Parliament Monsoon Session: ମୌସୁମୀ ଅଧିବେଶନରେ ଆଲୋଚନା ବିନା ପାରିତ ହେଲା ଅଧିକାଂଶ ବିଲ୍
ହଟ୍ଟଗୋଳ, ନାରାବାଜି ଓ ସରକାର-ବିରୋଧୀ ଟଣାଓଟରା ମଧ୍ୟରେ ଗୁରୁବାର ସଂସଦର ମୌସୁମୀ ଅଧିବେଶନ ଶେଷ ହୋଇଛି। ଲୋକସଭା ଓ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରାଯାଇଛି। ଜୁଲାଇ ୨୦ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନରେ ବିରୋଧୀ...

ନୂଆଦିଲ୍ଲୀ: ହଟ୍ଟଗୋଳ, ନାରାବାଜି ଓ ସରକାର-ବିରୋଧୀ ଟଣାଓଟରା ମଧ୍ୟରେ ଗୁରୁବାର ସଂସଦର ମୌସୁମୀ ଅଧିବେଶନ ଶେଷ ହୋଇଛି। ଲୋକସଭା ଓ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରାଯାଇଛି। ଜୁଲାଇ ୨୦ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନରେ ବିରୋଧୀ ଦଳର ଲଗାତାର ପ୍ରତିବାଦ ଯୋଗୁଁ ଅଧିକାଂଶ ସମୟ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।
ଗୁରୁବାର ସକାଳେ ଲୋକସଭା ବସିବା ପରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଗୃହକୁ ଆସିବା ମାତ୍ରେ ବିରୋଧୀ ସାଂସଦମାନେ ନାରାବାଜି ଆରମ୍ଭ କରିଥିଲେ। ଛାତ୍ରଙ୍କ ବିରୋଧରେ ଦିଲ୍ଲୀରେ ହୋଇଥିବା ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ସେମାନେ ଅମିତ ଶାହଙ୍କ ବିବୃତି ଓ ତାଙ୍କ ଇସ୍ତଫା ଦାବି କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହରେ ପହଞ୍ଚିବା ପରେ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ର ଗାନ କରାଯାଇଥିଲା। ଏହା ପରେ ବାଚସ୍ପତି ଓମ୍ ବିର୍ଲା ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରିଥିଲେ।
ଏଥର ଲୋକସଭାରେ ୧୧ଟି ବିଲ୍ ପାରିତ ହୋଇଥିଲା। କିନ୍ତୁ ପେପର ଲିକ୍ ରୋକିବା ସମ୍ପର୍କିତ ବିଲ୍କୁ ଛାଡ଼ିଦେଲେ ଅନ୍ୟ ବିଲ୍ଗୁଡ଼ିକ ହଟ୍ଟଗୋଳ ମଧ୍ୟରେ ଆଲୋଚନା ବିନା ପାରିତ ହୋଇଥିଲା। ପେପର ଲିକ୍ ଉପରେ ଲୋକସଭାରେ ପ୍ରାୟ ୧୧ ଘଣ୍ଟା ଆଲୋଚନା ହୋଇଥିଲା। ଅନ୍ୟପକ୍ଷରେ ଜାତୀୟ ସମ୍ମାନର ଅପମାନ ରୋକିବା ସଂଶୋଧନ ବିଲ୍ ୧୪ ମିନିଟ୍, ଜନ୍ମ-ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଲ୍ ୪ ମିନିଟ୍, ସୁପ୍ରିମ୍କୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧନ ବିଲ୍ ୪ ମିନିଟ୍ ଏବଂ ଏମ୍ଏସ୍ଏମ୍ଇ ସଂଶୋଧନ ବିଲ୍ ମାତ୍ର ୩ ମିନିଟ୍ରେ ପାରିତ ହୋଇଥିଲା।
ସୌଜନ୍ୟ ସମ୍ବାଦ




