Teachers Issues: ଶିକ୍ଷକ ତିଆରି କେନ୍ଦ୍ରରେ ଶିକ୍ଷକ ମରୁଡ଼ି, ୬୫ଟି ଶିକ୍ଷାନୁଷ୍ଠାନରେ ୭୬୬ ପଦବି ଖାଲି, କିଏ ଗଢ଼ିବ ଭବିଷ୍ୟତ ?

- ୩୧ ଇଟିଇଆଇରେ ୨୩ ଅଧ୍ୟକ୍ଷ, ୬୬% ଅଧ୍ୟାପକ ନାହାନ୍ତି
- ବ୍ଲକ ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନରେ ୫୮ରୁ ୪୪ ପଦବି ଫାଙ୍କା
ଭୁବନେଶ୍ୱର ୨୮/୧୧ (ଶୁଭ୍ରଜିତ ବଳିଆରସିଂହ): କଟକ ଜିଲ୍ଲା ଆଠଗଡ଼ରେ ଅଛି ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ (ଇଟିଇଆଇ) । ଯେଉଁଠି ସିଟି ପାଠ ପଢ଼ା ହେଉଛି । ଏଠାରୁ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀ ପ୍ରାଥମିକ ସ୍କୁଲ ଶିକ୍ଷକ ଭାବେ ନିଯୁକ୍ତ ହେବେ ଓ ଶିଶୁମାନଙ୍କ ଭାଗ୍ୟ ଗଢ଼ିବେ । ଏଠାରେ ଅଧ୍ୟକ୍ଷଙ୍କୁ ମିଶାଇ ମୋଟ ୧୬ଟି ଅଧ୍ୟାପକ ପଦବି ରହିଛି । କିନ୍ତୁ ଏବେ ଅଛନ୍ତି ମାତ୍ର ଦୁଇ ଜଣ କଳା ଶିକ୍ଷକ । ଅଧ୍ୟକ୍ଷଙ୍କ ସମେତ ୧୪ଟି ପଦବି ଖାଲି ପଡିଛି ।
ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକରେ ରହିଛି ସରକାରୀ ଇଟିଇଆଇ । ସେଠାରେ ନା ଅଛନ୍ତି ଅଧ୍ୟକ୍ଷ ନା ଅଛନ୍ତି ଅଧ୍ୟାପକ । କେବଳ ଦୁଇ ଜଣ କଳା ଶିକ୍ଷକଙ୍କ ଭରସାରେ ଚାଲିଛି ପାଠପଢ଼ା । ପୋଲସରା ବ୍ଲକର ଇଟିଇଆଇରେ ମଧ୍ୟ ସମାନ ଅବସ୍ଥା । ବ୍ରହ୍ମପୁର ମହିଳା ଇଟିଇଆଇରେ ମାତ୍ର ଜଣେ ଶିକ୍ଷକ (ଟିଚର ଏଜୁକେଟର) ହିଁ ପାଠ ପଢ଼ାଉଛନ୍ତି । ଏଠାରେ ଅନ୍ଲାଇନ୍ କ୍ଲାସ୍ ହିଁ ଭରସା । ପିଲାମାନଙ୍କୁ ଅତିଥି ଅଧ୍ୟାପକ କିମ୍ବା ଆଖ ପାଖର ଇଟିଇଆଇ କିମ୍ବା ଡିଆଇଇଟିରୁ ଶିକ୍ଷକ ମଗାଇ ପାଠ ପଢ଼ା ଚାଲିଛି ।
ଖୋରଧା ଜିଲ୍ଲା ବାଙ୍କୋଲ ସ୍ଥିତ ପାନ୍ ସ୍କୁଲ ଅଫ ଏଜୁକେସନ୍ର ଜଣେ କଳା ଶିକ୍ଷକ ହିଁ ପାଠପଢ଼ାଠୁ ଆରମ୍ଭ କରି ପ୍ରଶାସନିକ କାର୍ଯ୍ୟ ଅଧ୍ୟକ୍ଷ ସବୁ ଦାୟିତ୍ୱ ନିର୍ବାହ କରୁଛନ୍ତି । ପୁରୀ ଜିଲ୍ଲାର ସାକ୍ଷୀଗୋପାଳ, ବାଲେଶ୍ୱର ଜିଲ୍ଲା ତୁଗିଗଡ଼ିଆରେ ମଧ୍ୟ ସମାନ ଭାବେ ମାତ୍ର ଜଣେ କଳା ଶିକ୍ଷକରେ ହିଁ ପାଠ ପଢ଼ା ହେଉଛି । ଏଇ ଗୋଟିଏ କି ଦୁଇଟି ଶିକ୍ଷାନୁଷ୍ଠାନରେ ଶିକ୍ଷକ ଅଭାବ ସମସ୍ୟା ରହିଛି ତାହା ନୁହେଁ ବରଂ ରାଜ୍ୟରେ ୩୧ଟି ଇଟିଇଆଇରେ ସମାନ ଅବସ୍ଥା । ୪୮୦ ଅଧ୍ୟାପକ ପଦବିରୁ ୪୧୬ଟି ପଦବି ଖାଲି ପଡ଼ିଛି । ୨୩ଟିରେ ଅଧ୍ୟକ୍ଷ ନାହାନ୍ତି । ସ୍ଥିତି ଏପରି ଯେ, ଶିକ୍ଷକ ଗଢ଼ିବାକୁ ଶିକ୍ଷକ ନାହାନ୍ତି ।
ସରକାରୀ ତଥ୍ୟ କହୁଛି, ରାଜ୍ୟରେ ମୋଟ ୩୦ଟି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡିଆଇଇଟି) ରହିଛି । ଏଥିରେ ମୋଟ୍ ୬୧୭ଟି ପଦବି ରହିଛି । ଯେଉଁଥିରେ ଅଧ୍ୟକ୍ଷ, ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ, ଶିକ୍ଷକ ପ୍ରଶିକ୍ଷକ, ଶାରୀରିକ ଶିକ୍ଷା ଶିକ୍ଷକ, କଳା ଶିକ୍ଷକ ପଦବି ଆଦି ରହିଛି । ଏଥିରୁ ୩୧୧ଟି ପଦବିରେ ଶିକ୍ଷକ ଥିବା ବେଳେ ବାକି ୩୦୬ଟି ପଦବି ଖାଲି ରହିଛି ।
ସେହିପରି ରାଜ୍ୟରେ ୪ଟି ବ୍ଲକ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ବିଆଇଇଟି) ରହିଛି । ଏହାର କଥା ନ କହିବା ଭଲ । ୪ଟି ବିଆଇଇଟିରୁ ମାତ୍ର ଗୋଟିଏରେ ଅଧ୍ୟକ୍ଷ ଅଛନ୍ତି ବାକି ସବୁ ମୁରବୀ ଶୂନ୍ୟ । ଗୁଣପୁର, କୁଆରମୁଣ୍ଡା, ଉମରକୋଟ, ଗୋରୁମହିଷାଣୀରେ ରହିଛି ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ । ହେଲେ ଏଠାରେ ବରିଷ୍ଠ ଶିକ୍ଷା ପ୍ରଶିକ୍ଷକ, ଶାରୀରିକ ଶିକ୍ଷା ଶିକ୍ଷକ ପଦବି ହିଁ ନାହିଁ । କେବଳ ଶିକ୍ଷକ ପ୍ରଶିକ୍ଷକ ଓ କଳା ଶିକ୍ଷକ ପଦବି ରହିଛି । ହେଲେ ୪ଟି ଯାକ ବିଆଇଇଟିରେ କଳା ଶିକ୍ଷକ ପଦବି ଖାଲି ରହିଛି । ବିଆଇଇଟିରେ ମୋଟ ମଞ୍ଜୁରୀପ୍ରାପ୍ତ ୫୮ଟି ପଦବିରୁ ୧୪ଟି ପଦବିରେ ଶିକ୍ଷକ ଥିବା ବେଳେ ବାକି ୪୪ଟିରେ କେହି ନାହାନ୍ତି ।
ଏଥିରୁ ସ୍ପଷ୍ଟ ହେଉଛି ରାଜ୍ୟ ସରକାର କେବଳ ଜିଲ୍ଲା ମୁଖ୍ୟାଳୟ ତଥା ଡିଆଇଇଟିରେ ଯାହା ଯେମିତି ଅଧ୍ୟାପକ ପଦବି ପୂରଣ କରି ଦେଉଛନ୍ତି । ମାତ୍ର ବ୍ଲକ ସ୍ତରରେ ଥିବା ବିଭିନ୍ନ ସରକାରୀ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନକୁ ଅଣଦେଖା କରୁଛନ୍ତି । ସମସ୍ତ ସରକାରୀ ୬୫ଟି ଶିକ୍ଷକ ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ପାଇଁ ୧୧୫୫ଟି ମଞ୍ଜୁରୀପ୍ରାପ୍ତ ପଦବି ରହିଛି। ଏଥିରୁ ୩୮୯ଟି ପଦବିରେ ଶିକ୍ଷକ କାର୍ଯ୍ୟରତ ଅଛନ୍ତି ବାକି ୭୬୬ଟି ପଦବି ଖାଲି ରହିଛି । ଅର୍ଥାତ୍ ୬୬% ପଦବି ଖାଲି ରହିଛି ।
ଏହି ସବୁ ଶିକ୍ଷକ ଗଢ଼ା ଅନୁଷ୍ଠାନରେ ରାଜ୍ୟ ଶିକ୍ଷା ଗବେଷଣା ତାଲିମ ପରିଷଦ (ଏସ୍ସିଇଆର୍ଟି) ପକ୍ଷରୁ ଡିପ୍ଲୋମା ଇନ୍ ଏଲିମେଣ୍ଟାରୀ ଏଜୁକେସନ୍ ତଥା ସିଟି ପାଠ୍ୟକ୍ରମରେ ନାମଲେଖା ହେଉଛି । ସାରା ରାଜ୍ୟରେ ୬୫ଟି ସରକାରୀ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ରହିଛି । ଆଉ ୩ଟି ବେସରକାରୀ ପ୍ରତିଷ୍ଠାନ ରହିଛି । ପାଠ୍ୟକ୍ରମ ପାଇଁ ମୋଟ ୬ ହଜାର ୫୫୦ ସିଟ୍ ରହିଛି । ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ୧ ଲକ୍ଷ ୯ ହଜାର ୮୬ ଜଣ ଆବେଦନ କରୁଛନ୍ତି । ପ୍ରବେଶିକା ପରୀକ୍ଷା ମଧ୍ୟ ଦେଉଛନ୍ତି । ଅର୍ଥାତ୍ ସିଟ୍ ଯେତିକି ରହିଛି ତାର ୧୬ ଗୁଣରୁ ଅଧିକ ପିଲା ଆବେଦନ କରୁଛନ୍ତି ।
ସାକ୍ଷୀଗୋପାଳ ଇଟିଇଆଇରେ ପଢ଼ୁଥିବା ଦ୍ୱିତୀୟ ବର୍ଷର ଜଣେ ଛାତ୍ର କହିଛନ୍ତି, ଦୁଇ ବର୍ଷ ବିନା ଶିକ୍ଷକରେ ପାଠପଢ଼ା ହୋଇଗଲା । ପିଲାମାନଙ୍କୁ ଭଲ ସ୍ଥାନରେ ସିଟ୍ ନମିଳିବାରୁ ବାଧ୍ୟ ହୋଇ ଏଠାରେ ପଢ଼ୁଛୁ । ପ୍ରାକ୍ଟିକାଲ ଜ୍ଞାନ ବୃଦ୍ଧି ପାଇଁ ବାଧ୍ୟ ହୋଇ ବିଭିନ୍ନ ଘରୋଇ ସ୍କୁଲରେ ଶିକ୍ଷାଦାନ ଅଭ୍ୟାସ କରାଉଛୁ । ଲକ୍ଷ୍ୟ ହେଲା, ଏଠାରେ ପାଠ ପଢ଼ି ଭଲ ଶିକ୍ଷକ ବାହାରିବେ । ଆମ ରାଜ୍ୟର ଭବିଷ୍ୟତ କୋମଳମତି ଛାତ୍ରଛାତ୍ରୀଙ୍କ ମୂଳଦୂଆ ଗଢ଼ିବେ । ଦୁର୍ଭାଗ୍ୟର କଥା, ଶିକ୍ଷକଙ୍କୁ ଗଢ଼ିବ ଯିଏ ସେମାନେ ହିଁ ନାହାନ୍ତି । ଅନ୍ଲାଇନ୍ କ୍ଲାସ୍, ପାଖ ପ୍ରତିଷ୍ଠାନରୁ ଅତିଥି ଭାବେ ଆସୁଥିବା ଶିକ୍ଷକମାନେ ହିଁ ଭରସା । ସତେ ଯେମିତି ଆମ ରାଜ୍ୟର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବାଜିରେ ଲାଗିଛି।
ସୌଜନ୍ୟ ପ୍ରମେୟ




