Highcourt: ଦିଲ୍ଲୀ ପୁଲିସ ଓ ଆର୍ଏଏଫ୍ ପାଇଁ ବଡି କ୍ୟାମେରା ସଂକ୍ରାନ୍ତ ନିଷ୍ପତ୍ତି ନେବେ କେନ୍ଦ୍ର ସରକାର: ହାଇକୋର୍ଟ
ପ୍ରତିବାଦ, ଆନ୍ଦୋଳନ ଓ ଭିଡ଼ ନିୟନ୍ତ୍ରଣ ସମୟରେ ପୁଲିସ ଓ ରାପିଡ୍ ଆକ୍ସନ୍ ଫୋର୍ସ (ଆର୍ଏଏଫ୍) ଯବାନଙ୍କ ପାଇଁ ବଡି କ୍ୟାମେରା ବାଧ୍ୟତାମୂଳକ କରିବା ନେଇ ଦାଏର ଏକ ଜନସ୍ୱାର୍ଥ ମାମଲାରେ ଦିଲ୍ଲୀ ହାଇକୋର୍ଟ ସିଧାସଳଖ ନିର୍ଦ୍ଦେଶ ଦେବାକୁ ମନା କରିଛନ୍ତି।

ନୂଆଦିଲ୍ଲୀ: ପ୍ରତିବାଦ, ଆନ୍ଦୋଳନ ଓ ଭିଡ଼ ନିୟନ୍ତ୍ରଣ ସମୟରେ ପୁଲିସ ଓ ରାପିଡ୍ ଆକ୍ସନ୍ ଫୋର୍ସ (ଆର୍ଏଏଫ୍) ଯବାନଙ୍କ ପାଇଁ ବଡି କ୍ୟାମେରା ବାଧ୍ୟତାମୂଳକ କରିବା ନେଇ ଦାଏର ଏକ ଜନସ୍ୱାର୍ଥ ମାମଲାରେ ଦିଲ୍ଲୀ ହାଇକୋର୍ଟ ସିଧାସଳଖ ନିର୍ଦ୍ଦେଶ ଦେବାକୁ ମନା କରିଛନ୍ତି। ତେବେ ଏହି ଜନସ୍ୱାର୍ଥ ଆବେଦନ ଉପରେ ୬ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ନୀତିନ ସାମ୍ବ୍ରେଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଆଜି ଏହି ମାମଲାରେ ବାଧ୍ୟତାମୂଳକ ନିର୍ଦ୍ଦେଶ ଦେବାକୁ ମନା କରିଛନ୍ତି। ଚାହତ ରାଘବଙ୍କ ପକ୍ଷରୁ ଏହି ପିଆଇଏଲ୍ ଦାଖଲ ହୋଇଥିଲା।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କୋର୍ଟଙ୍କ ଏହି ନିଷ୍ପତ୍ତି ପୂର୍ବରୁ ଦିଲ୍ଲୀ ପୁଲିସ ଆଗଧାଡ଼ିରେ ମୁତୟନ ହେଉଥିବା ପୁଲିସ କର୍ମଚାରୀଙ୍କୁ ବଡି-ୱର୍ନ କ୍ୟାମେରା ଦେବା ଆରମ୍ଭ କରିସାରିଛି। ମୁଖ୍ୟ ନିର୍ବାଚନ କମିସନର (ସିଇସି)ଙ୍କ ବିରୋଧରେ ଆନ୍ଦୋଳନକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦିଲ୍ଲୀ ପୁଲିସ ଏହି ପଦକ୍ଷେପ ନେଇଛି। ଭିଡ଼ ନିୟନ୍ତ୍ରଣ ଓ ଆନ୍ଦୋଳନସ୍ଥଳରେ ସୁରକ୍ଷା ବ୍ୟବସ୍ଥା ପରିଚାଳନା ସମୟରେ ପୁଲିସ ଏହି କ୍ୟାମେରା ବ୍ୟବହାର କରିଥାଏ। ହାଇକୋର୍ଟରେ ଦାଖଲ ଜନସ୍ୱାର୍ଥ ମାମଲାରେ ଦାବି କରାଯାଇଛି ଯେ, ଭିଡ଼ ନିୟନ୍ତ୍ରଣ, ପ୍ରତିବାଦ ପରିଚାଳନା ପାଇଁ ନିୟୋଜିତ ପ୍ରତ୍ୟେକ ଦିଲ୍ଲୀ ପୁଲିସ ଓ ଆର୍ଏଏଫ୍ କର୍ମଚାରୀଙ୍କ ପାଇଁ ବଡି-ୱର୍ନ କ୍ୟାମେରାକୁ ବାଧ୍ୟତାମୂଳକ କରି ଏକ ଏସ୍ଓପି ପ୍ରସ୍ତୁତ କରାଯାଉ।
ସୌଜନ୍ୟ ସମ୍ବାଦ




