Wholesale: ପାଇକାରୀ ମୁଦ୍ରାସ୍ଫୀତି ୮.୩%କୁ ବୃଦ୍ଧି; ୨୪ ମାସରେ ସର୍ବାଧିକ

ନୂଆଦିଲ୍ଲୀ: ଇନ୍ଧନ ଓ ତେଲ ଦର ବଢ଼ିବା ପରେ ଏପ୍ରିଲ ମାସର ପାଇକାରୀ ମୁଦ୍ରାସ୍ଫୀତି ହାର ୮.୩ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ଗତ ୨୪ ମାସ ମଧ୍ୟରେ ସର୍ବାଧିକ। ଗତ ମାର୍ଚ୍ଚରେ ପାଇକାରୀ ମୁଦ୍ରାସ୍ଫୀତି ୩.୮୬ ପ୍ରତିଶତ ଥିଲା। ପୂର୍ବରୁ ପାଇକାରୀ ବଜାରରେ ଦରଦାମ୍‌ର ଏଭଳି ଚାପ ଦେଖିବାକୁ ମିଳିନଥିଲା। ଖଣିଜ ତୈଳ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌, ମୌଳିକ ଧାତବ ପଦାର୍ଥ ଓ ଉତ୍ପାଦନ କରାଯାଉଥିବା ଅନ୍ୟାନ୍ୟ ଜିନିଷ ମହଙ୍ଗା ହୋଇଥିବାରୁ ପାଇକାରୀ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି। ଖଣିଜ ତୈଳ ମୁଦ୍ରାସ୍ଫୀତିରେ ସର୍ବାଧିକ ୧୮.୨୨ ପ୍ରତିଶତ ରହିଛି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମୁଦ୍ରାସ୍ଫୀତି ୬୭.୧୮ ପ୍ରତିଶତ ଓ ଅଶୋଧିତ ପେଟ୍ରୋଲିୟମ ଉତ୍ପାଦ ମୁଦ୍ରାସ୍ଫୀତି ୮୮.୦୬ ପ୍ରତିଶତ ହୋଇଛି। ପେଟ୍ରୋଲ ମୁଦ୍ରାସ୍ଫୀତି ୩୨.୪୦ ପ୍ରତିଶତ, ହାଇସ୍ପିଡ୍‌ ଡିଜେଲ୍‌ ମୁଦ୍ରାସ୍ଫୀତି ୨୫.୧୯ ପ୍ରତିଶତ ଓ ଏଲ୍‌ପିଜି ମୁଦ୍ରାସ୍ଫୀତି ୧୦.୯୨ ପ୍ରତିଶତ ହୋଇଛି।

କାରଖାନାରେ ଉତ୍ପାଦନ କରାଯାଉଥିବା ୨୨ ପ୍ରକାର ପ୍ରମୁଖ ସାମଗ୍ରୀ ମଧ୍ୟରୁ ୨୧ ପ୍ରକାର ଜିନିଷର ଦାମ୍‌ ବଢ଼ିଛି। ସେଗୁଡ଼ିକ ମଧ୍ୟରେ ମୌଳିକ ଧାତବ ପଦାର୍ଥ, ରସାୟନ, ବୟନ, ଖାଦ୍ୟ ଓ ଉପକରଣ ଆଦି ଜିନିଷ ରହିଛି। ବୟନ ମୁଦ୍ରାସ୍ଫୀତି ୭.୩୦ ପ୍ରତିଶତ, ରସାୟନ ମୁଦ୍ରାସ୍ଫୀତି ୫.୦୯ ପ୍ରତିଶତ ଓ ମୌଳିକ ଧାତବ ମୁଦ୍ରାସ୍ଫୀତି ୭ ପ୍ରତିଶତ ରହିଛି। ଏହି ସମୟରେ ଖାଦ୍ୟ ମୁଦ୍ରାସ୍ଫୀତି ୨.୩୧ ପ୍ରତିଶତକୁ ବୃଦ୍ଧି ପାଇଛି। ଏପ୍ରିଲ ମାସରେ ଫଳ, ଅଣ୍ଡା, ମାଂସ, ମାଛ, ଦୁଗ୍ଧ ଓ ପନିପରିବା ମହଙ୍ଗା ହୋଇଥିଲା। ତେବେ ଆଳୁ, ପିଆଜି ଓ କେତେକ ଡାଲି ମୂଲ୍ୟରେ ହ୍ରାସ ଘଟିଥିଲା।

ସୌଜନ୍ୟ ସମ୍ବାଦ