Oxytocin Injections : ରାଜସ୍ଥାନରେ ନକଲି ଅକ୍ସିଟୋସିନ୍ ଇଞ୍ଜେକ୍ସନ ଯୋଗୁଁ ୫ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ

ଜୟପୁର/କୋଟା: ରାଜସ୍ଥାନର ସରକାରୀ ହସ୍ପିଟାଲଗୁଡ଼ିକୁ ଯୋଗାଇ ଦିଆଯାଇଥିବା ଅକ୍ସିଟୋସିନ୍ ଇଞ୍ଜେକ୍ସନ ନକଲି ପ୍ରମାଣିତ ହେବା ପରେ ସାରା ରାଜ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। କୋଟାର ନ୍ୟୁ ମେଡିକାଲ କଲେଜ ହସ୍ପିଟାଲରେ ଏହି ଇଞ୍ଜେକ୍ସନ ନେବା ପରେ ପ୍ରସବ କରିଥିବା ୫ ଜଣ ମହିଳାଙ୍କର ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି। ପ୍ରସୂତି ମହିଳାଙ୍କର ଅତ୍ୟଧିକ ରକ୍ତସ୍ରାବ ରୋକିବା ପାଇଁ ଏହି ଇଞ୍ଜେକ୍ସନ ଦିଆଯାଉଥିବା ବେଳେ ଲ୍ୟାବ୍ ପରୀକ୍ଷାରୁ ଜଣାପଡ଼ିଛି ଯେ, ଏଥିରେ ରକ୍ତ ଜମାଟ ବାନ୍ଧିବା ପାଇଁ ଆବଶ୍ୟକ ମୁଖ୍ୟ ଉପାଦାନ ହିଁ ନଥିଲା। ଏହି ଭୟଙ୍କର ଅବହେଳା ସାମ୍ନାକୁ ଆସିବା ମାତ୍ରେ ରାଜ୍ୟ ଔଷଧ ନିୟନ୍ତ୍ରଣ ବିଭାଗ ତୁରନ୍ତ ଏହି ଔଷଧର ବିକ୍ରି ଓ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ସହ ସାରା ରାଜ୍ୟରୁ ଏହାର ଷ୍ଟକ୍ ଜବତ କରିବାକୁ ନିର୍ଦ୍ଦେଶ ଦେଇଛି।

 

ସୌଜନ୍ୟ ସମ୍ବାଦ