Odisha Tourism : ୨୦୩୬ ସୁଦ୍ଧା ରାଜ୍ୟରେ ୧୫ ହଜାର ନୂଆ ହୋଟେଲ୍, ୧୧୫୦୯ କୋଟିର ନୂଆ ନିବେଶ, ୧.୨୦ ଲକ୍ଷ ନିଯୁକ୍ତି ସମ୍ଭାବନା

ଭୁବନେଶ୍ଵର, ୧୬/୧୧ (ମନୋରଞ୍ଜନ ମହାନ୍ତି) : ୨୦୩୬ ସୁଦ୍ଧା ରାଜ୍ୟରେ ୧୫ ହଜାର ନୂଆ ହୋଟେଲ୍ ରୁମ୍ । ଲକ୍ଷ୍ୟ ସଫଳ ଦିଗରେ ସରକାର ଅଗ୍ରସର । ସେଥିପାଇଁ ରାଜ୍ୟରେ ଏବେ ମାଳ ମାଳ ହୋଟେଲ ପ୍ରକଳ୍ପ । ଓଡ଼ିଶାର କୋଣ ଅନୁକୋଣରେ ଖୋଲିବାକୁ ଯାଉଛି ପାଖାପାଖି ୪୨ଟି ବ୍ରାଣ୍ଡେଡ୍ ହୋଟେଲ । ଯେଉଁଥିପାଇଁ ସରକାରୀ ଅନୁମୋଦନ ମିଳିସାରିଛି । ବର୍ତ୍ତମାନ କିଛି ହୋଟେଲ ଖୋଲି ସାରିଥିବା ବେଳେ ଗଞ୍ଜାମ, ପୁରୀ, କୋରାପୁଟ, ବାଲେଶ୍ୱର, ଖୋର୍ଦ୍ଧା, ମୟୂରଭଞ୍ଜ, କନ୍ଧମାଳ, କଟକ, ଝାରସୁଗୁଡ଼ା ଜିଲ୍ଲା ସମେତ ଭୁବନେଶ୍ୱର ସହରରେ ଅନେକ ୩ ଷ୍ଟାର୍ ଓ ୫ ଷ୍ଟାର୍ ହୋଟେଲ ଖୁବ୍ କମ୍ ଦିନ ମଧ୍ୟରେ ଖୋଲିବାକୁ ଯାଉଛି । ନୂଆ ହୋଟେଲ ପ୍ରତିଷ୍ଠାରେ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ପ୍ରାଧାନ୍ୟ ଦିଆଯାଇଛି । ପର୍ଯ୍ୟଟକ ସଂଖ୍ୟାରେ ବୃଦ୍ଧି ଏବଂ ସେମାନଙ୍କ ରହଣି ସୁବିଧାକୁ ସୁଗମ ଓ ବ୍ୟବସ୍ଥିତ କରିବାକୁ ଟିକରପଡ଼ା, ସାତପଡ଼ା, ତପ୍ତପାଣି, ପୁରୀ, ଦାରିଙ୍ଗବାଡ଼ିରେ ବଡ଼ ବଡ଼ ହୋଟେଲ ଖୋଲୁଛି ।
ପର୍ଯ୍ୟଟନ କ୍ଷେତ୍ରରେ ୧୧୫୦୯ କୋଟି ଟଙ୍କାର ନୂତନ ନିବେଶ ହୋଇଛି । ଯାହା ମାଧ୍ୟମରେ ୧.୨୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏଥିରେ ଅନେକ ହୋଟେଲ ପ୍ରକଳ୍ପ ସାମିଲ ରହିଛି । ବିଭିନ୍ନ ଜିଲ୍ଲାରୁ ମିଳିଥିବା ପ୍ରସ୍ତାବରେ ହୋଟେଲ୍ କ୍ଷେତ୍ର ସହ ଜଡ଼ିତ ପ୍ରାୟ ୧୪ରୁ ୧୫ ହଜାର ହୋଟେଲ ରୁମ୍ର ବ୍ୟବସ୍ଥା ରହିଛି । କିନ୍ତୁ ଏହା ଗତବର୍ଷ ଅନୁଷ୍ଠିତ ‘ଉତ୍କର୍ଷ ଓଡ଼ିଶା: ମେକ୍-ଇନ୍-ଓଡ଼ିଶା କନ୍କ୍ଲେଭ୍’ ସମୟରେ ମିଳିଥିବା ୮୧୦୦ କୋଟି ନିବେଶ ପ୍ରସ୍ତାବର ଅନ୍ତର୍ଭୁକ୍ତ ନୁହେଁ । ପୂର୍ବ ପ୍ରସ୍ତାବରୁ ୫୮୦୦ କୋଟି ଟଙ୍କାର ପ୍ରକଳ୍ପକୁ ‘ସିଙ୍ଗଲ୍-ୱିଣ୍ଡୋ’ ବ୍ୟବସ୍ଥାରେ ଅନୁମୋଦନ ମିଳିସାରିଛି ବୋଲି ମୁଖ୍ୟମନ୍ତ୍ରୀ ଓଡ଼ିଶା ଟ୍ରାଭେଲ ବଜାର-୨୦୨୬ରେ ସୂଚନା ଦେଇଛନ୍ତି ।
ଏବେ ନୂଆ ପ୍ରସ୍ତାବରେ ଖୋର୍ଦ୍ଧା ପାଇଁ ୧୦୦୦ କୋଟି ଟଙ୍କାରୁ ଅଧିକ ଏବଂ କଟକ ପାଇଁ ୮୫୦ କୋଟି ଟଙ୍କାର ଷ୍ଟାର୍ ହୋଟେଲ, ରିସର୍ଟ ଓ ଅନ୍ୟାନ୍ୟ ପର୍ଯ୍ୟଟନ ପ୍ରକଳ୍ପ ଅନ୍ତର୍ଭୁକ୍ତ ରହିଛି । ଏହା ବ୍ୟତୀତ କୋରାପୁଟ ପାଇଁ ୫୩୦ କୋଟି, ଜଗତସିଂହପୁର ପାଇଁ ୫୨୫ କୋଟି ଏବଂ ଗଞ୍ଜାମ ପାଇଁ ୫୧୦ କୋଟି ଟଙ୍କାର ପ୍ରସ୍ତାବ ରହିଛି । ବାଲେଶ୍ୱର ପାଇଁ ପ୍ରାୟ ୨୯୦ କୋଟି ଟଙ୍କା ଏବଂ ଭଦ୍ରକ ପାଇଁ ୨୨୦ କୋଟି ଟଙ୍କାର ହୋଟେଲ, ରିସର୍ଟ ଓ ଇକୋ-ଟୁରିଜିମ୍ (ପରିବେଶ ପର୍ଯ୍ୟଟନ) ପ୍ରକଳ୍ପ ପ୍ରସ୍ତାବ ମିଳିଛି । ରାଜ୍ୟରେ ନିବେଶ ପାଇଁ ଦେଶୀୟ ତଥା ଅନ୍ତର୍ଜାତୀୟ ନିବେଶକ ଏବଂ ହୋଟେଲ ବ୍ରାଣ୍ଡ୍ଗୁଡ଼ିକୁ ସରକାର ଆମନ୍ତ୍ରଣ କରିଛନ୍ତି । ଏଥିପାଇଁ ବଜେଟ୍ରେ ଲ୍ୟାଣ୍ଡ୍ ବ୍ୟାଙ୍କକୁ ମଞ୍ଜୁରି ଦେଇଛନ୍ତି । ଆସନ୍ତା ୫ ବର୍ଷ ପାଇଁ (୨୦୨୬- ୨୦୩୧) ପର୍ଯ୍ୟନ୍ତ ଆତିଥ୍ୟ ଭିତ୍ତିଭୂମି ପାଇଁ ୫୫୦୦ ଏକର ଜମି ସଂଗ୍ରହ ଉଦ୍ଦେଶ୍ୟରେ ସରକାର ଏହି ସ୍ୱତନ୍ତ୍ର ଯୋଜନାକୁ ମଞ୍ଜୁରି ସହ ୧୫୦୦ କୋଟି ଟଙ୍କାର ବଜେଟ୍କୁ ଅନୁମୋଦନ ଦେଇଛନ୍ତି । ଏହାଦ୍ୱାରା ରାଜ୍ୟରେ ନୂତନ ହୋଟେଲ ଓ ରିସର୍ଟ ନିର୍ମାଣ ପାଇଁ ପଥ ସୁଗମ ହୋଇଛି ।
ସୌଜନ୍ୟ ପ୍ରମେୟ




