ରାଜ୍ୟ

Cyclone Fear: ଘୂର୍ଣ୍ଣିବଳୟ, ଲଘୁଚାପ ପୂର୍ବାନୁମାନ.. ଗଞ୍ଜାମକୁ ଅକ୍ଟୋବରରେ ବାତ୍ୟା ଭୟ, ସ୍ମୃତିରୁ ଯାଇନି ମହାବାତ୍ୟା, ଫାଇଲିନ୍‌ର କରାଳରୂପ

ବ୍ରହ୍ମପୁର,୦୩/୧୦: ଅକ୍ଟୋବର ଆସିଲେ  ଗଞ୍ଜାମବାସୀଙ୍କ ମନରେ ବାତ୍ୟା ଛନକା ପଶେ ।  ଫାଇଲିନ୍‌, ହୁଡ୍‌ହୁଡ୍‌, ତିତ୍‌ଲି, ଦାନା, ମୋନ୍‌ଥା  ସମେତ ଗୁଲାବ (ସେପ୍ଟେମ୍ବର ଶେଷ ସପ୍ତାହ)- ଏମିତି  ଅନେକ ବାତ୍ୟା ଆସିଛନ୍ତି ଅକ୍ଟୋବରରେ । କିଏ ପ୍ରଳୟ  କରିଛନ୍ତି ତ କିଏ କେବଳ ଡରେଇ ଚାଲିଯାଇଛନ୍ତି । ଗତ  ସେପ୍‌ଟେମ୍ବର ଶେଷ ସପ୍ତାହରେ ଗଭୀର ଅବପାତ  ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ବ୍ରହ୍ମପୁର ସମେତ  ଗଞ୍ଜାମ, ଗଜପତିର ଅର୍ଦ୍ଧେକ ଅଞ୍ଚଳ ବୁଡ଼ାଇଥିଲା ।  ଲୋକେ ଭାବିଥିଲେ ଅକ୍ଟୋବରରେ ବୋଧହୁଏ ଆଉ କିଛି  ବିପର୍ଯ୍ୟୟ ହେବନି । ହେଲେ ଆସନ୍ତା ୧୨ ତାରିଖରେ  ଆଉ ଏକ ଘୂର୍ଣ୍ଣିବଳୟ ଓ ୧୩ରେ ଲଘୁଚାପର ପୂର୍ବାନୁମାନ  ପ୍ରବଳ ବର୍ଷାରେ କ୍ଷତିଗ୍ରସ୍ତଙ୍କ ଆଶଙ୍କା ବଢ଼ାଇଲାଣି ।

୧୯୯୯ ଅକ୍ଟୋବର ୨୯ ତାରିଖ ମହାବାତ୍ୟା  ପୂର୍ବରୁ, ୧୭ ତାରିଖରେ ଗଞ୍ଜାମ ଜିଲ୍ଲାରେ ହୋଇଥିଲା  ବଡ଼ ଧରଣର ବାତ୍ୟା । ମହାସପ୍ତମୀ ମଧ୍ୟରାତ୍ରିରୁ  ମହାଷ୍ଟମୀ ସକାଳ ଯାଏଁ ହୋଇଥିବା ଏହି ବାତ୍ୟାରେ  ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ।  ଉଜୁଡ଼ା ଭିତ୍ତିଭୂମି ସଜାଡ଼ିବାକୁ ଦୀର୍ଘ ବର୍ଷ ଲାଗିଥିଲା  ଗଞ୍ଜାମବାସୀଙ୍କୁ । ଏହାର ୧୪ ବର୍ଷ ପରେ ଅର୍ଥାତ  ୨୦୧୩ ଅକ୍‌ଟୋବର ୧୨ ତାରିଖର ଫାଇଲିନ୍‌   ମହାବାତ୍ୟାକୁ ମନେ ପକାଇ ଦେଇଥିଲା । ଫାଇଲିନ୍‌  ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍‌ କରିବାରୁ  ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ଗଞ୍ଜାମ ଜିଲ୍ଲା । ଉଜାଡ଼ି  ଦେଇଥିଲା ଲୋକଙ୍କ ଜୀବନଜୀବିକା । ହଜାର ହଜାର  ଲୋକ ଜଳବନ୍ଦୀ ହେଲେ । ରାସ୍ତା ଧୋଇ ଯାଇଥିଲା,  ବିଜୁଳି ଖୁଣ୍ଟ ଭାଙ୍ଗି ଯାଇଥିଲା, ବିଶାଳ ଗଛ ସବୁ ଉପୁଡ଼ି  ଯାଇଥିଲା, ଶହ ଶହ ଘରର ଛପର ଉଡ଼ି ଯାଇଥିଲା ।  ସବୁଦିଗରୁ କ୍ଷତିଗ୍ରସ୍ତ ହୋଇଥିଲା ଗଞ୍ଜାମ ।

ପରବର୍ଷ,  ଅକ୍ଟୋବର ୨୦୧୪ରେ ପୁଣି ଏକ ବାତ୍ୟା ‘ହୁଡ୍‌ହୁଡ୍‌’ର  ପୂର୍ବାନୁମାନ ଜିଲ୍ଲାବାସୀଙ୍କୁ ଆତଙ୍କିତ କରିଥିଲା । ମାତ୍ର  ଏହା ବିଶାଖାପାଟଣାରେ ଲ୍ୟାଣ୍ଡଫଲ୍‌ କରିବାରୁ ଗଞ୍ଜାମ କ୍ଷୟକ୍ଷତିରୁ ବର୍ତ୍ତି ଯାଇଥିଲା । ସେହିପରି ଅକ୍ଟୋବର  ୨୦୧୮ରେ ପୁଣି ଏକ ବାତ୍ୟା ‘ତିତ୍‌ଲି’ ଆସୁଥିବା ନେଇ  ପାଣିପାଗ ବିଭାଗର ସୂଚନା ପରେ ବିଚଳିତ ହୋଇଥିଲେ ଜିଲ୍ଲାବାସୀ । ତେବେ  ତିତ୍‌ଲି ଆନ୍ଧ୍ରପ୍ରଦେଶର ପଲାସାରେ  ଲ୍ୟାଣ୍ଡଫଲ୍‌ କରିଥିଲା ।  ୨୦୨୧ ସେପ୍ଟେମ୍ବର ମାସ  ଶେଷ ସପ୍ତାହରେ କଳିଙ୍ଗପଟନମ୍‌ ଓ ଗୋପାଳପୁର  ମଧ୍ୟରେ ବାତ୍ୟା ‘ଗୁଲାବ’ ଲ୍ୟାଣ୍ଡଫଲ୍‌ କରିଥିଲେ ବି  ଏହା ଦ୍ୱାରା ବିଶେଷ କ୍ଷୟକ୍ଷତି ହୋଇନଥିଲା । ୨୦୨୪  ଅକ୍ଟୋବର ୨୪ରେ ବାତ୍ୟା ‘ଦାନା’ ଗଞ୍ଜାମରେ ଭୟ  ସୃଷ୍ଟି କରିଥିଲା । ପରେ ଏହା ପଶ୍ଚିମବଙ୍ଗ ମୁହାଁ ହେବାରୁ  ଗଞ୍ଜାମରେ ପ୍ରଭାବହୀନ ଥିଲା ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button