ରାଜ୍ୟ

Neredi: ନେରେଡ଼ିରେ ଆନ୍ଧ୍ର ଅଧିକାରୀଙ୍କୁ ପୂରାଇ ଦେଲେନି: ୭ରୁ ୯ ଯାଏଁ ଯୁଗ୍ମ ଅନୁଧ୍ୟାନ

ଗଜପତି ଜିଲ୍ଲା କାଶୀନଗର ନିକଟ ନେରେଡ଼ିରେ ବଂଶଧାରା ନଦୀ ଉପରେ ପ୍ରସ୍ତାବିତ ବ୍ୟାରେଜକୁ ନେଇ ଅସନ୍ତୋଷ ଏବେ ରାସ୍ତାକୁ ଆସିଛି। ପ୍ରକଳ୍ପସ୍ଥଳ ଅନୁଧ୍ୟାନ ପାଇଁ ଆସିଥିବା ଆନ୍ଧ୍ରପ୍ରଦେଶର ଅଧିକାରୀଙ୍କୁ ୪ ତାରିଖରେ ସ୍ଥାନୀୟ ଲୋକେ ପ୍ରବେଶ କରାଇ ଦେଇନଥିଲେ।

ପାରଳାଖେମୁଣ୍ଡି: ଗଜପତିଜିଲ୍ଲା କାଶୀନଗର ନିକଟ ନେରେଡ଼ିରେ ବଂଶଧାରା ନଦୀ ଉପରେ ପ୍ରସ୍ତାବିତ ବ୍ୟାରେଜକୁ ନେଇ ଅସନ୍ତୋଷ ଏବେ ରାସ୍ତାକୁ ଆସିଛି। ପ୍ରକଳ୍ପସ୍ଥଳ ଅନୁଧ୍ୟାନ ପାଇଁ ଆସିଥିବା ଆନ୍ଧ୍ରପ୍ରଦେଶର ଅଧିକାରୀଙ୍କୁ ୪ ତାରିଖରେ ସ୍ଥାନୀୟ ଲୋକେ ପ୍ରବେଶ କରାଇ ଦେଇନଥିଲେ। ଶହ ଶହ ଲୋକଙ୍କ ପ୍ରତିବାଦ ଓ ରାସ୍ତା ଅବରୋଧ ଯୋଗୁଁ ଅଧିକାରୀମାନେ ଫେରିଯାଇଥିଲେ। ଏବେ ୭ରୁ ୯ ତାରିଖ ଯାଏଁ ଯୁଗ୍ମ ଅନୁଧ୍ୟାନ ଏବଂ ୮ ତାରିଖରେ ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ୍‌ର ସୁପରଭାଇଜରି କମିଟିର ଗସ୍ତ ରହିଥିବାରୁ ଘଟଣା ନୂଆ ମୋଡ଼ ନେଇଛି। ଅଧିକୃତ ଟୁର୍‌ ପ୍ରୋଗ୍ରାମ୍‌ ଅନୁଯାୟୀ, ୮ ତାରିଖରେ ସୁପରଭାଇଜରି କମିଟି କାଣ୍ଟରାଗଡ଼ ସାଇଡ୍‌ ୱିଅର୍‌, ଫ୍ଲଡ୍‌ ଫ୍ଲୋ କେନାଲ ଓ ପ୍ରସ୍ତାବିତ ନେରେଡ଼ି ବ୍ୟାରେଜ ସ୍ଥଳ ପରିଦର୍ଶନ କରିବ। ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ସହ ବୈଷୟିକ ଆଲୋଚନା ସହ କମିଟିର ବୈଠକ ମଧ୍ୟ ହେବ। କମିଟିର ଅଧ୍ୟକ୍ଷ ଜି. ନାଗାମୋହନ ଓ ସଦସ୍ୟ-ସଚିବ ଆଦିତ୍ୟ ଏସ୍‌.ଏସ୍‌. ମୂଲାଙ୍କ ସମେତ କେନ୍ଦ୍ରୀୟ ଜଳ ଆୟୋଗର ଅଧିକାରୀମାନେ ଏଥିରେ ରହିବେ।

୭ରୁ ୯ ଯାଏଁ ଯୁଗ୍ମ ଅନୁଧ୍ୟାନ
୮ରେ ଟ୍ରିବ୍ୟୁନାଲ୍‌ ସୁପରଭାଇଜରି କମିଟିର ଗସ୍ତ

ତେବେ ପ୍ରଶ୍ନ ଉଠୁଛି ଯେଉଁ ଅଞ୍ଚଳର ଲୋକେ ନିଜ ଜମି, ଜୀବନ ଓ ଜୀବିକା ନେଇ ଆଶଙ୍କା ପ୍ରକାଶ କରୁଛନ୍ତି, ସେମାନଙ୍କ ସହ ପର୍ଯ୍ୟାପ୍ତ ଆଲୋଚନା ନକରି ଅନୁଧ୍ୟାନ ଓ ଜମି ହସ୍ତାନ୍ତର ପ୍ରକ୍ରିୟା କେତେଦୂର ଯୁକ୍ତିସଙ୍ଗତ? ୧୦୬ ଏକର ଜମି କେଉଁଠି, କେଉଁ ମାନଚିତ୍ର ଓ କେଉଁ ବୈଷୟିକ ଆଧାରରେ ଚିହ୍ନଟ ହୋଇଛି? ଏହି ଜମି ହସ୍ତାନ୍ତର ପରେ ବ୍ୟାରେଜର ଜଳସ୍ତର, ବ୍ୟାକ୍‌ୱାଟର୍‌ ଓ ଓଡ଼ିଶା ପଟର ଜନବସତି ଓ ଚାଷଜମି ଉପରେ କଣ ପ୍ରଭାବ ପଡ଼ିବ ଏସବୁର ସ୍ପଷ୍ଟ ତଥ୍ୟ ସାର୍ବଜନୀନ କରିବାକୁ ଦାବି କରି ଆସୁଛନ୍ତି। ବଂଶଧାରା ସୁରକ୍ଷା ମଞ୍ଚ ଓ ସ୍ଥାନୀୟ ଲୋକଙ୍କ ଅଭିଯୋଗ, ପ୍ରକଳ୍ପର ସମ୍ଭାବ୍ୟ ପ୍ରଭାବ ନେଇ ସେମାନଙ୍କୁ ଆବଶ୍ୟକ ସୂଚନା ଦିଆଯାଉନାହିଁ। ଗ୍ରାମସଭା ଓ ପଲ୍ଲୀସଭାର ମତାମତକୁ ଗୁରୁତ୍ୱ ଦେବା ସହ ପ୍ରଭାବିତ ଲୋକଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରାଯାଉ ବୋଲି ସେମାନେ ଦାବି କରିଆସୁଛନ୍ତି। ଦାବି ଅଣଦେଖା କରାଗଲେ ପ୍ରକଳ୍ପକୁ ବିରୋଧ ଆହୁରି ତୀବ୍ର ହେବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button