Taslima Nasrin : କୋଲକାତାରେ ଝଲସୁଛି ତସଲିମାଙ୍କ ହୋର୍ଡିଂ, ଲେଖିକା କହିଲେ “ବାକ୍ ସ୍ୱାଧୀନତାର ବିଜୟ’
ଦୀର୍ଘ ୨୦ ବର୍ଷ ପରେ ବଙ୍ଗଳାରେ ପାଦ ଦେବେ ତସଲିମା ନାସରିନ। ଅଗଷ୍ଟ ୧ ତାରିଖରେ ସେ ରବୀନ୍ଦ୍ର ସଦନରେ ମୌଳବାଦ ବିରୋଧୀ କବି ଏବଂ ଲେଖକମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ । ତାଙ୍କ ଗସ୍ତ ପୂର୍ବରୁ ସହର ସାରା ହୋର୍ଡିଂ ଲାଗିଛି । ଏହାକୁ ଦେଖି ଲେଖିକା ଖୁସି ପ୍ରକଟ କରିଛନ୍ତି।

କୋଲକାତା, ୨୯/୭ : ପ୍ରଖ୍ୟାତ ଲେଖିକା ତସଲିମା ନସରିନ୍ ୨୦ ବର୍ଷ ପରେ ବଙ୍ଗଳାରେ ପାଦ ଦେଉଛନ୍ତି । ଅଗଷ୍ଟ ୧ ତାରିଖରେ ଲେଖିକା ରବୀନ୍ଦ୍ର ସଦନରେ ମୌଳବାଦ ବିରୋଧୀ କବି ଏବଂ ଲେଖକମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ । ତେବେ ତାଙ୍କ ଗସ୍ତ ପୂର୍ବରୁ ସହର ସାରା ହୋର୍ଡିଂ ଲାଗିଛି । ସୋମବାର ରାତିରେ, ତସଲିମା ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି ଯେଉଁଥିରେ ଗଡିଆହାଟ ଏବଂ ସେଣ୍ଟ୍ରାଲ ଆଭେନ୍ୟୁରେ ପ୍ରଦର୍ଶିତ ତାଙ୍କର ବିଶାଳ ହୋର୍ଡିଂ ଦେଖାଯାଉଛି । ଏହା ଦେଖି ସେ ଭାବପ୍ରବଣ ହୋଇଯାଇ ଲେଖିଛନ୍ତି ଯେ, “ରାତିର କୋଲକାତା’, ବାର ବର୍ଷ ପୂର୍ବେ ମୁଁ ମେଗା-ସିରିଆଲ “ଦସହୋବାସ’ ପାଇଁ କାହାଣୀ ଲେଖିଥିଲି । ସେହି ସୋ’ର ପ୍ରଚାର କରୁଥିବା ସମସ୍ତ ହୋର୍ଡିଂ ହଟାଇ ଦିଆଯାଇଥିଲା ଏବଂ ଆକାଶ ୮ରେ ଏହାର ପ୍ରସାରଣ ବନ୍ଦ କରିଦିଆଯାଇଥିଲା । ଆଜି କିନ୍ତୁ ଏହି ନୂତନ ହୋର୍ଡିଂଗୁଡ଼ିକ ହଟାଯାଉନାହିଁ । ତେଣୁ ଏଥିରୁ ଜଣାପଡୁଛି ଯେ, ବାକ୍ ସ୍ୱାଧୀନତାର ବିଜୟ ହୋଇଛି ।
୨୦୦୭ ମସିହାରେ, ତସଲିମାଙ୍କ ଉପନ୍ୟାସ “ଦ୍ୱିଖଣ୍ଡିତା’ (ବିଭାଜନ)ର ପ୍ରକାଶନକୁ ନେଇ କୋଲକାତା ଅଶାନ୍ତ ହୋଇପଡ଼ିଥିଲା । ତାଙ୍କ ଲେଖାରେ ଧାର୍ମିକ ମୌଳବାଦର କଟୁ, ଅଗ୍ନିପୂର୍ଣ୍ଣ ସମାଲୋଚନା ଯୋଗୁଁ ସଂଖ୍ୟାଲଘୁ ବହୁଳ ଅଞ୍ଚଳରେ ଅଶାନ୍ତି ହୋଇପଡିଥିଲା । ପରିସ୍ଥିତି ଏତେ ଅସ୍ଥିର ହୋଇଯାଇଥିଲା ଯେ ଏହାକୁ ନିୟନ୍ତ୍ରଣରେ ଆଣିବା ପାଇଁ ସେନାକୁ ନିୟୋଜିତ କରିବାକୁ ପଡିଥିଲା । ରାଜ୍ୟ ପ୍ରଶାସନର ତତ୍କାଳୀନ ମୁଖ୍ୟ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ବାମପନ୍ଥୀ ସାହିତ୍ୟିକଙ୍କ ସହିତ ପରାମର୍ଶ କରିବା ପରେ ତସଲିମାଙ୍କ ପୁସ୍ତକ ଉପରେ ପ୍ରତିବନ୍ଧକ ଲଗାଇଥିଲେ ଏବଂ ତାଙ୍କୁ କୋଲକାତା ଛାଡିବାକୁ କୁହାଯାଇଥିଲା । ଧର୍ମନିରପେକ୍ଷତା ଉପରେ ଗର୍ବ କରୁଥିବା ବାମପନ୍ଥୀ ସରକାରଙ୍କ ଶାସନରେ ଘଟିଥିବା ଏପରି ଘଟଣା ନିଃସନ୍ଦେହରେ ବଙ୍ଗଳାର ସାହିତ୍ୟ ଇତିହାସରେ ଏକ କଳା ଅଧ୍ୟାୟକୁ ପ୍ରତିନିଧିତ୍ୱ କରେ । ତେବେ ଏଥର ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ବିଜେପି ସରକାର ରାଜ୍ୟରେ ଏକ ଉଜ୍ୱଳ ବିକାଶ ଆରମ୍ଭ କରିବାକୁ ଯାଉଛି ।
ସୌଜନ୍ୟ ପ୍ରମେୟ




