Tensions: ଭାରତ ମହାସାଗରରେ ଉତ୍ତେଜନା

ତୈଳ ଟ୍ୟାଙ୍କର ଜବତ କଲା ଆମେରିକା

ନୂଆଦିଲ୍ଲୀ: ଆମେରିକୀୟ ସେନା ଇରାନ ବିରୋଧରେ ନିଜର ସାମୁଦ୍ରିକ କାର୍ଯ୍ୟାନୁଷ୍ଠାନକୁ ବହୁଗୁଣିତ କରିଛି। ଗତ ୪୮ ଘଣ୍ଟା ମଧ୍ୟରେ ଭାରତ ମହାସାଗରରେ ଦ୍ୱିତୀୟ ବଡ଼ ତୈଳ ଟ୍ୟାଙ୍କରକୁ ଆମେରିକା ଜବତ କରିଛି। ଆମେରିକା ନୌସେନାର ଏହି ପଦକ୍ଷେପ ଭାରତ ମହାସାଗରରେ ଉତ୍ତେଜନା ବଢ଼ାଇଦେଇଛି। ଭାରତୀୟ ‌ନୌସେନା ହାଇଆଲର୍ଟରେ ରହିଥିବା ବେଳେ ଚୀନ୍‌ ମଧ୍ୟ ଆମେରିକାର ପ୍ରତିଟି ଗତିବିଧି ଉପରେ ନଜର ରଖିଛି। ଗୁରୁବାର ବିଳମ୍ବିତ ରାତିରେ ଆମେରିକୀୟ ସେନା ‘ମାଜେଷ୍ଟିକ ଏକ୍ସ’  ନାମକ ଏକ ଜାହାଜକୁ କବ୍‌ଜା କରିଥିଲା। ଗୁଏନାର ପତାକା ଲଗାଇଥିବା ଏହି ବିଶାଳ ଜାହାଜଟି ଇରାନର ଅଶୋଧିତ ତୈଳ ପରିବହନ କରୁଥିଲା। ଶ୍ରୀଲଙ୍କା ଓ ଇଣ୍ଡୋନେସିଆ ମଧ୍ୟବର୍ତ୍ତୀ ଆନ୍ତର୍ଜାତୀୟ ଜଳସୀମାରେ ଏହି ଅପରେସନ କରାଯାଇଥିଲା, ଯାହା ସୂଚାଉଛି ଯେ ବର୍ତ୍ତମାନ ଏହି ନୌସେନା ସଂଘର୍ଷ ପାରସ୍ୟ ଉପସାଗର ବାହାରକୁ ମଧ୍ୟ ବ୍ୟାପିବାରେ ଲାଗିଛି।
ଏହି କାର୍ଯ୍ୟାନୁଷ୍ଠାନ ହେଉଛି ଆମେରିକାର ଚାଲିଥିବା ବ୍ୟାପକ ସାମୁଦ୍ରିକ ଅଭିଯାନର ଏକ ଅଂଶ। ଏହା ପୂର୍ବରୁ ମଙ୍ଗଳବାର ଦିନ ଏମ୍‌/ଟି ଟିଫାନି ଏବଂ ଚଳିତ ସପ୍ତାହ ଆରମ୍ଭରେ ‘ଏମ୍‌ଭି ତୋସ୍କା’ ନାମକ ଜାହାଜକୁ ଆମେରିକା ନିଜ ନିୟନ୍ତ୍ରଣକୁ ନେଇଥିଲା। ‘ମାଜେଷ୍ଟିକ ଏକ୍ସ’ ନାମକ  ଜାହାଜଟି (ଯାହା ‘ଫୋନିକ୍ସ’ ନାମରେ ମଧ୍ୟ ଜଣାଶୁଣା) ୨୦୨୪ ଶେଷ ଆଡ଼କୁ ଆମେରିକା ଦ୍ୱାରା ପ୍ରତିବନ୍ଧିତ ହୋଇଥିଲା। ଏହା ଇରାନର ତୈଳ ଚୋରା ଚାଲାଣ କରୁଥିବା ଏକ ରହସ୍ୟମୟ ଜାହାଜ ବୋଲି ଆମେରିକା ଅଭିଯୋଗ କରିଛି। ତଥ୍ୟ ଅନୁଯାୟୀ, ଏହି ଜାହାଜଟି ଚୀନ୍‌ର ଝୌଶାନ  ଅଭିମୁଖେ ଯାଉଥିଲା। ପେଣ୍ଟାଗନ ପକ୍ଷରୁ ଜାରି କରାଯାଇଥିବା ଏକ ଭିଡିଓରେ ଆମେରିକୀୟ ସେନା ଅଧିକାରୀମାନେ ଜାହାଜ ଉପରେ ଚଢ଼ୁଥିବା  ଦେଖାଯାଇଛି। ଆମେରିକା ସ୍ପଷ୍ଟ କରିଛି ଯେ ଏଭଳି ବେଆଇନ କାର୍ଯ୍ୟକଳାପକୁ  ରୋକିବା ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରହିବ।

ଅବରୋଧ ଓ ଅସ୍ତ୍ରବିରତି

ଇରାନ-ଆମେରିକା ମଧ୍ୟରେ ଅସ୍ତ୍ରବିରତି ପ୍ରକ୍ରିୟା ବଢ଼ାଇବାକୁ ଇସଲାମାବାଦରେ ପ୍ରୟାସ ଚାଲିଥିବା ବେଳେ ହର୍ମୁଜ ଅବରୋଧ ଏଥିରେ ବଡ଼ ପ୍ରତିବନ୍ଧକ ସାଜିଛି। ଅସ୍ତ୍ରବିରତିକୁ ନେଇ ପାକିସ୍ତାନର କୂଟନୀତି ବିଫଳ ହୋଇଥିବା ବେଳେ ଏଥିପାଇଁ ଇରାନ ପାକ୍‌ର ଦୋମୁହାଁ ନୀତିକୁ ଦାୟୀ କରିଛି।   ଟ୍ରମ୍ପ ପ୍ରଶାସନ ଇରାନ ଉପରୁ କୌଣସି କଟକଣା ହଟାଇବା  କିମ୍ବା ଅବରୋଧ ପ୍ରତ୍ୟାହାର କରିବାକୁ ମନା କରିଦେବା ପରେ ଇରାନ ଏବେ ନିର୍ଣ୍ଣାୟକ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛି।  ତେହେରାନ ପଶ୍ଚିମ ଦେଶଗୁଡିକ ପାଇଁ ହର୍ମୁଜ ପ୍ରଣାଳୀକୁ ପ୍ରଭାବଶାଳୀ ଭାବେ ବନ୍ଦ କରିଦେଇଛି। ଇରାନର ଅଧିକାରୀମାନେ କହିଛନ୍ତି ଯେ ଆମେରିକା ଆଜି ନେଇଥିବା ପଦକ୍ଷେପ ପୁଣି  ଯୁଦ୍ଧର ଘୋଷଣା ବୋଲି ସ୍ପଷ୍ଟ ହୋଇଯାଇଛି ।   ଇସଲାମାବାଦରେ ଚାଲିଥିବା ଶାନ୍ତି ଆଲୋଚନା ବର୍ତ୍ତମାନ ବନ୍ଦ ରହିଥିବାରୁ ଏବଂ ଆମେରିକୀୟ ନୌସେନା ହାଇ-ଆଲର୍ଟରେ ଥିବାରୁ, ସମଗ୍ର ବିଶ୍ୱ ଏବେ ପାରସ୍ୟ ଉପସାଗର ଉପରେ ନଜର ରଖିଛି।  ଆମେରିକା ପଟୁ ଯେ କୌଣସି ମୁହୂର୍ତ୍ତରେ ଅତର୍କିତ ଆକ୍ରମଣ ଆଶଙ୍କା ଥିବାରୁ ଇରାନ ସର୍ବାଧିକ ଆଲର୍ଟରେ ରହିଛି।

ଭାରତ-ଚୀନ୍‌ ବିରୋଧରେ ଟ୍ରମ୍ପଙ୍କ ‘ନର୍କ କୁଣ୍ଡ’ ମନ୍ତବ୍ୟ

ୱାସିଂଟନ ଓ  ନୂଆଦିଲ୍ଲୀ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କରେ ଏବେ ତିକ୍ତତା ଦେଖାଦେଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ବିରୋଧୀ ମନ୍ତବ୍ୟକୁ ନେଇ ଭାରତ ସରକାର ଏକ କଠୋର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱାରା ଭାରତ ଓ ଚୀନ୍‌ ବିରୋଧରେ ‘ନର୍କ କୁଣ୍ଡ’ ମନ୍ତବ୍ୟକୁ ‘ଅଜ୍ଞତାପୂର୍ଣ୍ଣ, ଅନୁପଯୁକ୍ତ ଏବଂ ରୁଚିହୀନ’ ଭାବେ ଅଭିହିତ କରି ଭାରତ ସ୍ପଷ୍ଟ କରିଛି ଯେ ସାମରିକ ଓ ରଣନୈତିକ ବନ୍ଧୁତା ସତ୍ତ୍ୱେ ଆତ୍ମସମ୍ମାନ ସହ କୌଣସି ବୁଝାମଣା କରାଯାଇପାରିବ ନାହିଁ।
ଟ୍ରୁଥ୍ ସୋସିଆଲରେ  ଭାଷ୍ୟକାର ମାଇକେଲ୍ ସାଭେଜ୍‌ଙ୍କ ଏକ  ଘୃଣାଭରା ଚିଠି ଓ  ଭିଡିଓକୁ ରାଷ୍ଟ୍ରପତି ଟ୍ରମ୍ପ ପୁନଃ ପୋଷ୍ଟ କରିବା ପରେ ଏହି ବିବାଦ ସୃଷ୍ଟି ହୋଇଥିଲା। ଏହି ପୋଷ୍ଟ ମୁଖ୍ୟତଃ ଆମେରିକାର ଜନ୍ମଗତ ନାଗରିକତା ନୀତିକୁ ଲକ୍ଷ୍ୟ କରିଥିଲେ ମଧ୍ୟ ଏହା ଭାରତୀୟ ଏବଂ ଚୀନ୍ ନାଗରିକଙ୍କ ଉପରେ ବ୍ୟକ୍ତିଗତ ଆକ୍ରମଣରେ ପରିଣତ ହୋଇଥିଲା।
ଏହି ଚିଠିରେ ଭାରତ ଓ ଚୀନ୍‌କୁ ପୃଥିବୀର ଏକ  ନର୍କ କୁଣ୍ଡ ବୋଲି କୁହାଯାଇଥିଲା ଏବଂ ଭାରତୀୟ ଆଇଟି ପେଶାଦାରମାନଙ୍କୁ  ଲ୍ୟାପଟପ୍‌ଧାରୀ ଗ୍ୟାଙ୍ଗଷ୍ଟର ଭାବେ ବର୍ଣ୍ଣନା କରାଯାଇଥିଲା, ଯେଉଁମାନେ କି ଆମେରିକାର ସଂଗଠିତ ଅପରାଧୀଙ୍କ ଅପେକ୍ଷା ଅଧିକ କ୍ଷତି ପହଞ୍ଚାଉଛନ୍ତି ବୋଲି ଅଭିଯୋଗ ହୋଇଥିଲା।
ଭାରତୀୟ ପ୍ରବାସୀମାନେ ନିଜ ପିଲାଙ୍କ ପାଇଁ ନାଗରିକତା ହାସଲ କରିବାକୁ ଆମେରିକୀୟ ଆଇନର ଅପବ୍ୟବହାର କରୁଛନ୍ତି ବୋଲି ଚିଠିରେ କୁହାଯାଇଥିଲା, ଯାହାକୁ ଭାରତୀୟ ଅଧିକାରୀମାନେ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଦର୍ଶାଇଛନ୍ତି।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ସମୟରେ କଠୋର ଶବ୍ଦ ବ୍ୟବହାର କରିଥିଲେ। ସେ କହିଥିଲେ,  ଏଭଳି ମନ୍ତବ୍ୟ ଭାରତର ପ୍ରଗତି କିମ୍ବା ତାର ବିଶ୍ୱସ୍ତରୀୟ ମର୍ଯ୍ୟାଦାର ବାସ୍ତବତାକୁ ପ୍ରତିଫଳିତ କରେ ନାହିଁ।  ଜୈସୱାଲ ଗୁରୁତ୍ୱାରୋପ କରିଥିଲେ ଯେ, ପ୍ରଯୁକ୍ତିବିଦ୍ୟା, ଅର୍ଥନୈତିକ ଅଭିବୃଦ୍ଧି ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ କ୍ଷେତ୍ରରେ ଭାରତର ସଫଳତା ସ୍ପଷ୍ଟ ଏବଂ ଏହାକୁ କୌଣସି  ଭିତ୍ତିହୀନ ଧାରଣା ଦ୍ୱାରା ମପା ଯାଇପାରିବ ନାହିଁ।
ଭାରତୀୟ ଅଧିକାରୀମାନେ ଆମେରିକାର ଅର୍ଥନୀତିରେ ଭାରତୀୟ ପ୍ରବାସୀଙ୍କ ଅବଦାନ ବିଷୟରେ ମଧ୍ୟ ମନେ ପକାଇ ଦେଇଛନ୍ତି। ତଥ୍ୟ ଅନୁଯାୟୀ, ଆମେରିକାରେ ବାସ କରୁଥିବା ଭାରତୀୟ-ଆମେରିକୀୟମାନେ ସେଠାକାର ସବୁଠାରୁ ଅଧିକ ଆୟ କରୁଥିବା ଗୋଷ୍ଠୀ ଏବଂ ସେମାନେ ସିଲିକନ୍ ଭ୍ୟାଲିର ଅଭିବୃଦ୍ଧିରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି।
ଯଦିଓ  ଟ୍ରମ୍ପ ତାଙ୍କ ବିବାଦୀୟ ପୋଷ୍ଟ ପରେ ଭାରତକୁ ଏକ  ମହାନ ଦେଶ  କହିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣେ  ଉତ୍ତମ ବନ୍ଧୁ  ଭାବେ ସମ୍ବୋଧିତ କରିଥିଲେ, କିନ୍ତୁ ଏହି  ‘ନର୍କ କୁଣ୍ଡ’  ମନ୍ତବ୍ୟ ନୂଆଦିଲ୍ଲୀ ପାଇଁ ଗ୍ରହଣୀୟ ହୋଇନାହିଁ।
ବିଶ୍ଳେଷକଙ୍କ ମତରେ, ଏଭଳି ମନ୍ତବ୍ୟ ଆଗାମୀ ଦିନରେ ପ୍ରତିରକ୍ଷା ଜ୍ଞାନକୌଶଳ ହସ୍ତାନ୍ତର ଏବଂ ଏଚ୍‌୧-ବି ଭିସା କାର୍ଯ୍ୟକ୍ରମକୁ ନେଇ ଚାଲିଥିବା ଆଲୋଚନାକୁ ଜଟିଳ କରିପାରେ।  ଆମେରିକୀୟ ଦୂତାବାସ ଏହି ସ୍ଥିତିକୁ ସୁଧାରିବାକୁ ଚେଷ୍ଟା କରୁଥିଲେ ମଧ୍ୟ  ଭାରତର କଡ଼ା ଜବାବ ସୂଚାଉଛି ଯେ ଭାରତ ନିଜର ଆତ୍ମସମ୍ମାନ ବିରୋଧରେ ଯାଉଥିବା କୌଣସି ବି ରାଜନୈତିକ ମନ୍ତବ୍ୟକୁ ଅଣଦେଖା କରିବାକୁ ପ୍ରସ୍ତୁତ ନୁହେଁ।
ଅନ୍ୟପକ୍ଷରେ ଏହି ମାମଲାରେ ତେହେରାନ ପକ୍ଷରୁ କଡ଼ା ଜବାବ ଦିଆଯାଇଛି। ଭାରତ ଏବଂ ଚୀନକୁ ସମର୍ଥନ କରି ଇରାନ ସରକାର ଏହି ଦୁଇ ଦେଶକୁ  ମାନବ ସଭ୍ୟତାର ବିକାଶଭୂମି ବୋଲି ବର୍ଣ୍ଣନା କରିଛି। ଏକ ଶାଣିତ ସମାଲୋଚନାରେ ଇରାନ ଅଧିକାରୀମାନେ ଏହି ମନ୍ତବ୍ୟକୁ ହର୍ମୁଜ ପ୍ରଣାଳୀ   ଚାରିପଟେ ଜାରି ରହିଥିବା ଆମେରିକାର ନୌସେନା ଅବରୋଧ ସହ ଯୋଡ଼ିଛନ୍ତି। ତେହେରାନ ଯୁକ୍ତି ବାଢ଼ିଛି ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କ  ବର୍ବର ଭାଷା ପ୍ରମାଣ କରୁଛି ଯେ ବର୍ତ୍ତମାନର ଅସ୍ତ୍ରବିରତି ପ୍ରକ୍ରିୟାରେ ଆମେରିକା ଏକ ବିଶ୍ୱାସଯୋଗ୍ୟ ଅଂଶୀଦାର ନୁହେଁ। ଯେ ପର୍ଯ୍ୟନ୍ତ ଆମେରିକୀୟ ଯୁଦ୍ଧ ଜାହାଜଗୁଡ଼ିକ ସେମାନଙ୍କର ବେଆଇନ  ଅବସ୍ଥିତି ବଜାୟ ରଖିଛନ୍ତି, ସେ ପର୍ଯ୍ୟନ୍ତ ହର୍ମୁଜ ଖୋଲିବା  ଅସମ୍ଭବ  ବୋଲି ଇରାନ ଘୋଷଣା କରିଛି।

ସୌଜନ୍ୟ ସମ୍ବାଦ