ରାଜ୍ୟ

Kataka Bali Jatra : ବାଲିଯାତ୍ରା କଟକଣା, ଦୋଳିରେ ବସି ରିଲ୍ସ କରିବା ଓ ସେଲଫି ନେବା ମନା

କଟକ, ୨୮/୧୧ : ଗୁରୁବାର ବାଲିଯାତ୍ରା ପଡ଼ିଆରେ ରାମଦୋଳିରୁ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହେବା ପରେ ପ୍ରଶାସନ ଦୋଳି ପାଇଁ ସ୍ୱତନ୍ତ୍ର କଟକଣା ଲାଗୁ କରିଛି । ଦୋଳିରେ ନିଶାସକ୍ତ ଓ ଛୋଟ ପିଲାଙ୍କୁ ସଂପୂର୍ଣ୍ଣ ବାରଣ କରାଯାଇଛି । ସେହିପରି ଦୋଳିରେ ବସି ସେଲ୍‌ଫି ନେବା ଓ ରିଲ୍‌ସ କରିବା ଉପରେ ବି କଟକଣା ଲାଗୁ ହୋଇଛି । ଦୋଳି ପରିଚାଳନା କରୁଥିବା ସଂସ୍ଥା ଏହା ଉପରେ ନଜର ରଖିବ । କଡ଼ାସୁରକ୍ଷା ଓ ପ୍ରଶାସନିକ କଟକଣା ସହ ବାଲିଯାତ୍ରାରେ ଦୋଳି ଚଳାଚଳ ପାଇଁ ପ୍ରଶାସନ ଆଜି ସର୍ତ୍ତମୂଳକ ଅନୁମତି ଦେଇଛି ।

ବାଲିଯାତ୍ରାରେ ଦୁର୍ଘଟଣା ପରେ ଦୋଳିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଫଳରେ ଶୁକ୍ରବାର ସକାଳୁ ସମସ୍ତ ଦୋଳି ବନ୍ଦ କରିଦେଇଥିଲା ପୁଲିସ । ଦୋଳିଗୁଡ଼ିକର କାଗଜପତ୍ର ଓ ଯାନ୍ତ୍ରିକ ସୁରକ୍ଷା ଯାଞ୍ଚ୍‌ ପରେ ହିଁ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଥିଲା । ଅପରାହ୍ନରେ ଦୋଳି ଚାଳକ ସଂଘର କର୍ମକର୍ତ୍ତାଙ୍କ ସହ ଅତିରିକ୍ତ ଜିଲ୍ଲାପାଳ କମଲଜିତ ଦାସଙ୍କ ଆଲୋଚନା ପରେ ସୁରକ୍ଷା ସର୍ତ୍ତବଳୀ ଓ କଟକଣା ସହ ଦୋଳି ଚଳାଚଳକୁ ଅନୁମତି ମିଳିଛି । ତେବେ ଦୁର୍ଘଟଣାର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି କି, ଦୋଳି ଚାଲୁଥିବାବେଳେ ସିଟ୍‌ ଅଦଳବଦଳ କରିବାରୁ ଦୁଇ ଯୁବକ ତଳକୁ ଛିଟିକି ପଡ଼ିଥିଲେ । ସେମାନଙ୍କ ମଧ୍ୟରୁ ରାଣୀହାଟରେ ରହୁଥିବା ଭଦ୍ରକର ଚନ୍ଦ୍ରକାନ୍ତ ବଳଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ଅନ୍ୟଜଣେ ଯୁବକ ଗୁରୁତର ଆହତ ହୋଇଥିଲେ । ତେବେ ଏହାର ସବିଶେଷ ଯାଞ୍ଚ୍‌ ଚାଲିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଦୁର୍ଘଟଣା ଘଟିଥିବା ଦୋଳିର ଲାଇସେନ୍ସକୁ ପ୍ରଶାସନ ବାତିଲ କରିଦେଇଛି । ସଂପୃକ୍ତ ସଂସ୍ଥାର ସବୁ ଦୋଳିର ଚଳାଚଳକୁ ମଧ୍ୟ ବନ୍ଦ କରାଯାଇଛି ।

ପ୍ରତ୍ୟେକ ଦୋଳି ପାଇଁ ଦୈନିକ ଚାରି ପ୍ରକାରର ସୁରକ୍ଷା ଯାଞ୍ଚ୍‌ ଓ ପ୍ରମାଣପତ୍ର ବାଧ୍ୟତାମୂଳକ ବୋଲି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ସ୍ପଷ୍ଟ କରିଛନ୍ତି । ଏଥିରେ ଯାନ୍ତ୍ରିକ ସୁରକ୍ଷା, ଅଗ୍ନି ନିରାପତ୍ତା, ଦୋଳିର ଢାଞ୍ଚାଗତ ସ୍ଥିରତା ଏବଂ ବିଦ୍ୟୁତ୍‌ ସୁରକ୍ଷା ଅନ୍ତର୍ଭୁକ୍ତ । ଏଥିପାଇଁ ଚାରିଟି ସ୍ୱତନ୍ତ୍ର ଟିମ୍‌ ପ୍ରତିଦିନ ସକାଳେ ଯାଞ୍ଚ୍‌ କରିବା ପରେ ଅପରାହ୍ନରେ ଦୋଳି ଚଳାଚଳକୁ ଅନୁମତି ଦିଆଯିବ । ସମସ୍ତ ଦୋଳି ଓ ରାଇଡର୍‌ ଏସ୍‌ଓପି କଡ଼ାକଡ଼ି ପାଳନ ସହ ପ୍ରତ୍ୟେକ ଦୋଳି ନିକଟରେ ଜଣେ ଦାୟିତ୍ୱସମ୍ପନ୍ନ କର୍ମଚାରୀ ରହି ଯାତ୍ରୀଙ୍କ ସୁରକ୍ଷା ଯାଞ୍ଚ୍‌ କରିବେ ବୋଲି ସର୍ତ୍ତ ରଖାଯାଇଛି । ନିଶାସକ୍ତ ବ୍ୟକ୍ତି ଓ ଶିଶୁଙ୍କୁ ଦୋଳିରେ ବସିବାକୁ ଦିଆଯିବ ନାହିଁ । ଦୋଳିରେ ବସି ରିଲ୍ସ କରିବା, ସେଲ୍‌ଫି ନେବା, ନିର୍ଦ୍ଧାରିତ କ୍ଷମତାଠାରୁ ଅଧିକ ଯାତ୍ରୀ ବସିବା, ଗୋଟିଏ କ୍ୟାବିନରୁ ଅନ୍ୟ କ୍ୟାବିନକୁ ଡେଇଁବା ଏବଂ ନିଶାସକ୍ତ ଅବସ୍ଥାରେ ଦୋଳିରେ ଚଢ଼ିବା ଭଳି ବିପଜ୍ଜନକ କାର୍ଯ୍ୟରୁ ଦୂରେଇ ରହିବାକୁ ଏଡିଏମ୍‌ ଶ୍ରୀ ଦାସ କହିଛନ୍ତି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button