ଇସଲାମାବାଦ: ଇରାନ ସହିତ ଶାନ୍ତି ପ୍ରତିଷ୍ଠା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ପ୍ରସ୍ତାବିତ ”ଆବ୍ରାହାମ ଆକର୍ଡସ”ରେ ସାମିଲ ହେବା ପ୍ରସ୍ତାବକୁ ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରିଛି ପାକିସ୍ତାନ। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ମୁହମ୍ମଦ ଆସିଫ୍ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଏହି ଚୁକ୍ତିରେ ସ୍ୱାକ୍ଷର କରି ଇସ୍ରାଏଲକୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ଦେବା ଇସଲାମାବାଦର ମୂଳ ଆଦର୍ଶର ସମ୍ପୂର୍ଣ୍ଣ ବିରୋଧୀ। ୱାଶିଂଟନରୁ ଆସୁଥିବା କ୍ରମାଗତ ଚାପ ସତ୍ତ୍ୱେ ପାକିସ୍ତାନ ନିଜର ସାତ ଦଶନ୍ଧି ପୁରୁଣା ଆଭିମୁଖ୍ୟରେ ଅଟଳ ରହିଛି।
ରକ୍ଷାମନ୍ତ୍ରୀ ଆସିଫ୍ ଇସ୍ରାଏଲ୍କୁ କଡ଼ା ସମାଲୋଚନା କରି କହିଛନ୍ତି, “ଯେଉଁମାନଙ୍କ କଥାକୁ ଦିନଟିଏ ପାଇଁ ବି ବିଶ୍ୱାସ କରାଯାଇପାରିବ ନାହିଁ, ସେମାନଙ୍କ ସହ ପାକିସ୍ତାନ କେବେହେଲେ ଏକାଠି ବସିପାରିବ ନାହିଁ।” ନିକଟରେ ରାଷ୍ଟ୍ରପତି ଟ୍ରମ୍ପ ପାକିସ୍ତାନ, ସୌଦି ଆରବ ଓ ତୁର୍କୀ ଭଳି ପ୍ରମୁଖ ମୁସଲିମ୍ ଦେଶଗୁଡ଼ିକୁ ଏହି ଆକର୍ଡରେ ସାମିଲ ହେବାକୁ ଅନୁରୋଧ କରିଥିଲେ।
ଇସ୍ରାଏଲକୁ ସ୍ୱୀକୃତି ଦେଇନାହିଁ ପାକିସ୍ତାନ
ତେବେ ପାକିସ୍ତାନ ତାର ୭୮ ବର୍ଷର ଇତିହାସରେ କେବେ ମଧ୍ୟ ଇସ୍ରାଏଲକୁ ସ୍ୱୀକୃତି ଦେଇନାହିଁ। ପାକିସ୍ତାନର ବିଦେଶ ମନ୍ତ୍ରାଳୟ ସ୍ପଷ୍ଟ କରିଛି ଯେ, ଯେପର୍ଯ୍ୟନ୍ତ ପାଲେଷ୍ଟାଇନ ସମସ୍ୟାର ଏକ ସ୍ଥାୟୀ ”ଦୁଇ-ରାଷ୍ଟ୍ର ସମାଧାନ” ନହୋଇଛି, ସେପର୍ଯ୍ୟନ୍ତ ପାକିସ୍ତାନ ନିଜ ନୀତିରୁ ପଛକୁ ହଟିବ ନାହିଁ। ଆମେରିକାର ଚାପ ସତ୍ତ୍ୱେ ପାକିସ୍ତାନର ଏହି ଦୃଢ଼ ଜବାବ ଏବେ ବିଶ୍ୱ କୂଟନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୌଜନ୍ୟ ସମ୍ବାଦ

