ରାଜ୍ୟ

Odisha 2nd Flood: ବନ୍ୟାରେ ୬ ଜିଲ୍ଲାରେ ୮ଲକ୍ଷ ଲୋକ ପ୍ରଭାବିତ, ଦୁଃସ୍ଥିତି ଆକଳନ କଲେ ମୁଖ୍ୟମନ୍ତ୍ରୀ

ଲଘୁଚାପଜନିତ ବର୍ଷାରେ ଓଡ଼ିଶାର ୬ ଜିଲ୍ଲାରେ ବନ୍ୟା ସ୍ଥିତି। ୭.୮୫ ଲକ୍ଷ ଲୋକ ପ୍ରଭାବିତ, ୧୩୦୪ ଗାଁ ଓ ୯୪୧ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୪୨,୨୧୬.୭ ହେକ୍ଟର ଚାଷଜମିରେ ପାଣି ମାଡ଼ିଛି।

୧୨୬ ଗାଁ ଜଳମୟ, ୯୪୧ଟି ଘର ଭାଙ୍ଗିଛି

୪୨,୨୧୬ ହେକ୍ଟର ଚାଷ ଜମିରେ ପାଣି ମାଡ଼ିଛି

ଭୁବନେଶ୍ବର:  ଲଘୁଚାପ ଜନିତ ବର୍ଷା ଯୋଗୁ ଉତ୍ତର ଓଡ଼ିଶାର ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ଉପୁଜିଛି। ସୋମବାର ଅପରାହ୍‌ଣ ସୁଦ୍ଧା ବନ୍ୟାରେ ୬ଟି ଜିଲ୍ଲାରେ ୬୬ଟି ବ୍ଲକର ୪୪୮ଟି ଗ୍ରାମପଞ୍ଚାୟତର ୧୩୦୪ଟି ଗାଁ, ୧୦ଟି ପୌରାଞ୍ଚଳର ୬୪ଟି ୱାର୍ଡ ପ୍ରଭାବିତ ହୋଇଛି। ଏଥିରେ ମୋଟ୍ ୭,୮୫,୧୯୯ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ତେବେ ଏହି ବନ୍ୟାରେ କାହାରି  ମୃତ୍ୟୁ ହୋଇନଥିବା ସ୍ବତନ୍ତ୍ର ରିଲିଫ କମିସନରଙ୍କ(ଏସ୍‌ଆର୍‌ସି) କାର୍ଯ୍ୟାଳୟ ତରଫରୁ କୁହାଯାଇଛି।

ବୈତରଣୀ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ, ସାଳନ୍ଦୀ ନଦୀରେ ବନ୍ୟା ଯୋଗୁ ବାଲେଶ୍ବର, ଭଦ୍ରକଯାଜପୁରକେନ୍ଦୁଝରମୟୂରଭଞ୍ଜ, କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାବିତ ହୋଇଥିବାବେଳେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଲାରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ପ୍ରଭାବିତଙ୍କୁ ଯେପରି ଶୁଖିଲା ଓ ରନ୍ଧା ଖାଦ୍ୟ ସୁବିଧାରେ ଯୋଗାଇ ଦିଆଯିବ ସେଥିପାଇଁ ୬ଟି ଜିଲ୍ଲାରେ ୫୩୧ଟି ରିଲିଫ କେନ୍ଦ୍ର ଖୋଲିଛି। ଲୋକଙ୍କୁ ଉଦ୍ଧାର ପାଇଁ ୬ଟି ଜିଲ୍ଲାରେ ମୋଟ୍ ୩୯ଟି ଓଡ୍ରାଫ୍ ଟିମ୍, ୭ଟି ଏନ୍‌ଡିଆର୍‌ଏଫ୍ ଟିମ୍, ୫୩ଟି ଅଗ୍ନିଶମ ଟିମ୍ ମୁତୟନ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୯୪୧ଟି ଘର ଭାଙ୍ଗିଥିବା ଏବଂ ୪୨,୨୧୬.୭ ହେକ୍ଟର ଚାଷ ଜମିରେ ପାଣି ମାଡ଼ିଥିବା ପ୍ରାରମ୍ଭିକ ରିପୋର୍ଟରୁ ଜାଣିବାକୁ ମିଳିଛି।

ଏସ୍‌ଆର୍‌ସିଙ୍କ ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲାର ୧୨ଟି ବ୍ଲକର ୯୭ଟି ଗ୍ରାମପଞ୍ଚାୟତର ୪୫୩ଟି ଗାଁ, ୨ଟି ସହରାଞ୍ଚଳର ୧୯ଟି ୱାର୍ଡର ୨,୦୩,୮୭୮ଜଣ ପ୍ରଭାବିତ ହୋଇଛନ୍ତି। ୬୦ଟି ଗାଁ ଜଳାର୍ଣ୍ଣବ ହୋଇଥିବାବେଳେ ୬୧,୪୧୮ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ୬୯ଟି ଘର ବର୍ଷା ଓ ବନ୍ୟାରେ ନଷ୍ଟ ହୋଇଛି। ୧୬ହଜାର ହେକ୍ଟର ଚାଷ ଜମିରେ ପାଣି ମାଡ଼ିଥିବାରୁ ଫସଲ ନଷ୍ଟ ହୋଇଛି।

ସେହିପରି ଭଦ୍ରକ ଜିଲ୍ଲାରେ ୪ଟି ବ୍ଲକର ୩୯ଟି ଗ୍ରାମପଞ୍ଚାୟତର ୧୩୪ଟି ଗାଁ, ଗୋଟିଏ ସହରାଞ୍ଚଳର ୪ଟି ୱାର୍ଡର ୧,୯୬,୨୪୦ଜଣ ପ୍ରଭାବିତ ହୋଇଛନ୍ତି। କୌଣସି ଗାଁ ଜଳାର୍ଣ୍ଣବ ହୋଇନଥିଲେ ବି ୧,୦୭,୭୭୩ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ୧୬୨୩ ହେକ୍ଟର ଚାଷ ଜମିରେ ପାଣି ମାଡ଼ିଥିବାରୁ ଫସଲ ନଷ୍ଟ ହୋଇଛି।
ଯାଜପୁର ଜିଲ୍ଲାରେ ୧୦ଟି ବ୍ଲକର ୧୧୭ଟି ଗ୍ରାମପଞ୍ଚାୟତର ୨୭୦ଟି ଗାଁ, ଗୋଟିଏ ସହରାଞ୍ଚଳର ୧୫ଟି ୱାର୍ଡର ମୋଟ୍ ୨,୦୨,୬୭୨ଜଣ ପ୍ରଭାବିତ ହୋଇଛନ୍ତି। ୮ଟି ଗାଁ ଜଳାର୍ଣ୍ଣବ ହୋଇଥିବାବେଳେ ୭୭,୬୮୦ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ୧୮,୬୪୨ ହେକ୍ଟର ଚାଷ ଜମିରେ ପାଣି ମାଡ଼ିଥିବାରୁ ଫସଲ ନଷ୍ଟ ହୋଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button