Iran’s IRGC: ଇଣ୍ଟରନେଟ୍‌ କେବୁଲ କାଟି ଦେବାକୁ ଆଇଆରଜିସିର ଧମକ

ତେହେରାନ: ଆମେରିକା-ଇରାନ ମଧ୍ୟରେ ଯୁଦ୍ଧବିରତି ଚାଲିଥିଲେ ମଧ୍ୟ ଶାନ୍ତି ଆଲୋଚନା ବିଫଳ ହେବା ପରେ ଏହା ଆଗକୁ ଆହୁରି ଭୟଙ୍କର ହେବା ଆଶଙ୍କା କରାଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଧମକ ଦେଇ କହିଛନ୍ତି ଯେ, ଶାନ୍ତି ଚୁକ୍ତି କରିବାର ସମୟ ସରି ଆସୁଛି। ଟ୍ରମ୍ପ ଇରାନ ଯୁଦ୍ଧକୁ ପରମାଣୁ ଯୁଦ୍ଧରେ ପରିଣତ କରିବାକୁ ସେ ଚାହୁଁ ନଥିବା କହିଥିବାବେଳେ ତୃତୀୟ ଆମେରିକୀୟ ବିମାନ ବାହକ ମଧ୍ୟପ୍ରାଚ୍ୟକୁ ପଠାଇଛନ୍ତି। ଏହାସହିତ ଯୁଦ୍ଧବିରତି ପରଠାରୁ ତେହେରାନରେ ପ୍ରଥମ ଥର ବିସ୍ଫୋରଣ ‌ହୋଇଥିବା ତେହେରାନ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି। ବିସ୍ଫୋରଣର କାରଣ ଜଣାପଡ଼ିନାହିଁ। ଅନ୍ୟ ପକ୍ଷରେ ଖବର ସରବରାହ ସଂସ୍ଥା ଏଏଫପି ସୂତ୍ରରୁ ଜଣାପଡ଼ିଛି ଇସ୍ରାଏଲ ଏହି ବିସ୍ଫୋରଣ ପଛରେ ତା’ର ହାତ ଥିବା କଥାକୁ ଖଣ୍ଡନ କରିଛି।

 ସମୟ ସରି ଆସୁଛି କହିଲେ ଟ୍ରମ୍ପ

ଅନ୍ୟପକ୍ଷରେ ଇରାନ ରିଭୋଲ୍ୟୁସନାରୀ ଗାର୍ଡ଼ସ (ଆଇଆରଜିସି) ହର୍ମୁଜ ପ୍ରଣାଳୀ ଦେଇ ଯାଇଥିବା ସମୁଦ୍ର ତଳ ଡାଟା କେବୁଲ ସଂଯୋଗ କାଟିଦେବାକୁ ଧମକ ଦେଇଥିବା ଇରାନ ନ୍ୟୁଜ ଏଜେନ୍ସି ଏହାର ରିପୋର୍ଟରେ ପ୍ରକାଶ କରିଛି। ତସନିମ୍‌ ନ୍ୟୁଜ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, ଇଣ୍ଟରନେଟ୍‌ କେବୁଲ କାଟି ଦିଆଯିବା ଦ୍ବାରା ପାରସ୍ୟ ଉପସାଗରରେ ବିଭ୍ରାଟ ସୃଷ୍ଟି ହୋଇପାରେ। ପୂର୍ବରୁ ଏହି ମାର୍ଗ ଦେଇ ତୈଳ ଓ ଗ୍ୟାସ ପରିବହନ ବାଧାପ୍ରାପ୍ତ ହେବା ଯୋଗୁଁ ବିଶ୍ବରେ ଶକ୍ତି ସଙ୍କଟ ଦେଖାଦେଇଛି। ଆଗକୁ ଇଣ୍ଟରନେଟ୍‌ ସଂଯୋଗ ବିଚ୍ଛିନ୍ନ କରିବାକୁ ଧମକ ଦେଇଛନ୍ତି।

ସୌଜନ୍ୟ ସମ୍ବାଦ