Major Robbery Plot Foiled ବହଳଦାରେ ବଡ଼ ଡକାୟତି ଯୋଜନା ପଣ୍ଡ, ୯ ପେଷାଦାର ଅପରାଧୀ ଗିରଫ
ମୟୂରଭଞ୍ଜର ବହଳଦାରେ ପୁଲିସର ଦୁଇଟି ଚଢ଼ାଉରେ ଡକାୟତି ଯୋଜନା ପଣ୍ଡ ହୋଇଛି। ୯ ଜଣ ଅଭିଯୁକ୍ତ ଗିରଫ ସହ ବନ୍ଧୁକ, ଗୁଳି, ଖଣ୍ଡା, ଗାଡ଼ି ଓ ଅନ୍ୟ ସାମଗ୍ରୀ ଜବତ ହୋଇଛି।

ରାଇରଙ୍ଗପୁର/ବହଳଦା: ବହଳଦା ଅଞ୍ଚଳରେ ଦୁଇଟି ପୃଥକ ସ୍ଥାନରେ ପୁଲିସ ଟିମ୍ ସମନ୍ବିତ ଭାବେ ଚଢ଼ାଉ କରି ଡକାୟତି ଉଦ୍ୟମକୁ ପଣ୍ଡ କରିଛନ୍ତି। ଏହି ଚଢ଼ାଉରେ ବିଭିନ୍ନ ଅପରାଧିକ ମାମଲାରେ ଜଡ଼ିତ ଥିବା ୯ ଜଣ ପେଷାଦାର ଅପରାଧୀଙ୍କୁ ଗିରଫ କରାଯାଇଛି।
ଆଜି (ରବିବାର) ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ସୂଚନା ଦେଇଛି। ଏହି ସମ୍ମିଳନୀରେ ରାଇରଙ୍ଗପୁର ଏସଡିପିଓ ବିରେନ୍ଦ୍ର ସେନାପତି, ରାଇରଙ୍ଗପୁର ଟାଉନ୍ ଥାନା ଅଧିକାରୀ ରଞ୍ଜନ କୁମାର ସେଠି, ବହଳଦା ଥାନା ଅଧିକାରୀ ଭାସ୍କର ପ୍ରଧାନ, ଜାମଦା ଥାନା ଅଧିକାରିଣୀ ସାବିତ୍ରୀ ଦୋଳେଇ ଏବଂ ବିଭିନ୍ନ ଥାନାର ପୁଲିସ ଅଧିକାରୀ ଉପସ୍ଥିତ ଥିଲେ ।
ସୂଚନାନୁସାରେ, ୧୦ ଅକ୍ଟୋବର ରାତି ପ୍ରାୟ ୧୧ଟା ୩୦ ମିନିଟ୍ ସମୟରେ ଗମ୍ଭାରିଆ ରାବଣ ପୋଡ଼ି ପଡ଼ିଆ ନିକଟ ଏକ ନିଛାଟିଆ ସ୍ଥାନରେ କିଛି ଦୁର୍ବୃତ୍ତଙ୍କ ସନ୍ଦେହଜନକ ଚଳପ୍ରଚଳ ନେଇ ପୁଲିସକୁ ସୂଚନା ମିଳିଥିଲା। ପୁଲିସର ଏକଟିମ୍ ଯୋଜନାବଦ୍ଧ ଭାବେ ଘେରାବନ୍ଦୀ କରି ୭ଜଣ ଦୁର୍ବୃତ୍ତଙ୍କୁ ଧରିଥିଲା। ଅନ୍ୟ ଏକ ଚଢ଼ାଉରେ, ବହଳଦା ଥାନାର ପୂର୍ବ କେସ୍ (କେସ୍ ନଂ- ୧୭୪/୨୬ ରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତ ବେଆଇନ ମାରଣାସ୍ତ୍ର ଧରି ଗମ୍ଭାରିଆ ଗୁଡ଼ିଆ ନଦୀ କୂଳରେ ତା’ର ସହଯୋଗୀମାନଙ୍କୁ ଅପେକ୍ଷା କରୁଥିବା ବେଳେ ଏସଆଇ ଅନନ୍ତ ଦାସଙ୍କ ଟିମ୍ ଚଢ଼ାଉ କରି ଧରିଥିଲେ।
ସୌଜନ୍ୟ ସମ୍ବାଦ




