ଖୁବ୍ଶୀଘ୍ର ପଥଚାରୀ ସୁରକ୍ଷା ନିୟମ-୨୦୨୬: ଏଣିକି କଣ୍ଟାମୁକ୍ତ ହେବ ପଥଚାରୀଙ୍କ ପଥ, ସ୍କୁଲ୍ ଜୋନ୍ରେ ଯାନବାହନର ବେଗରେ ଲାଗିବ ଲଗାମ୍

ଭୁବନେଶ୍ୱର,୨୬/୦୯: ଏଣିକି ପଥଚାରୀଙ୍କ ପଥରେ କେହି କଣ୍ଟା ସାଜିବେନି କି ଦୁର୍ଘଟଣାରେ ପଥଚାରୀଙ୍କ ଜୀବନ ଯିବନି । କେବଳ ରାଜଧାନୀରେ ନୁହେଁ, ଜାତୀୟ ଓ ରାଜ୍ୟ ରାଜପଥରେ ମଧ୍ୟ ପଥଚାରୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରାକ୍ ରହିବ । ଫୁଟ୍ପାଥ୍ରୁ ହଟିବ ଜବରଦଖଲ । ଭଙ୍ଗା ସ୍ଲାବ୍ କିମ୍ବା ଖୋଲା ଡ୍ରେନ୍କୁ ମରାମତି କରାଯିବ । ରାସ୍ତାରେ ପଥଚାରୀଙ୍କ ସୁରକ୍ଷାକୁ ନେଇ ଏଭଳି ଏକ ସ୍ୱତନ୍ତ୍ର ନିୟମାବଳୀ ଆଣିବାକୁ ଯାଉଛନ୍ତି ସରକାର । ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଗୁରୁବାର “ଓଡ଼ିଶା ପଥଚାରୀ ସୁରକ୍ଷା ନିୟମ ୨୦୨୬’ର ଚିଠା ପ୍ରକାଶ ପାଇଛି ।
ପୁଲିସର ତଥ୍ୟ ମୁତାବକ, ୨୦୨୪ ମସିହାରେ ଦୁର୍ଘଟଣା ଯୋଗୁ ୭୩୫ଜଣ ପଥଚାରୀଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରୁ ୧୪୩ଜଣ ମହିଳା ଥିଲେ । କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ‘ଭାରତରେ ସଡ଼କ ଦୁର୍ଘଟଣା’ ରିପୋର୍ଟ ଅନୁସାରେ, ୨୦୨୨ ମସିହାରେ ଓଡି଼ଶାରେ ଦୁର୍ଘଟଣାରୁ ୮୦୦ ପଥଚାରୀ ମରିଥିଲେ । ସାଇକେଲ ଧକ୍କାରେ ୨୦ଜଣ ପଥଚାରୀଙ୍କ ମୃତ୍ୟୁ ଘଟିଥିଲା । ଯାହାକି, ସାରା ଦେଶରେ ସବୁଠୁ ଅଧିକ ଥିଲା । ସେଥିପାଇଁ ନୂଆ ନିୟମ ଆଣିବାକୁ ସରକାର ଜୋର୍ ଦେଇଛନ୍ତି ।
ନୂତନ ନିୟମାବଳୀରେ ସ୍କୁଲ୍ ଜୋନ୍ରେ ଯାନବାହନର ବେଗ ନିୟନ୍ତ୍ରଣକୁ ଗୁରୁତ୍ୱ ଦିଆଯାଇଛି । ସହରାଞ୍ଚଳ ଓ ଗ୍ରାମାଞ୍ଚଳର ବସତି ଅଞ୍ଚଳର ସ୍କୁଲ୍ ଜୋନ୍ରେ ଗାଡ଼ିର ସର୍ବାଧିକ ବେଗ ୨୫ କିମି ପ୍ରତି ଘଣ୍ଟା ରହିବ । ରାଜପଥ କିମ୍ବା ପ୍ରମୁଖ ଗ୍ରାମୀଣ ରାସ୍ତାରେ ସ୍କୁଲ୍ ଥିଲେ, ବେଗ ସୀମା ୪୦ କିମି ପ୍ରତି ଘଣ୍ଟାରେ ସୀମିତ ରହିବ । ସ୍କୁଲ୍ ଓ ହସ୍ପିଟାଲ୍ ଜୋନ୍ରେ ଫୁଟ୍ ପାଥ୍, ପଥଚାରୀ କ୍ରସିଂ, ସତର୍କ ସୂଚନା, ବେଗ ସୀମା ସୂଚକ ଏବଂ ଟ୍ରାଫିକ୍ ଗତି ନିୟନ୍ତ୍ରଣକାରୀ ବ୍ୟବସ୍ଥା ରହିବ ।
ଜବରଦଖଲମୁକ୍ତ ଫୁଟ୍ପାଥ୍ ପାଇଁ ଚିଠା ନିୟମରେ କଡ଼ା ବ୍ୟବସ୍ଥା କରାଯାଇଛି । ଫୁଟ୍ପାଥ୍, ଜେବ୍ରା କ୍ରସିଂ ଓ ସାଇକେଲ୍ ଟ୍ରାକ୍ରେ କୌଣସିମତେ ନିର୍ମାଣ ଆବର୍ଜନା, ବିଜ୍ଞାପନ ଓ କେବୁଲ୍ ରଖିପାରିବେନି । ନିର୍ଦ୍ଧାରିତ ସ୍ଥାନ ବ୍ୟତୀତ ଫୁଟ୍ପାଥ୍ରେ ଗାଡ଼ି ଚଳାଇବା, ପାର୍କିଂ କରିବା ମନା । ନିୟମ ଉଲ୍ଲଂଘନ କଲେ, ପୁଲିସ ଓ ପ୍ରଶାସନ ଗାଡ଼ି ଓ ଅବରୋଧକୁ ତୁରନ୍ତ ହଟାଇବ । ସହରର ମୁଖ୍ୟ ରାସ୍ତା, ଅଧିକ ପଥଚାରୀ ଚଳାଚଳ କରୁଥିବା କରିଡର୍ ଏବଂ ଆବାସିକ ଅଞ୍ଚଳ ଦେଇ ଲମ୍ବିଥିବା ରାଜପଥର ଉଭୟ ପାଶ୍ୱ ର୍ରେ ସ୍ୱତନ୍ତ୍ର ଫୁଟପାଥ୍ ନିର୍ମାଣ ହେବ । ଫୁଟପାଥ୍ଟି ସମତଳ, ମଜଭୁତ, ଖସଡ଼ା-ମୁକ୍ତ ରହିବ । ରାସ୍ତା ନିର୍ମାଣ, ମରାମତି ବେଳେ ମଧ୍ୟ ଅତିକମ୍ରେ ୧.୫ ମିଟର ଓସାରର ଏକ ଅସ୍ଥ ।ୟୀ ପଥଚାରୀ ରାସ୍ତା ରଖିବା ଆବଶ୍ୟକ ।
ଜେବ୍ରା କ୍ରସିଂରେ ପଥଚାରୀଙ୍କୁ ପ୍ରାଥମିକତା ଦିଆଯାଇଛି । ଯେଉଁଠି ଟ୍ରାଫିକ୍ ସିଗନାଲ୍ କାମ କରୁନି କିମ୍ବା ସିଗନାଲ ନାହିଁ, ସେଠାରେ ଚିହ୍ନିତ ଜେବ୍ରା କ୍ରସିଂ ଦେଇ ରାସ୍ତା ପାର୍ ହେଉଥିବା ପଥଚାରୀ ଓ ସାଇକେଲ୍ ଚାଳକଙ୍କୁ ଆଗେ ବାଟ ଛାଡି଼ ଦିଆଯିବ । ପଥଚାରୀଙ୍କୁ ରାସ୍ତା ଦେବାକୁ ଗୋଟିଏ ଗାଡ଼ି ଅଟକିଥିଲେ, ଅନ୍ୟ ଗାଡ଼ି ଓଭରଟେକ୍ କରିପାରିବନି । ସାଇକେଲ୍ କିମ୍ବା ଅନ୍ୟ ଅଣମୋଟରଚାଳିତ ଯାନକୁ ଓଭରଟେକ୍ କରିବା ସମୟରେ ଗାଡ଼ି ଚାଳକଙ୍କୁ ସାଧାରଣତଃ ଅତି କମ୍ ୧.୫ ମିଟର ଦୂରତା ରଖିବାକୁ ପଡ଼ିବ ।
ସୌଜନ୍ୟ ପ୍ରମେୟ




