ରାଜ୍ୟ

World Photography Day: ଡାର୍କ ରୁମ୍‌ରୁ ଚା’ ଦୋକାନ, ଫଟୋଗ୍ରାଫର୍‌ଙ୍କ ୫ ଦଶନ୍ଧିର ଯାତ୍ରା

ବେଉସା ଛଡ଼ାଇନେଲା ସମୟ । ଡାର୍କରୁମ୍‌ରୁ ଚା’ଦୋକାନ । ଫଟୋଗ୍ରାଫର୍‌ଙ୍କ ୫ ଦଶନ୍ଧିର ଯାତ୍ରା । ଜାଣନ୍ତୁ ଫଟୋଗ୍ରାଫର ତୋଟା ରାଜୁ ଙ୍କ କାହାଣୀ ।

ବ୍ରହ୍ମପୁର, ୧୯/୮ : ସମୟ  ବଦଳିଛି, ଫଟୋଗ୍ରାଫିର ଦୁନିଆ ବଦଳିଛି ।  ଏବେ ଡିଜିଟାଲ କ୍ୟାମେରା, ମୋବାଇଲ୍‌ ଓ  ଆଧୁନିକ ଏଡିଟିଂର ଯୁଗ । ହେଲେ ଦିନେ ଏମିତି ଏକ ସମୟ ଥିଲା, ଯେତେବେଳେ  ଗୋଟିଏ କଳାଧଳା ଫଟୋକୁ ଜୀବନ୍ତ ରୂପ  ଦେବା ପାଇଁ ଦରକାର ପଡୁଥିଲା ଧୈର୍ଯ୍ୟ, ଦକ୍ଷତା ଓ ରସାୟନର ଜ୍ଞାନ । ସେହି ସମୟରେ ଲୋକଙ୍କ ସ୍ମୃତିକୁ ଜୀବନ୍ତ ରୂପ ଦେଉଥିବା  ଲୋକ ଆଜି ଅଲୋଡ଼ା । ଏହିପରି ଜଣେ  ବ୍ୟକ୍ତିତ୍ୱ ହେଉଛନ୍ତି ଶ୍ରୀକ୍ଷେତ୍ର ବିହାରରେ  ରହୁଥିବା ତୋଟା ରାଜୁ । ବୟସ ୭୪ ପାର  କଲାଣି । ଷ୍ଟୁଡ଼ିଓରୁ ଡାର୍କରୁମ୍‌ ହଟିଛି । ଯେଉଁ  ହାତ ଦିନେ ଡାର୍କରୁମ୍‌ରେ ଚଳଚଞ୍ଚଳ ଥିଲା, ସେହି ହାତ ଏବେ ଗ୍ରାହକଙ୍କୁ ଚା’ ପରଷୁଛି ।

ସହରର ସର୍ବ ପୁରାତନ ଫଟୋ ଷ୍ଟୁଡିଓ ମଧ୍ୟରୁ ତୋଟା ଷ୍ଟୁଡିଓ ଅନ୍ୟତମ । ତୋଟା  ରାଜୁ କୁହନ୍ତି, ବାପା ତୋଟା ଭେଙ୍କଟେଶ୍ୱର ରାଓ ଏହି ଷ୍ଟୁଡିଓ ତିଆରି କରିଥିଲେ । ସେ  ୧୨ ବର୍ଷରୁ ସେଠାରେ ଫଟୋ ଉଠାଇବା, ଗ୍ଲାସ ପ୍ଲେଟରୁ ନେଗେଟିଭ୍‌ ପ୍ଲେଟ୍‌, ଡାର୍କ ରୁମରେ ନେଗେଟିଭ୍‌ ରିଲ୍‌ରୁ ଫଟୋ  ଡେଭେଲପ୍‌ କାମ କରୁଥିଲେ । ଅନେକ  ସମୟରେ ରିଲରେ କିଛିଟା ତ୍ରୁଟି ରହୁଥିଲା ।ତାହାକୁ ବ୍ଲେଡ୍‌, ପେନସିଲ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ମାଧ୍ୟମରେ ସଜାଡୁଥିଲେ । ଏହି କାମ ପାଇଁ ପ୍ରତି ମାସରେ ପଡ଼ୋଶୀ  ରାଜ୍ୟ ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ଅଞ୍ଚଳରୁ  ଅନେକ ଅର୍ଡର ମଧ୍ୟ ଆସୁଥିଲା। ଏବେ ଯୁଗ  ବଦଳିଛି । ଡିଜିଟାଲ ଯୁଗ ଆସିବା ପରେ  ପାରମ୍ପରିକ ଫଟୋ ପ୍ରୋସେସିଂର ଚାହିଦା କମିଗଲା । ଦୀର୍ଘ ୫୦ ବର୍ଷ ଧରି ଫଟୋଗ୍ରାଫି  ସହ ନିଜକୁ ଜଡ଼ିତ  ରଖିବା ପରେ ୨୦୧୨  ମସିହା ପରଠୁ ଏହାଠୁ  ଦୂରେଇ ରହିଛନ୍ତି । ଆଜି ସେ ଏକ ଛୋଟ  ଚା’ ଦୋକାନ କରି ଗୁଜରାଣ ମେଣ୍ଟାଉଛନ୍ତି ।  ଚା’ କପରୁ ଉଠୁଥିବା ଧୂଆଁ ଭିତରେ ତାଙ୍କ ଜୀବନର ପୁରୁଣା ଦିନଗୁଡିକୁ ସେ ଦେଖୁଥିବା  କୁହନ୍ତି । ତାଙ୍କ ମନରେ ଆଜି ବି ବଞ୍ଚିଛି ସେହି ପୁରୁଣା ଫଟୋଗ୍ରାଫିର ଦିନ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button