କାଳିଆପାଣି (ରବି ନାରାୟଣ କର): କିଡ୍ନି ରୋଗରେ ଆକ୍ରାନ୍ତ ଥିବା କାଳିଆପାଣି ଚିରିଗୁଣିଆ ମାଝିସାହିର ଛଟେଇ ଖଣି ଶ୍ରମିକ ଲେଲସାନ ଟପ୍ନୋ(ଟୁନା)ଙ୍କର ୩୮ ବର୍ଷ ବୟସରେ ଅକାଳ ମୃତ୍ୟୁ ହୋଇଥିଲା। କଟକ ବଡ଼ଡାକ୍ତରଖାନାରୁ ମୃତଶରୀର ଧରି କାଳିଆପାଣି ଚିରିଗୁଣିଆ ମାଝିସାହିସ୍ଥିତ ଘରକୁ ଆସି ପହଞ୍ଚିବା ପରେ ସ୍ବାମୀଙ୍କ ଶେଷକୃତ୍ୟକୁ ନେଇ କପର୍ଦ୍ଦକ ଶୂନ୍ୟ ପତ୍ନୀ ହୀରାମଣିଙ୍କ ଦୁଶ୍ଚିନ୍ତା ବଢ଼ିଗଲା। ଶେଷକୃତ୍ୟ ପାଇଁ ଶ୍ମଶାନ ବ୍ୟବସ୍ଥା ନଥିଲା।
ଖଣି ଲିଜ୍ ଏରିଆରେ ଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର କବରଖାନା ୩ ବର୍ଷ ତଳୁ ଖଣିର ମାଟି ଡମ୍ପ୍ ତଳେ କବର ନେଇସାରିଛି। ପୈତୃକ ଗାଁ ଝାଡ଼ଖଣ୍ଡର ସିମଡେଗା ଜିଲ୍ଲା କୋଲେବିରା ଥାନା କରମଘାଟ୍ ପହଞ୍ଚିବାକୁ ଦିନଟିଏ ଲାଗିଯିବ। ହାତରେ ଟଙ୍କାଟିଏ ବି ସମ୍ବଳ ନଥିବା ଅବସ୍ଥାରେ ମରଶରୀର ଧରି ଗାଁକୁ ଗାଡ଼ିଭଡ଼ା ୩୫ ହଜାର ଟଙ୍କା ଶୁଣି ତାଙ୍କ ଉପରେ ବଜ୍ର ପଡ଼ିଗଲା ଭଳି ଲାଗିଲା ବୋଲି କହନ୍ତି ଅସହାୟ ହୀରାମଣି। ତାଙ୍କ ୩ ପୁଅ ମଧ୍ୟରୁ ଦାଦନ ଖଟୁଥିବା ବଡ଼ପୁଅ ଗୁଲସନ ମାନସିକ ନ୍ୟୂନ। ମଝିଆଁ ଫ୍ରାନସିସ୍ ବେକାର ଯୁବକ। ସାନପୁଅ କୁନା ଏବର୍ଷ ମାଟ୍ରିକ ପାସ କରିଛି।
ଆନ୍ଧ୍ରରେ ଖଟୁଥିଲେ ହୀରାମଣି
ଆନ୍ଧ୍ରପ୍ରଦେଶରେ ଦାଦନ ଖଟୁଥିବା ହୀରାମଣି ସ୍ବାମୀଙ୍କ ଅସୁସ୍ଥତା ଶୁଣି ୨ ସପ୍ତାହ ପୂର୍ବରୁ ଘରକୁ ଆସିଥିଲେ। ତାଙ୍କ ରୋଜଗାର ଓ ସୀମିତ ସମ୍ବଳ ସ୍ବାମୀଙ୍କ ଚିକିତ୍ସା ଓ ଶବ ଆଣିବାକୁ ନିଅଣ୍ଟ ହୋଇଥିଲା। ବିପରୀତ ପରିସ୍ଥିତିରେ ୨ ପୁଅ, ସଂପର୍କୀୟ ଓ ବନ୍ଧୁବାନ୍ଧବଙ୍କୁ ସାଥୀରେ ଧରି ସେ ନିଜ ଘର ଅଗଣାରେ ଗାତ ଖୋଳାଇ ସ୍ବାମୀଙ୍କ ମରଶରୀରକୁ ଯଥାବିଧି କବର ଦେଇଥିଲେ। ପ୍ରସଙ୍ଗକୁ ନେଇ କାଳିଆପାଣି ଖଣିଅଞ୍ଚଳରେ ବସବାସ କରୁଥିବା ଖ୍ରୀଷ୍ଟିଆନ ସମ୍ପ୍ରଦାୟ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ସାଧାରଣରେ ଆଲୋଡ଼ନର କାରଣ ହୋଇଛି
ସୌଜନ୍ୟ ସମ୍ବାଦ