Jatra pandal tension : ଯାତ୍ରା ପେଣ୍ଡାଲରେ ଉତ୍ତେଜନା, ‘ଲଭ୍ ଜିହାଦ୍’ ନାଟକ ମଞ୍ଚସ୍ଥ ବେଳେ ଚେୟାର ଓ ବୋତଲ ମାଡ଼

ସୁବର୍ଣ୍ଣପୁର, ୨୬/୯ : ସୁବର୍ଣ୍ଣପୁର ଯାତ୍ରା ପେଣ୍ଡାଲରେ ଉତ୍ତେଜନା । ‘ଲଭ୍ ଜିହାଦ୍’ ନାଟକ ଚାଲିଥିବା ବେଳେ କଳାକାରଙ୍କ ଉପରକୁ ଚେୟାର ଓ ବୋତଲ ମାଡ଼ । ଡୁଙ୍ଗୁରୀପାଲି ବ୍ଲକ ଅନ୍ତର୍ଗତ ଏସ୍. ରାମପୁରଠାରେ ଚାଲିଥିବା ଯାତ୍ରା ମଞ୍ଚରେ ଏଭଳି ଅପ୍ରୀତିକର ଘଟଣା ଘଟିଛି । ‘ଧଉଳି ଅପେରା’ ପକ୍ଷରୁ ‘ଲଭ୍ ଜିହାଦ୍’ ଶୀର୍ଷକ ନାଟକ ପରିବେଷଣ କରାଯାଉଥିବା ସମୟରେ ଅଚାନକ ଦର୍ଶକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।
ନାଟକର କୌଣସି ଏକ ଦୃଶ୍ୟକୁ ନେଇ କିଛି ଦର୍ଶକ ଅସନ୍ତୋଷ ପ୍ରକାଶ କରିବା ସହ ହଠାତ୍ ଉତ୍ତେଜିତ ହୋଇପଡ଼ିଥିଲେ । ଉତ୍ତେଜିତ ଦର୍ଶକମାନେ ଯାତ୍ରା ପେଣ୍ଡାଲ୍ ଆଡ଼କୁ ଚେୟାର, ପାଣି ବୋତଲ ଏବଂ ଅନ୍ୟାନ୍ୟ ଜିନିଷ ଫିଙ୍ଗିବା ଆରମ୍ଭ କରିଦେଇଥିଲେ । ଏହି ଆକ୍ରମଣ ଯୋଗୁଁ ମଞ୍ଚ ଉପରେ ଅଭିନୟ କରୁଥିବା କଳାକାରମାନେ କିଛି ସମୟ ପାଇଁ ଛାନିଆ ହୋଇପଡ଼ିଥିଲେ । କେତେକ ଉତ୍ତେଜିତ ଦର୍ଶକ ମଞ୍ଚ ଉପରକୁ ବି ଚଢ଼ି ଯାଇଥିଲେ । ଯାହାଫଳରେ ପରିସ୍ଥିତି ଅଧିକ ସଂବେଦନଶୀଳ ହୋଇପଡ଼ିଥିଲା । ଘଟଣା ସମ୍ପର୍କରେ ଖବର ପାଇ ଅପେରା ଆୟୋଜକ କମିଟିର ସଦସ୍ୟମାନେ ତୁରନ୍ତ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ । କମିଟିର ବରିଷ୍ଠ ସଦସ୍ୟଙ୍କ ହସ୍ତକ୍ଷେପ ଏବଂ ମଧ୍ୟସ୍ଥତା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।
ସୌଜନ୍ୟ ପ୍ରମେୟ




