Judgement: ନିଟ୍ ଆନ୍ଦୋଳନରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗ; ଉଚ୍ଚସ୍ତରୀୟ କମିଟି ଗଠନ କରିବେ ସୁପ୍ରିମକୋର୍ଟ
ଦିଲ୍ଲୀରେ ନିଟ୍ ପ୍ରଶ୍ନପତ୍ର ଲିକ୍କୁ ନେଇ ଆନ୍ଦୋଳନ କରୁଥିବା ଛାତ୍ରଙ୍କ ଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗର ତଦନ୍ତ ପାଇଁ ମଙ୍ଗଳବାର ସୁପ୍ରିମକୋର୍ଟ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବେ ବୋଲି ପ୍ରକାଶ କରିଛନ୍ତି।

ନୂଆଦିଲ୍ଲୀ: ଦିଲ୍ଲୀରେ ନିଟ୍ ପ୍ରଶ୍ନପତ୍ର ଲିକ୍କୁ ନେଇ ଆନ୍ଦୋଳନ କରୁଥିବା ଛାତ୍ରଙ୍କ ଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗର ତଦନ୍ତ ପାଇଁ ମଙ୍ଗଳବାର ସୁପ୍ରିମକୋର୍ଟ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବେ ବୋଲି ପ୍ରକାଶ କରିଛନ୍ତି। ଏହି ପ୍ୟାନେଲରେ ଅବସରପ୍ରାପ୍ତ ବିଚାରପତି, ଜଣେ ପୂର୍ବତନ ଡିଜିପି, ଜଣେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଏବଂ ଅନ୍ୟ ସଦସ୍ୟମାନେ ସାମିଲ ହେବେ। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗ୍ଚୀ ଏବଂ ବିଚାରପତି ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, କମିଟିରେ ଅନ୍ୟ ସଦସ୍ୟଙ୍କୁ ସାମିଲ କରିବା ପାଇଁ ବିଭିନ୍ନ ପକ୍ଷଙ୍କ ଠାରୁ ପ୍ରସ୍ତାବ ମିଳିବା ପରେ ଏ ସମ୍ପର୍କିତ ଆଦେଶ ଜାରି କରାଯିବ।
ଉଲ୍ଲେଖଯୋଗ୍ୟ, ଗତ ଜୁଲାଇ ୨୦ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ସଂସଦ ଅଭିଯାନ ଶୋଭାଯାତ୍ରା ସମୟରେ ହୋଇଥିବା ହିଂସାକାଣ୍ଡର ଭିଡିଓ ଫୁଟେଜ ଏବଂ ସିସିଟିଭି ରେକର୍ଡିଂ ଯାଞ୍ଚ ପାଇଁ ଏହି ଉଚ୍ଚସ୍ତରୀୟ କମିଟିକୁ ତାହା ହସ୍ତାନ୍ତର କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେବେ।
ଅପରପକ୍ଷରେ, ଦିଲ୍ଲୀ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ବିକ୍ଷୋଭ ଶୋଭାଯାତ୍ରା ବେଳେ ଯେଉଁ ମହିଳା ଆନ୍ଦୋଳନକାରୀଙ୍କୁ ଟାର୍ଗେଟ କରାଯାଇଥିବା ଅଭିଯୋଗ ହୋଇଛି, ସେହି ସମସ୍ତ ଅଭିଯୋଗର ମଧ୍ୟ ଏହି ପ୍ୟାନେଲ ଯାଞ୍ଚ କରିବ। ଏଥିସହିତ ସଂପୃକ୍ତ ଛାତ୍ରଙ୍କ ବିରୋଧରେ ରୁଜୁ ହୋଇଥିବା ଏଫ୍ଆଇଆର୍ଗୁଡିକୁ ରଦ୍ଦ କରିବା ପାଇଁ ଖଣ୍ଡପୀଠ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ସବିଶେଷ ତଥ୍ୟ ମାଗିଛନ୍ତି। ଯଦ୍ଦ୍ୱାରା ଅଦାଲତ ସମ୍ବିଧାନର ଧାରା ୧୪୨ ଅନ୍ତର୍ଗତ ନିଜର ସମ୍ପୂର୍ଣ୍ଣ କ୍ଷମତାର ପ୍ରୟୋଗ କରିପାରିବେ।
ସୌଜନ୍ୟ ସମ୍ବାଦ




