ରାଜ୍ୟ

National Health Accounts Report: ଜାତୀୟ ସ୍ବାସ୍ଥ୍ୟ ଆକାଉଣ୍ଟ ରିପୋର୍ଟ: ଲୋକଙ୍କ ଚିକିତ୍ସା ଖର୍ଚ୍ଚ ବୋଝ କମୁଛି

ଓଡ଼ିଶାରେ ଲୋକଙ୍କ ଚିକିତ୍ସା ବାବଦ ମୋଟ ଖର୍ଚ୍ଚ ବୃଦ୍ଧି ପାଇଛି। ୨୦୨୩-୨୪ରେ ମୋଟ ସ୍ବାସ୍ଥ୍ୟ ବ୍ୟୟ ୨୯,୫୨୫ କୋଟି ଟଙ୍କାରେ ପହଞ୍ଚିଛି। ୨୦୨୨-୨୩ରେ ଏହା ୨୪,୩୭୬ କୋଟି ଟଙ୍କା ଥିଲା।

ଭୁବନେଶ୍ବର: ଓଡ଼ିଶାରେ ଲୋକଙ୍କ ଚିକିତ୍ସା ବାବଦ ମୋଟ ଖର୍ଚ୍ଚ ବୃଦ୍ଧି ପାଇଛି। ୨୦୨୩-୨୪ରେ ମୋଟ ସ୍ବାସ୍ଥ୍ୟ ବ୍ୟୟ ୨୯,୫୨୫ କୋଟି ଟଙ୍କାରେ ପହଞ୍ଚିଛି। ୨୦୨୨-୨୩ରେ ଏହା ୨୪,୩୭୬ କୋଟି ଟଙ୍କା ଥିଲା। ଏଥିଯୋଗୁ ମୁଣ୍ଡପିଛା ଚିକିତ୍ସା ଖର୍ଚ୍ଚ ୫୨୯୯ ଟଙ୍କାରୁ ବୃଦ୍ଧିପାଇ ୬୪୧୮ ଟଙ୍କା ହୋଇଛି। ରାଜ୍ୟବାସୀଙ୍କ ମୋଟ ଚିକିତ୍ସା ଖର୍ଚ୍ଚରେ ସରକାରୀ ଭାଗ ୫୭.୯ ପ୍ରତିଶତ ରହିଛି। ସରକାର ଏଥିପାଇଁ ମୁଣ୍ଡପିଛା ୩୭୧୮ ଟଙ୍କା ଖର୍ଚ୍ଚ କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟବାସୀଙ୍କ ହାତରୁ ମୁଣ୍ଡପିଛା ୨୪୨୪ ଟଙ୍କା ଖର୍ଚ୍ଚ ହୋଇଛି, ଯାହାକି ମୋଟ ସ୍ବାସ୍ଥ୍ୟ ଖର୍ଚ୍ଚର ୩୭.୮ ପ୍ରତିଶତ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଆଜି ପ୍ରକାଶିତ ଜାତୀୟ ସ୍ବାସ୍ଥ୍ୟ ଆକାଉଣ୍ଟ ୨୦୨୩-୨୪ ରିପୋର୍ଟରୁ ଜଣାଯାଇଛି।

ଲୋକଙ୍କ ହାତରୁ ହୋଇଥିବା ଖର୍ଚ୍ଚ ବଢ଼ିଥିଲେ ମଧ୍ୟ ମୋଟ ଚିକିତ୍ସା ଖର୍ଚ୍ଚରେ ଏହାର ଅଂଶ କମିଛି। ୨୦୨୨-୨୩ରେ ମୋଟ ସ୍ବାସ୍ଥ୍ୟ ଖର୍ଚ୍ଚରେ ଲୋକଙ୍କ ପକେଟରୁ ହେଉଥିବା ବ୍ୟୟ ଭାଗ ୪୨.୪ ପ୍ରତିଶତ ରହିଥିଲା। ତେଣୁ ୨୦୨୩-୨୪ରେ ଏହା ୪.୬ ପ୍ରତିଶତ କମିଛି। ପକେଟରୁ ହେଉଥିବା ଚିକିତ୍ସା ଖର୍ଚ୍ଚ କ୍ଷେତ୍ରରେ ରାଜ୍ୟଗୁଡ଼ିକ ମଧ୍ୟରେ ଉତ୍ତରପ୍ରଦେଶରେ ଏହା ସର୍ବାଧିକ ୬୭.୧ ପ୍ରତିଶତ ରହିଛି। ଏହା ପଛକୁ କେରଳରେ ୬୫.୨ ପ୍ରତିଶତ, ପଶ୍ଚିମବଙ୍ଗରେ ୬୩ ପ୍ରତିଶତ, ପଞ୍ଜାବରେ ୬୦.୭ ପ୍ରତିଶତ ଏବଂ ଝାଡ଼ଖଣ୍ଡରେ ୫୮.୭ ପ୍ରତିଶତ ରହିଛି। ଅର୍ଥାତ୍‌ ଏସବୁ ରାଜ୍ୟରେ ଚିକିତ୍ସା ବାବଦରେ ହେଉଥିବା ମୋଟ ଖର୍ଚ୍ଚରୁ ଅଧାରୁ ଅଧିକ ଭାଗ ଲୋକମାନେ ସେମାନଙ୍କ ହାତରୁ ବହନ କରୁଛନ୍ତି। କିନ୍ତୁ ଅର୍ଥରାଶି ହିସାବରେ ଦେଖିଲେ କେରଳବାସୀ ନିଜ ହାତରୁ ମୁଣ୍ଡପିଛା ସର୍ବାଧିକ ୮୮୭୦ ଟଙ୍କା ଚିକିତ୍ସା ବାବଦରେ ଖର୍ଚ୍ଚ କରିଛନ୍ତି। ଅନ୍ୟପକ୍ଷରେ ଉତ୍ତରାଖଣ୍ଡର ଲୋକଙ୍କ ଉପରେ ଚିକିତ୍ସା ଖର୍ଚ୍ଚ ବୋଝ ସବୁଠୁ କମ୍‌ ରହିଛି। ସେଠାରେ ହୋଇଥିବା ମୋଟ ସ୍ବାସ୍ଥ୍ୟ ଖର୍ଚ୍ଚର ୨୬.୭ ପ୍ରତିଶତ ଲୋକମାନେ ନିଜ ହାତରୁ ଖର୍ଚ୍ଚ କରିଛନ୍ତି। ସେହିଭଳି କର୍ଣ୍ଣାଟକରେ ଏହି ଖର୍ଚ୍ଚ ୨୮.୫ ପ୍ରତିଶତ, ଛତିଶଗଡ଼ରେ ୩୨.୨ ପ୍ରତିଶତ, ଜମ୍ମୁ ଓ କାଶ୍ମୀରରେ ୩୩.୫ ପ୍ରତିଶତ ଓ ଗୁଜରାଟ ୩୮ ପ୍ରତିଶତ ଭଳି ନିମ୍ନ ସ୍ତରରେ ରହିଛି।

ଓଡ଼ିଶାରେ ଲୋକଙ୍କ ହାତରୁ ଯାଉଛି ୩୭.୮%, ଦେଶରେ ୪୨.୭%
୧୦ ବର୍ଷରେ ସରକାରଙ୍କ ବ୍ୟୟ ୩ ଗୁଣା ବଢ଼ିଛି

ଅନ୍ୟପକ୍ଷରେ ରିପୋର୍ଟରୁ ଜଣାଯାଇଛି ୨୦୨୩-୨୪ରେ ଦେଶବାସୀଙ୍କ ସ୍ବାସ୍ଥ୍ୟସେବା ବାବଦରେ ସରକାର ୪.୧୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ୨୦୧୩-୧୪ରେ ଏହା ୧.୩୦ ଲକ୍ଷ କୋଟି ଟଙ୍କା ଥିଲା। ଅର୍ଥାତ୍‌ ଗତ ୧୦ ବର୍ଷ ମଧ୍ୟରେ ଉକ୍ତ ରାଶି ୩ ଗୁଣାରୁ ଅଧିକ ବଢ଼ିଛି। ୨୦୨୩-୨୪ରେ ହୋଇଥିବା ମୋଟ ସ୍ବାସ୍ଥ୍ୟସେବା ବ୍ୟୟ ମଧ୍ୟରୁ ପ୍ରାଥମିକ ସ୍ବାସ୍ଥ୍ୟସେବାରେ ହୋଇଛି ୧.୫୩ ଲକ୍ଷ କୋଟି ଟଙ୍କା। କିନ୍ତୁ ଉପରୋକ୍ତ ସମୟ ମଧ୍ୟରେ ଦେଶରେ ଲୋକଙ୍କ ପକେଟରୁ ଚିକିତ୍ସା ବାବଦ ଖର୍ଚ୍ଚ ପରିବାର ପିଛା ୨୧.୫ ପ୍ରତିଶତ ହ୍ରାସ ପାଇଛି। ୨୦୧୩-୧୪ରେ ପରିବାର ପିଛା ଚିକିତ୍ସା ଖର୍ଚ୍ଚ ମୋଟ ଚିକିତ୍ସା ଖର୍ଚ୍ଚର ୬୪.୨ ପ୍ରତିଶତ ଥିଲା। କିନ୍ତୁ ୨୦୨୩-୨୪ରେ ଏହା ୪୨.୭ ପ୍ରତିଶତକୁ ଖସିଆସିଛି। ଗୋଟିଏ ପଟେ ସ୍ବାସ୍ଥ୍ୟସେବା ବାବଦ ସରକାରୀ ଚିକିତ୍ସା ଖର୍ଚ୍ଚ ବଢ଼ିବା ଓ ଅନ୍ୟପଟେ ପକେଟରୁ ପରିବାରଗୁଡ଼ିକ କରୁଥିବା ଖର୍ଚ୍ଚ ହ୍ରାସ ପାଇବା ଏକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନକୁ ସୂଚାଉଛି। ସୂଚନା ଅନୁଯାୟୀ, ୨୦୨୨-୨୩ରେ ଲୋକଙ୍କ ପକେଟରୁ ଚିକିତ୍ସା ବାବଦ ଖର୍ଚ୍ଚ ରାଶି ୪୩. ୪୦ ପ୍ରତିଶତ ରହିଥିଲା। ୨୦୨୩-୨୪ରେ ଏଥିରେ ୦.୭୦ ପ୍ରତିଶତ ହ୍ରାସ ଘଟିଛି।

ସ୍ବାସ୍ଥ୍ୟସେବା ପାଇଁ ଆର୍ଥିକ ସୁରକ୍ଷା ବ୍ୟବସ୍ଥାର ବିକାଶ ସହ ସ୍ବାସ୍ଥ୍ୟସେବା ପ୍ରତି ସରକାର ଅଧିକରୁ ଅଧିକ ସମର୍ଥନ ଦେଉଥିବା ବିଷୟ ଏଥିରୁ ଜଣାଯଯାଉଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସ୍ବାସ୍ଥ୍ୟକ୍ଷେତ୍ରରେ ସରକାର କରୁଥିବା ସାମାଜିକ ସୁରକ୍ଷା ବାବଦ ବ୍ୟୟ ମଧ୍ୟ ବଢ଼ିଛି। ମୋଟ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହାର ଅଂଶ ୨୦୧୩-୧୪ରେ ୬ ପ୍ରତିଶତ ରହିଥିଲା। ୨୦୨୩-୨୪ରେ ଏହା ୧୧ ପ୍ରତିଶତରେ ପହଞ୍ଚିଛି। ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ରାଜ୍ୟ ବୀମା ଯୋଜନା, ସାମାଜିକ ସ୍ବାସ୍ଥ୍ୟ ବୀମା ଏବଂ ସରକାରୀ କର୍ମଚାରୀମାନଙ୍କ ପାଇଁ ଡାକ୍ତରଖାନାରେ ହେଉଥିବା ବ୍ୟୟ ପାଇଁ ଏପରି ହୋଇଛି। ତେବେ ଘରୋଇ ସ୍ବାସ୍ଥ୍ୟ ବୀମା ବ୍ୟୟ ମଧ୍ୟ ବଢ଼ିଛି। ମୋଟ ସ୍ବାସ୍ଥ୍ୟବ୍ୟୟରେ ଏହାର ଅଂଶ ୨୦୧୩-୧୪ରେ ୩.୪ ପ୍ରତିଶତ ରହିଥିଲା। କିନ୍ତୁ ୨୦୨୩-୨୪ରେ ଏହା ୧୦.୨ ପ୍ରତିଶତରେ ପହଞ୍ଚିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button