Iran Conflict: ଇରାନରେ ୯ ହଜାର ଭାରତୀୟ ଅଛନ୍ତି, ଅଧିକାଂଶ ଛାତ୍ର: ଏମ୍‌ଇଏ

ନୂଆଦିଲ୍ଲୀ: ଇରାନରେ ସଙ୍କଟ ଜାରି ରହିଥିବାବେଳେ ଭାରତ ଏହାର ନାଗରିକଙ୍କୁ ସତର୍କ ରହିବାପାଇଁ କହିଛି ଏବଂ ଇରାନରୁ ମଧ୍ୟ ନାଗରିକଙ୍କୁ ଖାଲି କରିବା ପ୍ରକ୍ରିୟା ଆରମ୍ଭ କରିଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି, ଭାରତ ଏହାର ନାଗରିକଙ୍କୁ ବର୍ତ୍ତମାନ ଇରାନକୁ ଯାତ୍ରା ନକରିବାପାଇଁ ପରାମର୍ଶ ଦେଇଛି ଏବଂ ଏବେ ଯେଉଁମାନେ ସେଠାରେ ଅଛନ୍ତି‌ ସେମାନଙ୍କୁ ତୁରନ୍ତ ଦେଶ ଛାଡ଼ିଦେବାପାଇଁ କୁହାଯାଇଛି।

ଜୟସ୍ବାଲ କହିଛନ୍ତି, ଇରାନରେ ଏବେ ପ୍ରାୟ ୯ ହଜାର ଭାରତୀୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଛାତ୍ର। ଜୟସ୍ବାଲ କହିଛନ୍ତି, ନିକଟରେ ଆମେ ୨ରୁ ୩ଟି ପରାମର୍ଶାବଳୀ ଜାରି କରିଛୁ। ଭାରତରେ ଆମ ନାଗରିକଙ୍କୁ ଆମେ ଇରାନ ଯିବାପାଇଁ ବାରଣ କରିଛୁ ଏବଂ ଇରାନରେ ଥିବା ଭାରତୀୟ ନାଗରିକଙ୍କୁ ତୁରନ୍ତ ଯେକୌଣସି ଉପାୟରେ ଦେଶ ଛାଡ଼ିଦେବାପାଇଁ କହିଛୁ।

ସରକାର ସ୍ଥିତି ଉପରେ ଭଲଭାବେ ନଜର ରଖିଛନ୍ତି

ସେ କହିଛନ୍ତି, ସରକାର ସ୍ଥିତି ଉପରେ ଭଲଭାବେ ନଜର ରଖିଛନ୍ତି ଏବଂ ଭାରତୀୟ ନାଗରିକଙ୍କ ସୁରକ୍ଷା ପ୍ରତି ସରକାର ପ୍ରତିଶ୍ରୁତିବଦ୍ଧ। ଜୟସ୍ବାଲ କହିଛନ୍ତି, ନାଗରିକଙ୍କ ସୁରକ୍ଷା ପାଇଁ ଯାହା ଆବଶ୍ୟକ ତାହା କରାଯିବ। ଭାରତ ମଧ୍ୟ ଇରାନରୁ ନାଗରିକଙ୍କୁ ଖାଲି କରିବା ପ୍ରକ୍ରିୟା ଆରମ୍ଭ କରିଛି ବୋଲି ସେ କହିଛନ୍ତି। ଇରାନରେ ଥିବା ନାଗରିକଙ୍କୁ ଦୂତାବାସ ସହ ଯୋଗାଯୋଗରେ ରହିବାକୁ କୁହାଯାଇଛି।

ସୌଜନ୍ୟ ସମ୍ବାଦ