ରାଜ୍ୟ

House Rent Hike: ରାଜଧାନୀରେ ଭଡ଼ାଘର ଖୋଜୁଛନ୍ତି କି ? ଟୁ-ଲେଟ୍ ଦେଖି ଫୋନ୍ କରିବା ଆଗରୁ ସାବଧାନ, ଆଗୁଆ ଟଙ୍କା ନେଇ ଛୁ ମାରିବେ ଦଲାଲ

  • ରାଜଧାନୀରେ ଘରଭଡ଼ା ଦଲାଲି
  • ମାଳମାଳ ଟୁ-ଲେଟ୍ ପୋଷ୍ଟର ଛାଇଗଲାଣି
  • ଅନଲାଇନ୍ ବିଜ୍ଞାପନରେ ଘର ମେଳ ଖାଉନି
  • କିଛି ଦଲାଲ୍ ଆଗୁଆ ଟଙ୍କା ଧରି ଛୁ ମାରୁଛନ୍ତି
  • ବିନା ପଞ୍ଜୀକରଣରେ ଗଢ଼ି ଉଠୁଛି ସଂସ୍ଥା
  • ଦଲାଲଙ୍କ ପାଇଁ ଭୁବନେଶ୍ୱରରେ ବଢୁଛି ଘର ଭଡ଼ା!

ଭୁବନେଶ୍ୱର ୧୬/୧୧ (ସତ୍ୟଜିତ ରାଉତ): ଆପଣ ଘର ଭଡ଼ା ଖୋଜୁଛନ୍ତି କି? ସିଙ୍ଗଲ୍ ରୁମ୍ ଦରକାର ନା ଡବଲ୍ । ବ୍ୟାଚଲର୍ ରହିବେ ନା ଫ୍ୟାମିଲି । ମାଲିକ ଝିନଝଟ୍ ନଥିବା ରୁମ୍ ବି ଅଛି । ଯେମିତି ଚାହିଁବେ ସେଇ ହିସାବରେ ଆମେ ଯୋଗାଇଦେବୁ । ଘର ଦେଖାଇବା ପାଇଁ ହଜାରେ ଟଙ୍କା ଲାଗିବ । ଆଉ ଭଡ଼ାଘର ମିଳିଗଲେ, ମାସକ ଘରଭଡ଼ା ଆମର… ରାଜଧାନୀରେ ଘରଭଡ଼ା ଦଲାଲ୍‌ଙ୍କ ଏହା ହେଉଛି ମୁଲଚାଲ୍‌ର ତରିକା । ଯଦି କାହାକୁ ଘର ନିହାତି ଦରକାର, ତ କଥା ସରିଲା । ଦଲାଲମାନଙ୍କ ଚାର୍ଜ ସିଧା ଡବଲ୍ ହୋଇଯିବ । ଖାଲି ସେତିକି ନୁହେଁ, କିଛି ଦଲାଲ୍‌ମାନେ ଏମିତି ଧୂର୍ତ୍ତ ଯେ, ନୀରିହ ଲୋକଙ୍କଠାରୁ ଆଗୁଆ ଟଙ୍କା ରଖି ଧରାଛୁଆଁ ଦେଉନାହାନ୍ତି । ନା ମିଳୁଛି ଘର ନା ଟଙ୍କା ଫେରି ପାଉଛନ୍ତି । ଥାନାକୁ ଗଲେ, ପୁଲିସ ବି ନିରାଶ କରୁଛି । ଏମିତି ହଜାର ହଜାର ଲୋକ ଭଡ଼ାଘର ଖୋଜିବା ବେଳେ ଦଲାଲଙ୍କ ଠକେଇର ଶିକାର ହେଉଛନ୍ତି ।

ରାଜଧାନୀରେ ଘର ପାଇବା କେତେ ଯେ କଷ୍ଟ, ଖୋଜୁଥିବା ଲୋକଙ୍କୁ ହିଁ ଭଲରେ ଜଣା । ଭଲ ଘର ଖଣ୍ଡେ ପାଇବାକୁ ନାକେଦମ ହେବାକୁ ପଡୁଛି । ଯାହାର ଫାଇଦା ଉଠାଇବାକୁ ବସିଛନ୍ତି କିଛି ଟୁ ଲେଟ୍ ଦଲାଲ୍ । ସହରର ଜନଗହଳିପୂର୍ଣ୍ଣ ସ୍ଥାନରେ ଥିବା ଟ୍ରାଫିକ୍ ପୋଷ୍ଟ, ପାନ ଦୋକାନ, ବିଦ୍ୟୁତ୍ ଖୁଣ୍ଟ, ବସ୍‌ଷ୍ଟାଣ୍ଡ ଏବଂ କାନ୍ଥବାଡ଼ରେ ପୋଷ୍ଟରରେ ଫୋନ୍ ନମ୍ବର ପ୍ରିଣ୍ଟ କରି ଲଗାଇ ଦେଉଛନ୍ତି । ଭଡ଼ାଘର ପାଇଁ କିଏ ଯଦି ଫୋନ୍ କରୁଛି, ସେମାନେ ନିଜ ଅଫିସକୁ ଡକାଉଛନ୍ତି । ଅଫିସରେ ଚାଲୁଛି ମୁଲଚାଲ୍ । କେବଳ ଘର ଦେଖାଇବାକୁ ପ୍ରଥମେ ୧୦୦୦ ଟଙ୍କା ନେବୁ, ଘର ଯଦି ପସନ୍ଦ ଆସିଲା ମାସକର ଭଡା ଟଙ୍କା ଦେବ ।

ତେବେ ଏହି ଦଲାଲି ଭିତରେ ବି ଜାଲିଆତି ହେଉଛି । ଅନେକ ସମୟରେ ଭଡା ଘରର ଚିକିଣିଆ ଫଟୋ ପଠାଇ ଅଧା ଟଙ୍କା ଆଡଭାନ୍ସ ନେଇ ଯାଉଛି ଦଲାଲ । ପରେ ପ୍ରକୃତ ଘର ନିମ୍ନମାନର ହୋଇଥିବାରୁ ଗ୍ରାହକ ଭଡା ନେବାକୁ ପସନ୍ଦ କରୁନାହିଁ । ସେମାନଙ୍କୁ ଆଡବାନ୍ସ ଟଙ୍କା ଲ୍ସେ୍ ମାଗିଲେ ଓଲଟି ଧମକ ଚମକ ଦେବା ସହ ଦୁର୍ବ୍ୟବହାର କରୁଛନ୍ତି । ୬ ମାସ ତଳେ ଶୈଳଶ୍ରୀ ବିହାର ଅଞ୍ଚଳରେ ଜଣେ ଭଡ଼ାଟିଆଙ୍କୁ ମାଡ଼ ମାରି ଦଲାଲ୍ ଗିରଫ ହୋଇଥିଲା ।

ବିଶେଷ କରି ପାଠ ପଢିବାକୁ ବାହାର ରାଜ୍ୟରୁ ଆସୁଥିବା ଅଣଓଡ଼ିଆ ପୁଅ ଝିଅ ଅଧିକ ଠକାମୀର ଶିକାର ହେଉଛନ୍ତି । ନିକଟରେ ରାଜସ୍ଥାନରୁ ଆସିଥିବା ସୁମନ କୁମାର ନୟାପଲ୍ଲୀ ଅଞ୍ଚଳ ଘର ଖୋଜିବାକୁ ଯାଇ ଠକାମୀର ଶିକାର ହୋଇଥିଲେ । ଦଲାଲ ଜଣଙ୍କ ଏକ ୨ ବିଏଚ୍କେ ଘର ଦେବାର ପ୍ରତିଶ୍ରୁତି ଦେଇ ଫୋନ୍ ପେ’ରେ ୬ ହଜାର ଟଙ୍କା ଅଗ୍ରୀମ ନେଇ ଯାଇଥିଲା । କିନ୍ତୁ ପରେ ଘର ନଦେଖାଇ ମୋବାଇଲ୍ ବନ୍ଦ କରି ଦେଇଥିଲେ । ସେ ଥାନାରେ ଅଭିଯୋଗ କରିଥିଲେ ବି କିଛି ଲାଭ ମିଳିନଥିଲା ।

ସବୁଠୁ ବଡ଼ କଥା ହେଲା ରାଜଧାନୀର ଅଧିକାଂଶ ଘର ଫାଙ୍କା ପଡିଛି । କିନ୍ତୁ କିଛି ମାଲିକ ନିଜ ଘର ଆଗରେ ଜାଣି ଜାଣି ଟୁଲେଟ୍ ବୋର୍ଡ ଲଗାଉ ନାହାନ୍ତି । ଅଧିକ ଭଡ଼ା ପାଇବାର ଲୋଭରେ ଦଲାଲଙ୍କ ସହ ସଲାସୁତରା କରୁଛନ୍ତି । ଟୁଲେଟ୍ ଘର ବାହାରେ ଲାଗୁନଥିବାରୁ ଗ୍ରାହକଙ୍କୁ ଘର ମିଳୁନି । ଲୋକେ ବାଧ୍ୟ ହୋଇ ଦଲାଲ୍‌ଙ୍କ  ସହ ଯୋଗାଯୋଗ କରି ଠକାମୀର ଶିକାର ହେଉଛନ୍ତି । ତେବେ ସବୁଠୁ ବଡ କଥା ହେଲା ଦଲାଲଙ୍କ ଏରିଆ ପରିସୀମା ରହୁଛି । କେବଳ ସେହି ଏରିଆର ଲୋକଙ୍କୁ ସେମାନେ ଯୋଗଯୋଗ କରୁଛନ୍ତି । ହେଲେ ସେମାନଙ୍କ ସଂଖ୍ୟା କେତେ, ତାଙ୍କ ଅଫିସ ପଞ୍ଜୀକରଣ ହୋଇଛି କି ନାହିଁ କାହା ପାଖରେ ଏ ତଥ୍ୟ ରହୁନି । ପ୍ରତିଦିନ ବିଭିନ୍ନ ଅଞ୍ଚଳରେ ନୂଆ ନୂଆ ଟୁଲେଟ୍ ଅଫିସ ଗଢି ଉଠୁଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button