Israel:ଆମେରିକା-ଇରାନ ଚୁକ୍ତିକୁ ମାନିବନି ଇସ୍ରାଏଲ ଆବଶ୍ୟକ ହେଲେ ଇରାନ ଉପରେ ପୁଣି ଆକ୍ରମଣ
ଆମେରିକା-ଇରାନ ମଧ୍ୟରେ ଆଞ୍ଚଳିକ ଉତ୍ତେଜନା ହ୍ରାସ ପାଇଁ କୂଟନୈତିକ ସ୍ତରରେ ଆଲୋଚନା ଜାରି ରହିଥିବା ବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଏକ ବଡ଼ ବୟାନ ଦେଇଛନ୍ତି। ଇରାନକୁ ପରମାଣୁ ଅସ୍ତ୍ର ହାସଲ କରିବାରୁ ରୋକିବା ପାଇଁ ଇସ୍ରାଏଲ ଆବଶ୍ୟକ ପଡ଼ିଲେ ପୁଣି ଥରେ ସାମରିକ ଆକ୍ରମଣ କରିବାକୁ ପ୍ରସ୍ତୁତ ବୋଲି ସେ ଚେତାବନୀ ଦେଇଛନ୍ତି।

ତେଲ୍ ଅଭିଭ୍: ଆମେରିକା-ଇରାନ ମଧ୍ୟରେ ଆଞ୍ଚଳିକ ଉତ୍ତେଜନା ହ୍ରାସ ପାଇଁ କୂଟନୈତିକ ସ୍ତରରେ ଆଲୋଚନା ଜାରି ରହିଥିବା ବେଳେ ଇସ୍ରାଏଲପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଏକ ବଡ଼ ବୟାନ ଦେଇଛନ୍ତି। ଇରାନକୁ ପରମାଣୁ ଅସ୍ତ୍ର ହାସଲ କରିବାରୁ ରୋକିବା ପାଇଁ ଇସ୍ରାଏଲ ଆବଶ୍ୟକ ପଡ଼ିଲେ ପୁଣି ଥରେ ସାମରିକ ଆକ୍ରମଣ କରିବାକୁ ପ୍ରସ୍ତୁତ ବୋଲି ସେ ଚେତାବନୀ ଦେଇଛନ୍ତି। ଏକ ସାକ୍ଷାତକାରରେ ନେତାନ୍ୟାହୁ କହିଛନ୍ତି ଯେ ଇସ୍ରାଏଲ ପୂର୍ବରୁ ନିଜକୁ ପରମାଣୁ ବୋମା ଆକ୍ରମଣରୁ ରକ୍ଷା କରିଛି ଏବଂ ସୁରକ୍ଷା ପ୍ରତି ବିପଦ ଦେଖାଦେଲେ ତୃତୀୟ ଥର ପାଇଁ ଆକ୍ରମଣ କରିବାକୁ ପଛାଇବ ନାହିଁ।
ଆମେରିକା ଓ ଇରାନ ମଧ୍ୟରେ କତର ମଧ୍ୟସ୍ଥତାରେ ଏକ ଚୁକ୍ତିନାମା ସ୍ବାଭାବିକ ହେବାକୁ ଯାଉଥିବା ସମୟରେ ଇସ୍ରାଏଲର ଏହି ଆଭିମୁଖ୍ୟ ପରିସ୍ଥିତିକୁ ଜଟିଳ କରିଦେଇଛି। ପ୍ରସ୍ତାବିତ ଆମେରିକା-ଇରାନ ଚୁକ୍ତି ଅନୁଯାୟୀ, ଉଭୟ ପକ୍ଷ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା, ହର୍ମୁଜ ପ୍ରଣାଳୀକୁ ପୁନଃ କାର୍ଯ୍ୟକ୍ଷମ କରିବା ଏବଂ କଟକଣା କୋହଳ କରିବା ସହ ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ନିୟନ୍ତ୍ରଣ ରଖିବାକୁ ସହମତ ହୋଇଛନ୍ତି। ମାତ୍ର ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ଇସ୍ରାଏଲ ଏହି ଚୁକ୍ତିନାମା ଦ୍ବାରା ବନ୍ଧା ନୁହେଁ। ଯଦି ଇରାନର ସାମରିକ କିମ୍ବା ପରମାଣୁ କ୍ଷମତା ସମ୍ପୂର୍ଣ୍ଣ ଭାବେ ନଷ୍ଟ ନହୁଏ, ତେବେ ଇସ୍ରାଏଲ ନିଜ ସୁରକ୍ଷା ପାଇଁ ଏକପାଖିଆ ନିଷ୍ପତ୍ତି ନେବ। ଅନ୍ୟପଟେ ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପ ଏହି ପ୍ରସଙ୍ଗରେ ଇସ୍ରାଏଲକୁ ସଂଯମତା ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି। ଟ୍ରମ୍ପ ଚେତାବନୀ ଦେଇ କହିଛନ୍ତି ଯେ ଯଦି ଇସ୍ରାଏଲ ପୁଣି ଥରେ ବଡ଼ ଧରଣର ଆକ୍ରମଣ କରେ, ତେବେ ଏହା ଅନ୍ତର୍ଜାତୀୟ ସ୍ତରରେ ଏକଘରିକିଆ ହୋଇଯାଇପାରେ ଏବଂ ଆମେରିକା ମଧ୍ୟ ତାର ସାମରିକ ସହାୟତା ବନ୍ଦ କରିପାରେ।
ଏହି ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଦକ୍ଷିଣ ଲେବାନନର ଇସ୍ରାଏଲ ନିୟନ୍ତ୍ରଣରେ ଥିବା ଅଞ୍ଚଳ ପରିଦର୍ଶନ କରି ସେନା ବାହିନୀକୁ ଉଦ୍ବୋଧନ ଦେଇଛନ୍ତି। ସେ କହିଛନ୍ତି ଯେ ପରିସ୍ଥିତି ସ୍ବାଭାବିକ ନହେବା ପର୍ଯ୍ୟନ୍ତ ଏବଂ ହେବଜବୁଲ୍ଲାର ସମ୍ପୂର୍ଣ୍ଣ ମୂଳପୋଛ ନହେବା ପର୍ଯ୍ୟନ୍ତ ଇସ୍ରାଏଲ ସେନା ଦକ୍ଷିଣ ଲେବାନନ ଛାଡ଼ିବ ନାହିଁ।
ସୌଜନ୍ୟ ସମ୍ବାଦ




