍ଭ କରି ନୂତନ ନିର୍ବାଚନ ମଣ୍ଡଳୀ ଗଠନ ପରେ ସେ ୨୦୦୯ ମସିହାରୁ ୨୦୧୪ ପର୍ଯ୍ୟନ୍ତ ଲାଞ୍ଜିଗଡ଼ର ପ୍ରଥମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ଲାଞ୍ଜିଗଡ଼ ଓ ଥୁଆମୂଳ ରାମପୁରର ଆଦିବାସୀ ବହୁଳ ଓ ଦୁର୍ଗମ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରିଥିଲେ। କଳାହାଣ୍ଡି ଜିଲ୍ଲାରେ ସ୍ୱତନ୍ତ୍ର ଅନୁସୂଚିତ ଜାତି ଓ ଜନଜାତି ପରିଷଦ ଗଠନ ହେବା ପରେ ସେ ଏହାର ପ୍ରଥମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ଜିଲ୍ଲା ଆଦିବାସୀ ଓ ଦଳିତ ଅଞ୍ଚଳର ବିକାଶ ପାଇଁ ସେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ। ସେ ବିଧାୟକ ହେବା ପରେ ମଧ୍ୟ ସେ ସବୁବେଳେ ସରଳ ଜୀବନଯାପନ କରୁଥିଲେ। ତାଙ୍କର ଲୋକସଂପର୍କ ଓ ଉତ୍ତମ ବ୍ୟବହାର ପାଇଁ ସେ ସମସ୍ତଙ୍କ ପ୍ରିୟ ଥିଲେ। ତାଙ୍କ ବିୟୋଗ ଖବର ପାଇବା ପରେ ସମଗ୍ର ଜିଲ୍ଲାରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବିଭିନ୍ନ ରାଜନୈତିକ ଦଳର ନେତା, ସାମାଜିକ କର୍ମୀ ଓ ସାଧାରଣ ଜନତା ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଅନେକ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।
ସୌଜନ୍ୟ ସମ୍ବାଦ




