ରାଜ୍ୟ

Kalinganagar Worker Accident: ବର୍ଜ୍ୟକୁଣ୍ଡରେ ପଡ଼ି ଶ୍ରମିକ ଦୁର୍ଦ୍ଦଶାର ତନାଘନା କଲେ ଶ୍ରମ ଆଯୁକ୍ତ

'ସମ୍ବାଦ ଡିଜିଟାଲ' ରେ ଗତ ଅକ୍ଟୋବର ୨୭ ତାରିଖରେ ପ୍ରକାଶିତ ଖବର ‘ରାମକି କେମିକାଲ କୁଣ୍ଡରେ ପଡ଼ି ଶ୍ରମିକ ରୋଗଣା, ଔଷଧ ଓ ପେଟ ଚିନ୍ତାରେ ଦୁର୍ଦ୍ଦଶା ଦୁର୍ବିଷହ’କୁ ନେଇ ତନାଘନା କରିଛନ୍ତି ପ୍ରଭାଗୀୟ ଶ୍ରମ ଆଯୁକ୍ତ...

କାଳିଆପାଣି (ରବି ନାରାୟଣ କର): ‘ସମ୍ବାଦ ଡିଜିଟାଲ‘ ରେ ଗତ ଅକ୍ଟୋବର ୨୭ ତାରିଖରେ ପ୍ରକାଶିତ ଖବର ‘ରାମକି କେମିକାଲ କୁଣ୍ଡରେ ପଡ଼ି ଶ୍ରମିକ ରୋଗଣା, ଔଷଧ ଓ ପେଟ ଚିନ୍ତାରେ ଦୁର୍ଦ୍ଦଶା ଦୁର୍ବିଷହ’କୁ ନେଇ ତନାଘନା କରିଛନ୍ତି ପ୍ରଭାଗୀୟ ଶ୍ରମ ଆଯୁକ୍ତ(ଡିଏଲସି) ସତ୍ୟ ନାରାୟଣ ଆଚାର୍ଯ୍ୟ। ନୋଟିସ ନମ୍ବର ୬୮୭୭/ଡିଏଲସି/୧୭-୧୧-୨୬ ଆଧାରରେ ସୁକିନ୍ଦା ତହସିଲ ଦୁଧୁଯୋରୀ ପଞ୍ଚାୟତ କଞ୍ଚିଛୁଆସ୍ଥିତ ଓଡ଼ିଶା ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପର ମୁଖ୍ୟ ଓ ମାନବ ସମ୍ବଳ ଯୋଗାଣକାରୀ ଠିକାଦାର ଏସଏମସି କମ୍ପାନିର ପରିଚାଳନା ନିର୍ଦ୍ଦେଶକଙ୍କୁ ୧୩ ଟି ପ୍ରସଙ୍ଗରେ ଉତ୍ତର ରଖିବାକୁ ସମନ କରିଛନ୍ତି।

ଅସାଵଧାନତାରୁ ଗୋଡ଼ ଖସିଯାଇ କମ୍ପାନିର ବିଷାକ୍ତ ବର୍ଜ୍ୟକୁଣ୍ଡରେ ପଡ଼ି ରୋଗଗ୍ରସ୍ତ ହୋଇଥିବା ଠିକା ଶ୍ରମିକ ନକୁଳ ତିରିଆଙ୍କୁ କ୍ଷତି ପୂରଣ ସହାୟତା ରାଶି, ପୁନଃ ନିଯୁକ୍ତି ଓ ନ୍ୟାୟ ପ୍ରଦାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଡିଏଲସି ଶ୍ରୀ ଆଚାର୍ଯ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଡିଏଲସିଙ୍କ ତନାଘନା ପରେ ସାଧାରଣ ଶ୍ରମିକଙ୍କ ପ୍ରତି କମ୍ପାନି କର୍ତ୍ତ୍ରୁପକ୍ଷ ଚରମ ଅବହେଳା, ଉଦାସୀନତା ଓ ଶ୍ରମିକମାରଣ ନୀତି ପଦାରେ ପଡ଼ିଯାଇଛି।

କାରଖାନା ପରିସରର ବର୍ଜ୍ୟକୁଣ୍ଡରେ ଖସି ପଡ଼ିବାର ସମ୍ଭାବନା ନାହିଁ କହି ଠିକାସଂସ୍ଥା ପ୍ରସଙ୍ଗ ଫାଙ୍କିଦେବା ଉଦ୍ୟମ କରୁଥିଲା। ହେଲେ ସହକର୍ମୀଙ୍କ ପକ୍ଷରୁ ବର୍ଜ୍ୟକୁଣ୍ଡରୁ ନକୁଳଙ୍କୁ ଉଦ୍ଧାର ସମୟର ଫଟୋଚିତ୍ର ଓ ଭିଡିଓ ନିଯୁକ୍ତିଦାତାଙ୍କୁ ହରଡ଼ଘଣାରେ ପକାଇ ଦେଇଛି। ଦୁର୍ଘଟଣାରୁ ରୋଗଗ୍ରସ୍ତ ଶ୍ରମିକଙ୍କୁ ଇଏସଆଇ ହସ୍ପିଟାଲରେ ଚିକିତ୍ସା କରାଇବା ନିୟମ ଥିଲେ ହେଁ ତାଙ୍କୁ ସେଠାକୁ ନିଆଯାଇ କେବଳ ରକ୍ତ ପରୀକ୍ଷଣ ପରେ ଆଉ କିଛି ସ୍ୱାସ୍ଥ୍ୟସେବା କିମ୍ବା ଚିକିତ୍ସା ସହାୟତା ଯୋଗାଇ ଦିଆଯାଇ ନଥିଲା ବୋଲି ନକୁଳ ଅଭିଯୋଗ କରନ୍ତି। ବାଧ୍ୟହୋଇ ନକୁଳ ତାଙ୍କ ଜମିବାଡ଼ି ବନ୍ଧା ପକାଇ ଏକ ଘରୋଇ ହସ୍ପିଟାଲରେ ୧ ଲକ୍ଷ ୨୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ ହେଁ ରୋଗ କମୁନଥିବା କହିଛନ୍ତି। ଡିଏଲସିଙ୍କ ତନାଘନା ପରେ ବି ସହାୟତା ପରିବର୍ତ୍ତେ ବିଭାଗୀୟ ସୁପରଭାଇଜର ଅମର କୁମାର ବେହୁରା ନକୁଳଙ୍କୁ ଫୋନ କରି କମ୍ପାନି ନାଁରେ କାହିଁକି ଲେବର କେସ କଲୁ ବୋଲି ଓଲଟା ଧମକ ଦେଇଥିଲେ।

ନିରୀହ ଆଦିବାସୀ ଶ୍ରମିକ ନକୁଳ କେସ ସମ୍ପର୍କରେ କିଛି ଜାଣି ନଥିବା ଦର୍ଶାଇଥିଲେ ହେଁ ନିଯୁକ୍ତିଦାତା ତାଙ୍କ ଗୁହାରି ଶୁଣିବାକୁ ପ୍ରସ୍ତୁତ ନଥିଲେ। ରୋଗମୁକ୍ତ ହୋଇ ବଞ୍ଚି ରହିବାକୁ ହେଲେ ଡାକ୍ତରଙ୍କ ପରାମର୍ଶ ଆଧାରରେ ଦୈନିକ ତାଙ୍କୁ ୨୧୦ ଟଙ୍କା ମୂଲ୍ୟର ନିର୍ଦ୍ଧାରିତ ବଟିକା(ଉପାଡାଜେନ-୪୫) ସେବନ ଅନିବାର୍ଯ୍ୟ ଥିଲେ ହେଁ ଔଷଧ କିଣିବାକୁ ତାଙ୍କ ପାଖରେ ଟଙ୍କାଟିଏ ବି ସମ୍ବଳ ନଥିବା ନକୁଳ କହନ୍ତି। ଘରର ଏକମାତ୍ର ରୋଜଗାରିଆ ସଦସ୍ୟ ରୋଗଗ୍ରସ୍ତ ହୋଇ ବସି ହାତବାନ୍ଧି ବସି ରହିବାରେ ଅଭାବ ଅନଟନରୁ ତାଙ୍କ ୫ ଜଣିଆ ଗରିବ ପରିବାର ଉଜୁଡ଼ି ଯିବାକୁ ବସିଥିବା କୁହାଯାଇଛି। ଏଣୁ କମ୍ପାନି କର୍ତ୍ତ୍ରୁପକ୍ଷ ଓ ନିଯୁକ୍ତିଦାତା ତାଙ୍କୁ ଚିକିତ୍ସା ସହାୟତା ସହ ରୋଜଗାର ପାଇଁ ପୁନଃ ନିଯୁକ୍ତି ଦାବି କରିଛନ୍ତି। ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ତାଙ୍କ ଦୁଃଖ ଶୁଣିବାକୁ ସେ ନେହୁରା ହୋଇଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button