Tehran’s Statement: ଇରାନର ପ୍ରସ୍ତାବକୁ ଆମେରିକା ପ୍ରତ୍ୟାଖ୍ୟାନ କରିବା ପରେ ତେହେରାନର କ୍ରୋଧଭରା ବକ୍ତବ୍ୟ

ତେହେରାନ: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇଛି। ଆମେରିକା ଏକ ଚୁକ୍ତି ପାଇଁ ଚାପ ପକାଉଥିବାବେଳେ, ଇରାନ କ୍ଷତିପୂରଣ ଏବଂ କଟକଣା ଉଠାଇବା ଜିଦ୍ରେ ଅଟଳ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବ ଉପରେ ତେହେରାନର ଜବାବକୁ ପ୍ରତ୍ୟାଖ୍ୟାନ କରାଯିବା ପରେ ଇରାନର ସରକାରୀ ଗଣମାଧ୍ୟମ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ଇରାନର ସରକାରୀ ଗଣମାଧ୍ୟମ, ଆଇଆର୍ଆଇବି ଏକ ବିବୃତିରେ କଡ଼ା ସ୍ବରରେ କହିଛି ଯେ, ଆମେରିକାର ଯୋଜନା ‘ଟ୍ରମ୍ପଙ୍କ ଲୋଭ ନିକଟରେ ଇରାନର ଆତ୍ମସମର୍ପଣ’କୁ ପ୍ରତିନିଧିତ୍ୱ କରୁଛି। ତେହରାନର ପ୍ରତିକ୍ରିୟା ଦେଇ କହିଛି, ଇରାନୀ ଜାତିର ମୌଳିକ ଅଧିକାରକୁ ସୁରକ୍ଷା ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। ଇରାନ ଅନୁସାରେ ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବ ଏକପାଖିଆ ଏବଂ ଇରାନର ସାର୍ବଭୌମତ୍ୱକୁ ଦୁର୍ବଳ କରିବାର ଏକ ପ୍ରୟାସ। ଟ୍ରମ୍ପଙ୍କୁ ଖୁସି କରିବା ପାଇଁ ଆମେ ତାଙ୍କ ଉପଯୋଗୀ ପ୍ରସ୍ତାବ କରିବାକୁ ପ୍ରସ୍ତୁତ ନୁହଁ। ଯଦି ଟ୍ରମ୍ପ ଆମର ପ୍ରତିକ୍ରିୟାରେ ଅସନ୍ତୁଷ୍ଟ, ତେବେ ଠିକ୍ ଅଛି ବୋଲି ତେହେରାନ୍ କହିଛି।

ଆମେରିକାଠାରୁ କ୍ଷତିପୂରଣ ଦାବି

ଆଇଆର୍ଆଇବି ଅନୁଯାୟୀ, ତେହେରାନର ନୂତନ ପ୍ରସ୍ତାବରେ ଯୁଦ୍ଧ କ୍ଷତି ପାଇଁ ଆମେରିକାଠାରୁ କ୍ଷତିପୂରଣ ଦାବି, ହର୍ମୁଜ୍ ପ୍ରଣାଳୀରେ ଆମେରିକାର ଅବରୋଧ ଉଠାଇବା ଏବଂ ତୈଳ ରପ୍ତାନିକୁ ଅନୁମତି ଦେବା, ଲେବାନନରେ ଅସ୍ତ୍ରବିରତି, ଚୁକ୍ତି ପରେ ତୁରନ୍ତ ଯୁଦ୍ଧ ସମାପ୍ତ କରିବା, ସମସ୍ତ ଆମେରିକୀୟ କଟକଣା ଉଠାଇବା ଏବଂ ଇରାନ ସମ୍ପତ୍ତିକୁ ଅନ୍ ଫ୍ରିଜ୍ କରିବା, ଇରାନ ତୈଳ ବିକ୍ରୟ ଉପରେ ପ୍ରତିବନ୍ଧକ ଉଠାଇବା, ହର୍ମୁଜ୍ ପ୍ରଣାଳୀ ଉପରେ ଇରାନର ନିୟନ୍ତ୍ରଣ ଏବଂ ଏହାକୁ ଚୂଡ଼ାନ୍ତ କରିବା ପାଇଁ ଯୁଦ୍ଧ ପରବର୍ତ୍ତୀ ୩୦ ଦିନର ଆଲୋଚନା ଆଦି ସର୍ତ୍ତ ରହିଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶାନ୍ତି ପ୍ରସ୍ତାବ ଉପରେ ଇରାନର ପ୍ରତିକ୍ରିୟାକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି, ଇରାନର ଜବାବ ମତେ ଆଦୌ ପସନ୍ଦ ଆସିଲା ନାହିଁ ଏବଂ ଏହା ଆମେରିକା ପାଇଁ ସମ୍ପୂର୍ଣ୍ଣ ଭାବରେ ଗ୍ରହଣୀୟ ନୁହେଁ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ’ରେ ପ୍ରକାଶିତ ଏକ ବିବୃତିରେ ଟ୍ରମ୍ପ କହିଛନ୍ତି ଯେ, ଇରାନର ପ୍ରତିକ୍ରିୟା ତାଙ୍କ ଆଶା ପୂରଣ କରିନାହିଁ। ଇରାନ ଦଶନ୍ଧି ଧରି ଆମେରିକାକୁ ଭ୍ରମିତ କରୁଥିବା ଅଭିଯୋଗ କରି ଟ୍ରମ୍ପ ଲେଖିଛନ୍ତି, ଇରାନ ଗତ ୪୭ ବର୍ଷ ଧରି ଆମେରିକା ଏବଂ ସମଗ୍ର ବିଶ୍ୱ ସହିତ ‘ବିଳମ୍ବ ଖେଳ’ ଖେଳୁଛି। ସେମାନେ ଆମର ମହାନ ଦେଶ ସହ ପରିହାସ କରିଛନ୍ତି, କିନ୍ତୁ ଏବେ ସେମାନଙ୍କୁ ଆଉ ହସିବାକୁ ଦିଆଯିବ ନାହିଁ।

 

 

 

 

ସୌଜନ୍ୟ ସମ୍ବାଦ