Nishitha Das: ନିଆରା ମଣିଷ ନିଶୀଥ ଦାସ: ୫୦ ବର୍ଷ ଧରି ଗାନ୍ଧୀଙ୍କ ପୂଜାରେ ନିମଗ୍ନ
ଆସନ୍ତାକାଲି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ। ସାରା ବିଶ୍ବକୁ ଶାନ୍ତିର ବାର୍ତ୍ତା ଦେଇଥିବା ଅହିଂସାର ପୂଜାରୀ ବାପୁଙ୍କୁ ସ୍ମରଣ କରିବ ସାରା ଦେଶ। ତ୍ୟାଗ, ତିତିକ୍ଷା ଓ ବଳିଦାନର ମହାର୍ଘ ମୁହୂର୍ତ୍ତକୁ ମନେପକାଇ ଗାନ୍ଧୀଜୀଙ୍କ ପ୍ରଦର୍ଶିତ ଆଦର୍ଶ ପଥରେ ଅଗ୍ରସର ହେବାକୁ ପ୍ରେରଣା ଗୋଟାଇବ ଏ ସମାଜ।

ଯାଜପୁରଟାଉନ: ଆସନ୍ତାକାଲି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ। ସାରା ବିଶ୍ବକୁ ଶାନ୍ତିର ବାର୍ତ୍ତା ଦେଇଥିବା ଅହିଂସାର ପୂଜାରୀ ବାପୁଙ୍କୁ ସ୍ମରଣ କରିବ ସାରା ଦେଶ। ତ୍ୟାଗ, ତିତିକ୍ଷା ଓ ବଳିଦାନର ମହାର୍ଘ ମୁହୂର୍ତ୍ତକୁ ମନେପକାଇ ଗାନ୍ଧୀଜୀଙ୍କ ପ୍ରଦର୍ଶିତ ଆଦର୍ଶ ପଥରେ ଅଗ୍ରସର ହେବାକୁ ପ୍ରେରଣା ଗୋଟାଇବ ଏ ସମାଜ। ଏଭଳି ସମୟରେ ଚର୍ଚ୍ଚାକୁ ଆସନ୍ତି ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ଯାଜପୁରର ନିଆରା ମଣିଷ ନିଶୀଥ କୁମାର ଦାସ। ପାରମ୍ପରିକ ବେଶଭୂଷା ଓ ଗାନ୍ଧୀ ଟୋପି ପରିହିତ ଏହି ମଣିଷ ଗତ ୫୦ ବର୍ଷ ଧରି ଗାନ୍ଧୀଜୀଙ୍କ ପୂଜା କରିଆସୁଛନ୍ତି। ପ୍ରତ୍ୟେକ ଦିନ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିକୁ ସଫାସୁତରା କରିବା ସହିତ ତାଙ୍କ ପ୍ରଦର୍ଶିତ ମାର୍ଗ ଓ ବାଣୀକୁ ପ୍ରଚାର କରିଆସୁଛନ୍ତି। ସ୍ୱଚ୍ଛତା ରକ୍ଷା ଉପରେ ସଚେତନ କରୁଛନ୍ତି।
ଯାଜପୁର ପୌରପାଳିକା ୟୁନିଟ-୮ର ତାରାମଦନ ଗ୍ରାମର ବାସିନ୍ଦା ନିଶୀଥ କୁମାର ଦାସ। ବୟସ ୭୧ ବର୍ଷ ଡେଇଁଲାଣି। ଏହି ବୟସରେ ମଧ୍ୟ ସେ ସକାଳୁ ସାଇକଲ ଧରି ବାହାରିଯାନ୍ତି। ବିଭିନ୍ନ ସ୍ଥାନରେ ଗାନ୍ଧୀଜୀଙ୍କ ମୂର୍ତ୍ତିକୁ ସଫା କରିବା ସହ ଫୁଲଧୂପ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥାନ୍ତି। ତାଙ୍କ କୁର୍ତ୍ତା ପକେଟରେ ସବୁବେଳେ ରହିଥାଏ ଫୁଲମାଳ, କର୍ପୂର, ଧୂପ ଓ ଚକୋଲେଟ। ଯେଉଁଠି ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଦେଖନ୍ତି ସଙ୍ଗେସଙ୍ଗେ ଧୋଇ ସଫା କରି ଫୁଲଧୂପ ଓ କର୍ପୂର ଲଗାଇ ପୂଜା କରନ୍ତି। ନିଜସ୍ବ ଉଦ୍ୟମରେ ସେ ସରକାରୀ ବାଳିକା ବିଦ୍ୟାଳୟ, ବୈଷ୍ଣବ ଦତ୍ତ ଉଚ୍ଚବିଦ୍ୟାଳୟ ସମେତ ଏକାଧିକ ବିଦ୍ୟାଳୟରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି। ଏଥିସହ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଯାଇ ସେ ଅହିଂସାର ବାର୍ତ୍ତା ପ୍ରଚାର କରିବା ସହ ଛୋଟ ପିଲାମାନଙ୍କୁ ଚକୋଲେଟ ବାଣ୍ଟିଥାନ୍ତି।
ସୌଜନ୍ୟ ସମ୍ବାଦ




