Panchayat Funding: ୭ ମାସ ବିତିଲା…ପଞ୍ଚାୟତକୁ ଟଙ୍କାଟିଏ ପାଣ୍ଠି ମିଳିନି, ପଞ୍ଚାୟତ, ବ୍ଲକ୍, ଜିଲ୍ଲା ପରିଷଦ ପ୍ଲାନ୍ ଦାଖଲକୁ ନେଇ ପାଲା

ଭୁବନେଶ୍ୱର,୧୬/୧୧ (ସ୍ମୃତିରଞ୍ଜନ ବିଶ୍ୱାଳ); ପଞ୍ଚାୟତ ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହେଲାଣି । ସବୁ ଦଳ ରଣନୀତିରେ ମାତିଲେଣି । କିନ୍ତୁ ପଞ୍ଚାୟତ ବିକାଶ ପାଇଁ କାହାର ଚିନ୍ତା ନାହିଁ । ନୂଆ ଆର୍ଥିକବର୍ଷ(୨୦୨୬-୨୭)ରେ ରାଜ୍ୟର କୌଣସି ପଞ୍ଚାୟତକୁ ଟଙ୍କାଟିଏ ପାଣ୍ଠି ମିଳିନି । ରାସ୍ତା, ଡ୍ରେନ୍, ପିଇବା ପାଣି ପ୍ରକଳ୍ପ, ସଫେଇ, ପୋଖରୀ ଖୋଳା ଓ ଅନ୍ୟ କୌଣସି ବିକାଶ କାମ କରିବାକୁ ଚାହିଁଲେ ବି ହାତରେ ଟଙ୍କାଏ ନାହିଁ । ଗାଁ ଲୋକେ ଅଭିଯୋଗ କରି ଥକି ଗଲେଣି । ପୁଣି କିଛି ବ୍ଲକ୍ରେ ବ୍ଲକ୍ ଡେଭଲପମେଣ୍ଟ ପ୍ଲାନ୍(ବିପି) ଦାଖଲରେ ବିଡିଓ-ବ୍ଲକ୍ ଅଧ୍ୟକ୍ଷ, ସମିତି ସଭ୍ୟ ଓ ସରପଞ୍ଚଙ୍କ ଭିତରେ ଶୀତଳଯୁଦ୍ଧ ଚାଲିଛି । ତୃଣମୂଳସ୍ତରରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହେଲାଣି ।
ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲା ପରିଷଦକୁ ପାଣ୍ଠି ଦେବାକୁ ସରକାର ନୂଆ ଆର୍ଥିକ ବର୍ଷରୁ ପ୍ରକ୍ରିୟା ଆରମ୍ଭ କରିଥିଲେ । ବିଳମ୍ବରେ ହେଲେ ବି କେନ୍ଦ୍ରୀୟ ଷୋଡ଼ଶ ଅର୍ଥ କମିଶନ(ସିଏଫ୍ସି) ନୂଆ ଗାଇଡଲାଇନ୍ ଆଣିଲା । ରାଜ୍ୟ ସରକାର କେଉଁ ପଞ୍ଚାୟତ ଓ ବ୍ଲକ୍କୁ କେତେ ଟଙ୍କା ଦେବେ ଓ କେଉଁ ପ୍ରକଳ୍ପରେ ଏହା ଖର୍ଚ୍ଚ ହେବ, କମିଶନ ସରକାରଙ୍କୁ ତାହା ସୁପାରିସ କଲେ । ସିଏଫ୍ସି ଗାଇଡଲାଇନ୍ ମୁତାବକ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା(ଜିପିଡିପି), ବ୍ଲକ୍ ଉନ୍ନୟନ ଯୋଜନା(ବିପିଡିପି) ଓ ଜିଲ୍ଲା ପରିଷଦ ଉନ୍ନୟନ ଯୋଜନା ପ୍ରସ୍ତୁତ କରିବାକୁ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶ ଦେଇଥିଲା । ଅଗଷ୍ଟ ୧୫ ତାରିଖ ସୁଦ୍ଧା ବାର୍ଷିକ ପ୍ଲାନ୍ ଦାଖଲ ପାଇଁ କଣ୍ଟ ଥିଲା । ସ୍ୱାଭାବିକ ଭାବେ ଆର୍ଥିକ ବର୍ଷ ଆରମ୍ଭକୁ ପଞ୍ଚାୟତକୁ ବକେୟା ଟଙ୍କା ମିଳିଯାଏ ।
ସେପ୍ଟେମ୍ବରରେ ଅର୍ଥ କମିଶନଙ୍କ ସୁପାରିସ ଅନୁସାରେ ନୂଆ ପାଣ୍ଠି ମିଳେ । ଏହି ପାଣ୍ଠି ହିଁ ପଞ୍ଚାୟତ ବିକାଶର ମୂଳ ଉତ୍ସ । କେନ୍ଦ୍ରରୁ ପାଣ୍ଠି ମିଳିବା ପରେ ରାଜ୍ୟ ସରକାର ପାଣ୍ଠି ଦିଅନ୍ତି । ପୁଣି ଅକ୍ଟୋବର ଶେଷ ବା ନଭେମ୍ବର ବେଳକୁ ଆଉ ଏକ କିସ୍ତି ମିଳିଯାଏ । ଦୁଇ କିସ୍ତିରେ ପ୍ରତି ପଞ୍ଚାୟତକୁ ହାରାହାରି ଭାବେ ୪୦ରୁ ୫୦ଲକ୍ଷ ଟଙ୍କାର ପାଣ୍ଠି ମିଳିବା କଥା । ଜନସଂଖ୍ୟା ଆଧାରରେ ଏହି ପାଣ୍ଠି ଅଧିକ ଓ କମ୍ ହୁଏ । କିନ୍ତୁ ଏବେସୁଦ୍ଧା ଦୁଇ କିସ୍ତି ଭିତରୁ ଗୋଟିଏ ବି କିସ୍ତି ମିଳିନି । ପାଣ୍ଠି ମିଳିନଥିବାରୁ ପଞ୍ଚାୟତଗୁଡ଼ିକ ହାତ ବାନ୍ଧି ବସିଛନ୍ତି । ମୁଣ୍ଡ ଉପରେ ନିର୍ବାଚନ । ପୁଣି ଅଞ୍ଚଳର ବିକାଶକୁ ନେଇ ଲୋକଙ୍କ ଅଭିଯୋଗ, ଦାବିର ଲମ୍ବା ତାଲିକା । ପାଣ୍ଠି ନ ଥିବାରୁ ଗୋଟିଏ ବି ବିକାଶ କାମ ଆଗେଇ ପାରୁନି । ପାଣ୍ଠି ଆସିନି, କାମ କେମିତି କରିବୁ? ଜନପ୍ରତିନିଧିମାନେ ଲୋକଙ୍କୁ ସିଧା ସିଧା ଏଭଳି ଶୁଣାଇ ଦେଉଛନ୍ତି । ବିରୋଧୀ ଦଳର ଜନପ୍ରତିନିଧିମାନେ ଏହି ସୁଯୋଗରେ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଉଛନ୍ତି । କିନ୍ତୁ ଶୀର୍ଷସ୍ତରରେ ଏହାକୁ ନେଇ କିଛି ନିଷ୍ପତ୍ତି ହୋଇପାରୁନି ।
ସୌଜନ୍ୟ ପ୍ରମେୟ




