ରାଜ୍ୟ

SEBC Commission: ଏସ୍‌ଇବିସି କମିସନ ଗଠିତ: ଜଷ୍ଟିସ୍‌ ପ୍ରମଥ ପଟ୍ଟନାୟକ ହେଲେ ଅଧ୍ୟକ୍ଷ

ଆଉ କିଛି ମାସ ପରେ ରାଜ୍ୟ‌ରେ ପଞ୍ଚାୟତ ଓ ପୌର ନିର୍ବାଚନ। ଏହା ପୂର୍ବରୁ ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗ (ଏସ୍‌ଇବିସି) ଲୋକଙ୍କର ସ୍ଥିତି ଅନୁଧ୍ୟାନ କରିବେ।

ଭୁବନେଶ୍ୱର: ଆଉ କିଛି ମାସ ପରେ ରାଜ୍ୟ‌ରେ ପଞ୍ଚାୟତ ଓ ପୌର ନିର୍ବାଚନ। ଏହା ପୂର୍ବରୁ ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗ (ଏସ୍‌ଇବିସି) ଲୋକଙ୍କର ସ୍ଥିତି ଅନୁଧ୍ୟାନ କରିବେ। ନିର୍ଦ୍ଦିଷ୍ଟ ଭାବେ ବିଭିନ୍ନ ସ୍ବାୟତ୍ତ ଶାସନ ସଂସ୍ଥା (ପଞ୍ଚାୟତ ଓ ପୌରପାଳିକା)ରେ ସେମାନଙ୍କ ରାଜନୈତିକ ପ୍ରତିନିଧିତ୍ୱ ଏବଂ ସେହି ସବୁ ସଂସ୍ଥାରେ ସେମାନେ ରାଜନୈତିକ ଭାବେ କେତେ ପଛୁଆ, ତାହାର ଆକଳନ କରାଯିବ। ଏଥି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ କମିସନ ଗଠନ କରାଯାଇଛି। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରମଥ ପଟ୍ଟନାୟକଙ୍କୁ ଏହି କମିସନର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଆଜି ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି।
ଜଷ୍ଟିସ୍‌ ପ୍ରମଥ ପଟ୍ଟନାୟକ ହେଲେ ଅଧ୍ୟକ୍ଷ
ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗଙ୍କ ସ୍ଥିତି ଅନୁଧ୍ୟାନ କରାଯିବ
ବିଜ୍ଞପ୍ତି ଅନୁଯାୟୀ ଅବସରପ୍ରାପ୍ତ ଆଇଏଏସ୍‌ ବିଜୟ କୁମାର ପୃଷ୍ଟି କମିସନର ସଦସ୍ୟ ଭାବେ କାର୍ଯ୍ୟ କରିବେ। ବିଭାଗର ସ୍ୱତନ୍ତ୍ର ସଚିବ ସୁଜାତା ମିଶ୍ର କମିସନ୍‌ର ସଦସ୍ୟ ସଚିବ ରହିବେ। ଏହି କମିସନ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ପୌରାଞ୍ଚଳରେ ଥିବା ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକରେ ସେହି ଅଞ୍ଚଳର ସମୁଦାୟ ଲୋକସଂଖ୍ୟା ତୁଳନାରେ ଏସ୍‌ଇବିସିମାନଙ୍କର ସଂଖ୍ୟା ଅନୁପାତ ସମ୍ପର୍କରେ ଅନୁଧ୍ୟାନ କରିବ। ଏହାଦ୍ୱାରା ରାଜ୍ୟରେ ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗର ଜନସାଧାରଣଙ୍କ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକରେ ଉପଯୁକ୍ତ ପ୍ରତିନିଧିତ୍ୱ ଓ ସେମାନଙ୍କ ଅଧିକାର ସମ୍ପର୍କରେ ଉପଯୁକ୍ତ ବ୍ୟବସ୍ଥା କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଇଞ୍ଜିନିୟରିଂ, ମେଡିକାଲ ପରି ବୃତ୍ତିଗତ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button