UNGA India-Pakistan: ଶେହବାଜଙ୍କ ବୟାନ ପରେ UNରେ ଗର୍ଜିଲା ଭାରତ, ଓସାମା ବିନ୍ ଲାଦେନ୍ ପ୍ରସଙ୍ଗ ଉଠାଇଲା

ନୂଆଦିଲ୍ଲୀ, ୨୬।୯: ଜାତିସଂଘ ମହାସଭାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ବକ୍ତବ୍ୟର କଡ଼ା ଜବାବ ଦେଇଛି ଭାରତ । ଜାତିସଂଘରେ ଭାରତୀୟ ସ୍ଥାୟୀ ମିଶନର ପ୍ରଥମ ସଚିବ ପେଟଲ ଗେହଲୋତ ‘ରାଇଟ୍ ଟୁ ରିପ୍ଲାଏ’ ବ୍ୟବହାର କରି ପାକିସ୍ତାନର ଆତଙ୍କବାଦୀ ମାନସିକତା ଏବଂ ଦ୍ୱିମୁଖୀ ନୀତିକୁ ଜୋରଦାର ପର୍ଦ୍ଦାଫାଶ କରିଛନ୍ତି । ବାରମ୍ବାର ମିଛ କହିଲେ ତାହା ସତ ହୋଇଯାଏ ନାହିଁ ବୋଲି ସେ ପାକିସ୍ତାନକୁ କଡ଼ା ଚେତାବନୀ ଦେବା ସହ ୯/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ଓସାମା ବିନ୍ ଲାଦେନ୍ ପ୍ରସଙ୍ଗ ଉଠାଇଛନ୍ତି । ୯/୧୧ ଆକ୍ରମଣର ୨୫ ବର୍ଷ ପୂର୍ତ୍ତି ପାଳନ ସମୟରେ ପେଟଲ ଗେହଲୋତ କହିଛନ୍ତି ଯେ, ଏହି ଭୟଙ୍କର ଆକ୍ରମଣର ମାଷ୍ଟରମାଇଣ୍ଡ ଓସାମା ବିନ୍ ଲାଦେନ୍ ପାକିସ୍ତାନର ଏବଟାବାଦରେ, ସେଠାକାର ସେନା ଏକାଡେମୀ ନିକଟରେ ଲୁଚି ରହିଥିଲା । ଯାହା ପାକିସ୍ତାନର ଆତଙ୍କବାଦୀ ସଂପୃକ୍ତିକୁ ସ୍ପଷ୍ଟ ପ୍ରମାଣିତ କରେ ।
ପାକିସ୍ତାନର ସରକାରକୁ ସେଠାକାର ଜନସାଧାରଣ ନିଜେ ‘ଫର୍ମ 47 ସରକାର’ ବୋଲି କହୁଛନ୍ତି ବୋଲି କହି ଭାରତୀୟ କୂଟନୀତିଜ୍ଞ ପାକିସ୍ତାନୀ ଶାସକଙ୍କୁ କଟାକ୍ଷ କରିଛନ୍ତି । ସେଠାରେ କେବଳ ସେନାର ହିଁ ରାଜ୍ ଚାଲେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ପାକିସ୍ତାନ ନେତାମାନେ ଦିନରେ ଶାନ୍ତିର କଥା କହୁଥିବା ବେଳେ ରାତିରେ ସୀମାପାର୍ ଆତଙ୍କବାଦକୁ ପ୍ରଶ୍ରୟ ଦେଉଛନ୍ତି । ଏହାଛଡ଼ା, ସେଠାରେ ସଂଖ୍ୟାଲଘୁ ଏବଂ ମୌଳିକ ଅଧିକାରର ଅବସ୍ଥା କିପରି ଅତି ଶୋଚନୀୟ, ତାହା ସମଗ୍ର ବିଶ୍ୱ ଜାଣେ ବୋଲି ଗେହଲୋତ କହିଛନ୍ତି । କାଶ୍ମୀର ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ରଖି ଭାରତ କହିଛି ଯେ, ଜମ୍ମୁ-କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଏବଂ ସବୁବେଳେ ରହିବ । ଯଦି କାଶ୍ମୀର ବିଷୟରେ କହିବାର ଅଛି, ତେବେ ପାକିସ୍ତାନ ଅଧିକୃତ କାଶ୍ମୀରର ରାୱଲକୋଟର ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାର ବିଷୟରେ ପାକିସ୍ତାନ କହୁ । ଭାରତ ସ୍ପଷ୍ଟ କରିଛି ଯେ, ସୀମାପାର୍ ଆତଙ୍କବାଦ ବିରୁଦ୍ଧରେ ଆମେ ଆତ୍ମରକ୍ଷା କରିବାକୁ ସମ୍ପୂର୍ଣ୍ଣ ସକ୍ଷମ । ଆତଙ୍କବାଦୀଙ୍କ ପାଇଁ କୌଣସି ସ୍ଥାନରେ ଲୁଚିବାକୁ ଜାଗା ମିଳିବ ନାହିଁ ଏବଂ ପାକିସ୍ତାନକୁ ଏହାର ବଡ଼ ପରିଣାମ ଭୋଗିବାକୁ ପଡ଼ିବ । ଶେଷରେ, ପାକିସ୍ତାନର ମିଛ ଓ ଦ୍ୱିମୁଖୀ ନୀତି ଆଉ ଦୁନିଆକୁ ବେଶୀ ଦିନ ଭ୍ରମିତ କରିପାରିବ ନାହିଁ ବୋଲି କହି ଭାରତ ଜାତିସଂଘରେ ପାକିସ୍ତାନର ଅସଲ ଚେହେରାକୁ ପଦାରେ ପକାଇଛି ।
ସୌଜନ୍ୟ ପ୍ରମେୟ




