Trump : ଅସ୍ତ୍ରବିରତି ସମୟ ସୀମା ବୃଦ୍ଧି କଲେ ଟ୍ରମ୍ପ: ନା ନା କହି ଶେଷରେ ଶାହବାଜ-ମୁନିର ବାଧ୍ୟ କରିବାରୁ ହେଲେ ରାଜି

ୱାସିଂଟନ:ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଏବଂ ଆମେରିକା ମଧ୍ୟରେ ଅସ୍ତ୍ରବିରତି ଅବଧି ଶେଷ ହେବା ପୂର୍ବରୁ ଏହାକୁ ବୃଦ୍ଧି କରିଛନ୍ତି। ସେ ବୁଧବାର ସକାଳେ ଘୋଷଣା କରିଛନ୍ତି ଯେ, ଇରାନ ପକ୍ଷରୁ ଏକ ପ୍ରସ୍ତାବ ଉପସ୍ଥାପନ ନ କରିବା ପର୍ଯ୍ୟନ୍ତ ସେ ଏହି ଯୁଦ୍ଧବିରତିକୁ ବୃଦ୍ଧି କରୁଛନ୍ତି। ସେ କହିଛନ୍ତି ଯେ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ଅପିଲ୍‌ ଉପରେ ବିଚାର କରି ଏହି ନିଷ୍ପତ୍ତି ନିଆଯାଇଛି। ଶାହବାଜ ଏବଂ ମୁନିର ତେହେରାନ ନେତୃତ୍ୱ ଏକ ପ୍ରସ୍ତାବ ଉପସ୍ଥାପନ ନ କରିବା ପର୍ଯ୍ୟନ୍ତ ଇରାନ ଉପରେ ଆକ୍ରମଣ ବନ୍ଦ କରିବାକୁ ଅନୁରୋଧ କରିଥିଲେ।

ଟ୍ରମ୍ପ ଇରାନକୁ ନିରନ୍ତର ଧମକ ଦେଇ ଆସୁଛନ୍ତି। ସେ କହିଥିଲେ ଯେ ଯଦି କୌଣସି ସମାଧାନ ବିନା ଯୁଦ୍ଧବିରତି ଶେଷ ହୁଏ, ତେବେ ସେ ଇରାନ ଉପରେ ବୋମା ପକାଇବାକୁ ପ୍ରସ୍ତୁତ ଅଛନ୍ତି। ଉଭୟ ଦେଶର ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ସୂଚାଇ ଦେଉଥିଲା ଯେ ଅସ୍ତ୍ରବିରତି ଆଗକୁ ବଢ଼ିବ ନାହିଁ ଏବଂ ମଧ୍ୟପ୍ରାଚ୍ୟ ଖୁବ୍ ଶୀଘ୍ର ବିନାଶ ଭିତରକୁ ଠେଲି ହୋଇଯିବ। ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଗୁରୁତ୍ୱପୂର୍ଣ୍ଣ। ପ୍ରଶ୍ନ ଉଠୁଛି: ଟ୍ରମ୍ପଙ୍କୁ ତାଙ୍କ ମନ ପରିବର୍ତ୍ତନ କରିବାକୁ କାହିଁକି ବାଧ୍ୟ କରାଯାଇଥିଲା?

ଆମେରିକା ରାଷ୍ଟ୍ରପତି କ’ଣ ପାଇଁ ସେ ଅସ୍ତ୍ରବିରତି ବୃଦ୍ଧି କରିବାକୁ ଚାହିଁଲେ ତାହା ସ୍ପଷ୍ଟ କରି ନାହାନ୍ତି। ସେ ତାଙ୍କ ଟ୍ରୁଥ୍ ସୋସିଆଲ ପୋଷ୍ଟରେ ଦୁଇଟି କାରଣ ଉଲ୍ଲେଖ କରିଛନ୍ତି, ପ୍ରଥମ କାରଣ ଇରାନର ବିଭାଜନ। ଦ୍ବିତୀୟ କାରଣ ମୁନିର ଏବଂ ସରିଫ ଅପିଲ୍ କରିଥିଲେ ଯେ, ତେହେରାନକୁ ଏକ ପ୍ରସ୍ତାବ ଉପସ୍ଥାପନ କରିବାକୁ ଅନୁମତି ଦେବା ଏବଂ ସେପର୍ଯ୍ୟନ୍ତ ଆକ୍ରମଣ ବନ୍ଦ କରାଯିବା ଉଚିତ। ଟ୍ରମ୍ପଙ୍କ ଘୋଷଣା ପରେ, ଶାହବାଜ ସରିଫ ପାକିସ୍ତାନର ଅନୁରୋଧକୁ ଗ୍ରହଣ କରିଥିବାରୁ ଆମେରିକୀୟ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇ ଜାରି ରହିଥିବା କୂଟନୈତିକ ପ୍ରୟାସକୁ ଆଗକୁ ବଢ଼ାଇବ ପାଇଁ ଅସ୍ତ୍ରବିରତି ଅବଧି ବୃଦ୍ଧି କରିବା ଜରୁରୀ। ସରିଫ କହିଛନ୍ତି, ପାକିସ୍ତାନ ଉପରେ କରାଯାଇଥିବା ଭରସା ଏବଂ ବିଶ୍ୱାସ ଯୋଗୁଁ ଆମେ ବିବାଦର ଆଲୋଚନାମୂଳକ ସମାଧାନ ପାଇଁ ଆନ୍ତରିକ ପ୍ରୟାସ ଜାରି ରଖିବୁ। ସେ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିଛନ୍ତି ଯେ ପାକିସ୍ତାନରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ସ୍ଥିର କରାଯାଇଛି। ତେବେ ଏନେଇ ସେ କୌଣସି ତାରିଖ ନିର୍ଦ୍ଦିଷ୍ଟ ଭାବେ କହିନାହାନ୍ତି।
ତେବେ ଇରାନର ସଂସଦର ବାଚସ୍ପତି ଏବଂ ଶୀର୍ଷ ଆଲୋଚନାକାରୀ ମହମ୍ମଦ ବାକର ଗାଲିବାଫଙ୍କ ଜଣେ ପରାମର୍ଶଦାତା ଟ୍ରମ୍ପଙ୍କ ଅସ୍ତ୍ରବିରତି ବୃଦ୍ଧି ଘୋଷଣାକୁ ଖଣ୍ଡନ କରି କହିଛନ୍ତି ଯେ ଏହା କେବଳ ଅତର୍କିତ ଆକ୍ରମଣ ଆରମ୍ଭ କରିବାର ଏକ ଚାଲ୍। ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ପରାମର୍ଶଦାତା ଆମେରିକାର ଇରାନ ବନ୍ଦରଗୁଡିକ ଉପରେ ଲଗାତାର ଅବରୋଧର ଜବାବରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଆହ୍ୱାନ କରିଛନ୍ତି।

ସୌଜନ୍ୟ ସମ୍ବାଦ