Student Union Election: ପ୍ରଚାରର ଶେଷ ଦିନରେ କମ୍ପୁଛି ବାଣୀବିହାର କ୍ୟାମ୍ପସ୍,କାଲି ‘Why I Stand For’ ମିଟିଂ, ଭୋଟ୍ ପୂର୍ବରୁ ବଢ଼ିଲା ସୁରକ୍ଷା

ଭୁବନେଶ୍ୱର, ୧୩/୧୦: ଆଉ ଦିନକ ପରେ ବହୁ ପ୍ରତୀକ୍ଷିତ ଛାତ୍ର ସଂସଦ ନିର୍ବାଚନ । ଉତ୍କଳ ବିଶ୍ୱବିଦ୍ୟାଳୟରେ ଜମୁଛି ଜୋରଦାର ପ୍ରଚାର । ଭୋଟରଙ୍କୁ ନିଜ ସପକ୍ଷରେ ଆଣିବାକୁ ଲାଗିପଡ଼ିଛନ୍ତି ୩ ପ୍ରମୁଖ ଛାତ୍ର ସଂଗଠନ। ଦିନରେ କ୍ଲାସରୁମ୍ରୁ କ୍ଲାସରୁମ୍, ରାତିରେ ହଷ୍ଟେଲରୁ ହଷ୍ଟେଲ ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ । ଅନ୍ୟପଟେ ନିର୍ବାଚନକୁ ଦୃଷ୍ଟିରେ ରଖି ବାଣୀ ବିହାର କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ବୁଧବାର ଅନୁଷ୍ଠିତ ହେବ ‘Why I Stand For’ କାର୍ଯ୍ୟକ୍ରମ । ଏହା ପରେ ଗୁରୁବାର ଭୋଟ୍ ଗ୍ରହଣ କରାଯିବ । ନିଜ ପ୍ୟାନେଲ୍କୁ ବିଜୟୀ କରିବା ପାଇଁ ଛାତ୍ର ସଂଗଠନଗୁଡ଼ିକ ପକ୍ଷରୁ ଜୋରଦାର ପ୍ରୟାସ ଜାରି ରହିଛି । ପୁରୁଷ ପ୍ରାର୍ଥୀମାନେ ଜେଣ୍ଟସ୍ ହଷ୍ଟେଲ୍ ଏବଂ ମହିଳା ପ୍ରାର୍ଥୀମାନେ ଲେଡିଜ୍ ହଷ୍ଟେଲ୍ରେ ପହଞ୍ଚି ଭୋଟ୍ ଭିକ୍ଷା କରୁଛନ୍ତି । ପୂରା ପ୍ୟାନେଲ୍କୁ ଭୋଟ୍ ଦେବାକୁ ଭୋଟରଙ୍କୁ ଅପିଲ୍ କରୁଛନ୍ତି ପ୍ରାର୍ଥୀ ।
କେବଳ ପ୍ରଚାର ନୁହେଁ, ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ମଧ୍ୟ ପ୍ରାର୍ଥୀମାନେ ଗୁରୁତ୍ୱ ଦେଉଛନ୍ତି । ବିଭିନ୍ନ ହଷ୍ଟେଲ୍ରେ ରହିଥିବା ସମସ୍ୟାଗୁଡ଼ିକୁ କାଗଜ କଲମରେ ଲେଖି ରଖୁଛନ୍ତି । ନିର୍ବାଚନ ପରେ ଏହାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି । ତେବେ ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ଭୋଟରଙ୍କୁ କେତେ ଆକୃଷ୍ଟ କରିପାରୁଛି, ତାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହେବ ।
ଚଳିତବର୍ଷ ପ୍ରଥମଥର ପାଇଁ ଧନ୍ଦାମୂଳକ ଶିକ୍ଷାର ଛାତ୍ରଛାତ୍ରୀ ମଧ୍ୟ ଭୋଟ୍ ଦେବାକୁ ଯାଉଥିବାରୁ ମତଦାନ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି । ବର୍ତ୍ତମାନ ଉତ୍କଳ ବିଶ୍ୱବିଦ୍ୟାଳୟରେ ୪୨ଟି ବିଭାଗ ରହିଥିବାବେଳେ ପ୍ରଥମ ଓ ଦ୍ୱିତୀୟ ବର୍ଷକୁ ମିଶାଇ ପ୍ରାୟ ୫ ହଜାର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏତେ ସଂଖ୍ୟକ ଭୋଟରଙ୍କ ପାଇଁ ଅଧିକ ପୋଲିଂ ବୁଥ୍ ବ୍ୟବସ୍ଥା କରିବାକୁ କର୍ତ୍ତୃପକ୍ଷ ଯୋଜନା କରୁଛନ୍ତି । ପ୍ରତି ୫୦୦ରୁ ୬୦୦ ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ବୁଥ୍ କରିବାକୁ ଯୋଜନା ରହିଛି । ଏହାଦ୍ୱାରା ମତଦାନ ଓ ଭୋଟ୍ ଗଣତି ପ୍ରକ୍ରିୟା ସୁବିଧାରେ ସମ୍ପନ୍ନ ହୋଇପାରିବ ।
ସୌଜନ୍ୟ ପ୍ରମେୟ




