ଦେଶ ବିଦେଶ

Supreme Court: ସୁପ୍ରିମ୍‌କୋର୍ଟ ଗଲା ଇଣ୍ଡି ମେଣ୍ଟ, ରାହୁଲ ମୁଖ୍ୟ ଆବେଦନକାରୀ: ଶୋଭାଯାତ୍ରା ଆଳରେ ଶକ୍ତି ପ୍ରଦର୍ଶନ

ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ଅନିୟମିତତା ଏବଂ ବହୁ ସଂଖ୍ୟାରେ ଭୋଟରଙ୍କ ନାମ ବାଦ୍‌ ପଡ଼ିଥିବା ଅଭିଯୋଗ ଆଣି ସୋମବାର ସୁପ୍ରିମ୍‌କୋର୍ଟରେ ଆବେଦନ କରିଛନ୍ତି ଇଣ୍ଡି ମେଣ୍ଟର ୧୧ଜଣ ନେତା।

ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ଅନିୟମିତତା ଏବଂ ବହୁ ସଂଖ୍ୟାରେ ଭୋଟରଙ୍କ ନାମ ବାଦ୍‌ ପଡ଼ିଥିବା ଅଭିଯୋଗ ଆଣି ସୋମବାର ସୁପ୍ରିମ୍‌କୋର୍ଟରେ ଆବେଦନ କରିଛନ୍ତି ଇଣ୍ଡି ମେଣ୍ଟର ୧୧ଜଣ ନେତା। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏହି ଆବେଦନ ଆଜି ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଛି। ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳଗୁଡ଼ିକ ଦିଲ୍ଲୀରେ ‘ଗଣତନ୍ତ୍ର ବଞ୍ଚାଅ ପଦଯାତ୍ରା’ କରି ସୁପ୍ରିମକୋର୍ଟରେ ପିଟିସନ୍‌ ଦାଖଲ କରିଛନ୍ତି। ପୂର୍ବରୁ ପ୍ରଧାନ ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ବିରୋଧୀ ଦଳ ନେତା ଓ ଅନ୍ୟମାନଙ୍କୁ ଭେଟିବାକୁ ମନା କରିବା ସହ ଏ ନେଇ ଆବେଦନ କରିବାକୁ କହିଥିଲେ। ସୋମବାର ଆବେଦନ ହେଲେ ମଙ୍ଗଳବାର ସେ ଏହାର ଶୁଣାଣି କରିବେ ବୋଲି ଜଣାଇଥିଲେ। ତେଣୁ ମଙ୍ଗଳବାର ଏହି ମାମଲାର ଶୁଣାଣି ହେବ ବୋଲି ଆଶା କରାଯାଉଛି। ଏହି ଆବେଦନ ଉପରେ‌ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରିକୁ ନିର୍ଦ୍ଦେଶ ଦିଆଯାଇଛି।

ଏସ୍‌ଆଇଆର୍‌ ରଦ୍ଦ, ସିଇସିଙ୍କ ଇସ୍ତଫା ଦାବିରେ ବିରୋଧୀ ଅଟଳ
୬୦୦ ମିଟର ଦୂରରେ ଅଟକାଇଲା ପୁଲିସ

ସୁପ୍ରିମ୍‌କୋର୍ଟରେ ଦାଖଲ ଜନସ୍ୱାର୍ଥ ମାମଲାରେ ରାହୁଲ ଗାନ୍ଧୀଙ୍କ ସମେତ ୧୦ଟି ରାଜନୈତିକ ଦଳର ୧୧ଜଣ ନେତା ଆବେଦନକାରୀ ଅଛନ୍ତି। ସେମାନଙ୍କ ମଧ୍ୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ତୃଣମୂଳ କଂଗ୍ରେସ ନେତା ସୌଗତ ରାୟ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଆର୍‌ଜେଡି ନେତା ତେଜସ୍ୱୀ ଯାଦବ, ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ, ସିପିଆଇ(ଏମ୍‌) ନେତା ଏମ୍‌ଏ ବେବୀ, ସିପିଆଇ ନେତା ଡି. ରାଜା, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତ୍ରୀ ମହୁଆ ମାଝୀ, ଏନ୍‌ସିପି (ଏସ୍‌ପି) ନେତ୍ରୀ ସୁପ୍ରିୟା ସୁଲେ ଏବଂ ଆଇୟୁଏମ୍‌ଏଲ୍‌ ନେତା ଇଟି ମହମ୍ମଦ ବସିର୍‌ ଅଛନ୍ତି। ଆବେଦନରେ ନିର୍ବାଚନ କମିସନଙ୍କ କାର୍ଯ୍ୟପ୍ରଣାଳୀ ଓ ଏସ୍‌ଆଇଆର୍‌ ପ୍ରକ୍ରିୟାକୁ ନେଇ ଆପତ୍ତି ଉଠାଯାଇଛି। ଶାନ୍ତିପୂର୍ଣ୍ଣ ପ୍ରତିବାଦ ଉପରେ କଟକଣା ଲଗାଯାଇଥିବା ନେଇ ମଧ୍ୟ ଆବେଦନରେ ପ୍ରଶ୍ନ ଉଠିଛି। ଏହା ପୂର୍ବରୁ ରାହୁଲ ଗାନ୍ଧୀ ଓ ଅନ୍ୟ ବିରୋଧୀ ନେତାମାନେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତଙ୍କୁ ଭେଟି ଏହି ପ୍ରସଙ୍ଗରେ ସ୍ମାରକପତ୍ର ଦେବାକୁ ଅନୁମତି ମାଗିଥିଲେ। କିନ୍ତୁ ଏ ସମ୍ପର୍କିତ ମାମଲା ସୁପ୍ରିମ୍‌କୋର୍ଟରେ ବିଚାରାଧୀନ ଥିବାରୁ ପ୍ରଧାନ ବିଚାରପତି ଭେଟିବାକୁ ମନା କରିଥିଲେ। ଏହା ବଦଳରେ ନ୍ୟାୟିକ ପ୍ରକ୍ରିୟା ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଥିଲା। ଏହା ପରେ କଂଗ୍ରେସର ଆଇନଜୀବୀ ଦଳ ଆବେଦନ ଦାଖଲ କରିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button