Supreme Court: ସ୍କୁଲରେ ସକାଳ ପ୍ରାର୍ଥନା ସମୟରେ ସମ୍ବିଧାନର ପ୍ରସ୍ତାବନା ପାଠ କରିବା ପାଇଁ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟ ସାରା ଦେଶର ସ୍କୁଲଗୁଡ଼ିକରେ ସକାଳ ସଭାରେ ପ୍ରତିଦିନ ସମ୍ବିଧାନର ପ୍ରସ୍ତାବନା ପାଠ କରିବାକୁ ବାଧ୍ୟତାମୂଳକ କରିବା ପାଇଁ ଏକ ଜନସ୍ୱାର୍ଥ ମାମଲାକୁ ଖାରଜ କରିଦେଇଛନ୍ତି।

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସାରା ଦେଶର ସ୍କୁଲଗୁଡ଼ିକରେ ସକାଳ ସଭାରେ ପ୍ରତିଦିନ ସମ୍ବିଧାନର ପ୍ରସ୍ତାବନା ପାଠ କରିବାକୁ ବାଧ୍ୟତାମୂଳକ କରିବା ପାଇଁ ଏକ ଜନସ୍ୱାର୍ଥ ମାମଲାକୁ ଖାରଜ କରିଦେଇଛନ୍ତି। ବିଚାରପତି ବିକ୍ରମ ନାଥ, ସନ୍ଦୀପ ମେହେଟ୍ଟା ଏବଂ ଅଗଷ୍ଟିନ ଜର୍ଜ ମାସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନର ବିଚାର କରିବାକୁ ମନା କରିଦେଇ କହିଛନ୍ତି ଯେ, ସମ୍ବିଧାନର ପ୍ରସ୍ତାବନା ପୂର୍ବରୁ ସ୍କୁଲ ପାଠ୍ୟକ୍ରମର ଏକ ଅଂଶ ଏବଂ ସାରା ଦେଶରେ ଷଷ୍ଠ ଶ୍ରେଣୀରୁ ଛାତ୍ରଛାତ୍ରୀମାନଙ୍କୁ ପଢ଼ାଯାଇଥାଏ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ରାଜଧାନୀ କଲେଜର ସହାୟକ ପ୍ରଫେସର ଧୀରଜ କୁମାର ଏହି ଆବେଦନ ଦାଖଲ କରିଥିଲେ। ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମ୍ବିଧାନିକ ସାକ୍ଷରତାକୁ ପ୍ରୋତ୍ସାହିତ କରିବା ପାଇଁ ସାରା ଦେଶରେ ଏକ ସମାନ ନୀତି ପ୍ରଣୟନ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏବଂ ସିବିଏସଇକୁ ନିର୍ଦ୍ଦେଶ ଦେବାକୁ ଆବେଦନରେ ଦାବି କରାଯାଇଥିଲା। ଆବେଦନରେ ଯୁକ୍ତି ଦିଆଯାଇଥିଲା ଯେ, ଯେପରି ସ୍କୁଲଗୁଡ଼ିକରେ ସାମୂହିକ ଭାବରେ ଜାତୀୟ ସଙ୍ଗୀତ ଗାନ କରାଯାଉଛି ସେହିପରି ସମ୍ବିଧାନର ପ୍ରସ୍ତାବନାର ନିୟମିତ ସାମୂହିକ ପାଠ ପିଲାମାନଙ୍କ ମଧ୍ୟରେ ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭ୍ରାତୃତ୍ୱ ଭଳି ସାମ୍ବିଧାନିକ ମୂଲ୍ୟବୋଧ ସମ୍ପର୍କରେ ବୁଝାମଣା ସୃଷ୍ଟି କରିବ।
ଆବେଦନକାରୀ ଧାରା ୨୧-ଏ ଅନୁଯାୟୀ ଶିକ୍ଷାର ମୌଳିକ ଅଧିକାର ଏବଂ ଧାରା ୫୧-ଏ(ଏ) ଅନୁଯାୟୀ ମୌଳିକ କର୍ତ୍ତବ୍ୟର ଉଦାହରଣ ଦେଇଥିଲେ। ଆବେଦନରେ ରାଜସ୍ଥାନ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସର୍କୁଲାରକୁ ମଧ୍ୟ ଉଲ୍ଲେଖ କରାଯାଇଥିଲା,ଯେଉଁଥିରେ ସରକାରୀ ଏବଂ ସମ୍ପୃକ୍ତ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ସକାଳ ସଭାରେ ସମ୍ବିଧାନର ପ୍ରସ୍ତାବନା ପାଠ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ସିବିଏସଇର ମେ’ ୨୦୨୫ ସର୍କୁଲାରକୁ ମଧ୍ୟ ଉଦ୍ଧୃତ କରାଯାଇଥିଲା। ଆବେଦନକାରୀ ଯୁକ୍ତି ଦେଇଥିଲେ ଯେ ସମ୍ବିଧାନର ପ୍ରସ୍ତାବନା ପାଠ କରିବା ନାଗରିକ ଚେତନା ବିକାଶ ପାଇଁ ସବୁଠାରୁ ପ୍ରଭାବଶାଳୀ ସକାରାତ୍ମକ ପଦକ୍ଷେପ ହୋଇପାରେ। ତେବେ ସୁପ୍ରିମକୋର୍ଟ ଆବେଦନକୁ ଗ୍ରହଣ ନକରି ଖାରଜ କରିଦେଇଛନ୍ତି।
ସୌଜନ୍ୟ ସମ୍ବାଦ




