India:ହାଜତରେ ଥିବା କଏଦୀ, ମତ୍ସ୍ୟଜୀବୀଙ୍କ ତାଲିକା ଆଦାନ ପ୍ରଦାନ କଲେ ଭାରତ-ପାକିସ୍ତାନ
୨୦୦୮ ମସିହାରେ ହୋଇଥିବା ଏକ ଚୁକ୍ତିର ପ୍ରାବଧାନ ଅଧୀନରେ ଭାରତ ଏବଂ ପାକିସ୍ତାନ ନିଜ ନିଜ ହାଜତରେ ରଖିଥିବା କଏଦୀ ଏବଂ ମତ୍ସ୍ୟଜୀବୀମାନଙ୍କର ତାଲିକା ପରସ୍ପର ମଧ୍ୟରେ ଆଦାନ ପ୍ରଦାନ କରିଛନ୍ତି।

ନୂଆଦିଲ୍ଲୀ: ୨୦୦୮ ମସିହାରେ ହୋଇଥିବା ଏକ ଚୁକ୍ତିର ପ୍ରାବଧାନ ଅଧୀନରେ ଭାରତ ଏବଂ ପାକିସ୍ତାନ ନିଜ ନିଜ ହାଜତରେ ରଖିଥିବା କଏଦୀ ଏବଂ ମତ୍ସ୍ୟଜୀବୀମାନଙ୍କର ତାଲିକା ପରସ୍ପର ମଧ୍ୟରେ ଆଦାନ ପ୍ରଦାନ କରିଛନ୍ତି। ଏହି ତାଲିକା ଆଧାରରେ ଭାରତ ବୁଧବାର ପାକିସ୍ତାନକୁ ଏହାର ହାଜତରେ ଥିବା ୧୩ ଜଣ ସାଧାରଣ କଏଦୀଙ୍କୁ ତତ୍କାଳ ଦୂତାବାସ ସହାୟତା ଯୋଗାଇ ଦେବାପାଇଁ କହିଛି। କୂଟନୈତିକ ଉପାୟରେ ଉଭୟ ଭାରତ ଏବଂ ପାକିସ୍ତାନ କଏଦୀ ଏବଂ ଅଟକ ମତ୍ସ୍ୟଜୀବୀମାନଙ୍କର ତାଲିକା ଆଦାଦ ପ୍ରଦାନ କରିଥାନ୍ତି।
ଭାରତ ୩୮୬ ସାଧାରଣ କଏଦୀଙ୍କର ଏକ ତାଲିକା ଜାରି କରିଥିବାବେଳେ ୫୩ ମତ୍ସ୍ୟଜୀବୀ ହାଜତରେ ଅଛନ୍ତି। ଏମାନେ ସମସ୍ତେ ପାକିସ୍ତାନୀ। ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏନେଇ ଏକ ବିବୃତି ଜାରି କରି କୁହାଯାଇଛି ଯେ ପାକିସ୍ତାନ ହାଜତରେ ଥିବା ୧୩ ଜଣ ସାଧାରଣ କଏଦୀ ଯେଉଁମାନେ ଭାରତୀୟ ବୋଲି ବିଶ୍ବାସ କରାଯାଉଛି ଏବଂ ଏଯାବତ ଦୂତାବାସ ସହାୟତା ପାଇନାହାନ୍ତି ସେମାନଙ୍କୁ ତୁରନ୍ତ ଦୂତାବାସ ସହାୟତା ଦେବାକୁ କୁହାଯାଇଛି। ସେହିପରି ୧୮୮ ଭାରତୀୟ ମତ୍ସ୍ୟଜୀବୀ ଏବଂ ସାଧାରଣ କଏଦୀ ଯେଉଁମାନେ ସେମାନଙ୍କ ଦଣ୍ଡାଦେଶ ଶେଷ କରି ସାରିଛନ୍ତି ସେମାନଙ୍କୁ ତୁରନ୍ତ ଛାଡ଼ିଦେବାପାଇଁ ଏବଂ ପ୍ରତ୍ୟର୍ପଣ କରିବାପାଇଁ ପାକିସ୍ତାନକୁ ଅନୁରୋଧ କରାଯାଇଛି।
ଅନ୍ୟପକ୍ଷେ ପାକିସ୍ତାନବିଦେଶ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ ପାକିସ୍ତାନ ଏହାର ହାଜତରେ ଥିବା ୫୨ ସାଧାରଣ କଏଦୀ ଏବଂ ୧୯୮ ମତ୍ସ୍ୟଜୀବୀଙ୍କର ଏକ ତାଲିକା ଜାରି କରିଛି ଯେଉଁମାନେ ଭାରତୀୟ ବୋଲି ବିଶ୍ବାସ କରାଯାଉଛି। ପାକିସ୍ତାନ ମଧ୍ୟ ଭାରତକୁ ୩୩ ମତ୍ସ୍ୟଜୀବୀ ଏବଂ ୬୪ ସାଧାରଣ କଏଦୀଙ୍କ ସମେତ ମୋଟ୍ ୯୭ ପାକିସ୍ତାନୀ କଏଦୀଙ୍କୁ ଫେରାଇବାପାଇଁ ଅନୁରୋଧ କରିଛି। ଉଲ୍ଲେଖଯୋଗ୍ୟ, ୨୦୦୮ ଦୂତାବାସ ସହାୟତା ଚୁକ୍ତିର ପ୍ରାବଧାନ ଅଧୀନରେ ପ୍ରତିବର୍ଷ ଜାନୁଆରି ୧ ଏବଂ ଜୁଲାଇ ୧ ତାରିଖରେ ସାଧାରଣ କଏଦୀ ଏବଂ ମତ୍ସ୍ୟଜୀବୀମାନଙ୍କର ତାଲିକା ଆଦାନ ପ୍ରଦାନ କରାଯାଇଥାଏ।
ସୌଜନ୍ୟ ସମ୍ବାଦ




