ମହାରାଷ୍ଟ୍ରରୁ ଓଡ଼ିଶା ଆସିଲା ମରାଠା ମହାବଳ, ସାଥୀ ସନ୍ଧାନରେ ଡେବ୍ରିଗଡ଼ ଅଭୟାରଣ୍ୟରେ ଘୂରି ବୁଲୁଛି, ବନ ବିଭାଗର ନଜର

ଭୁବନେଶ୍ୱର/ବରଗଡ଼,୧୬/୧୧: ଡେବ୍ରିଗଡ଼ ଅଭୟାରଣ୍ୟରେ ନୂଆ ଅତିଥି ସାଜିଥିବା ଯୁବ ମହାବଳର ଜନ୍ମସ୍ଥାନ ହେଉଛି ମହାରାଷ୍ଟ୍ରର ତଡ଼ଭା-ଅନେ୍ଧରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ । ୩ ରାଜ୍ୟ ସୀମା ଡେଇଁ ଡେବ୍ରିଗଡ଼ରେ ପଶିଛି । କିନ୍ତୁ ଛତିଶଗଡ଼ର ଉଦନ୍ତୀ-ସୀତାନଦୀ ବ୍ୟାଘ୍ର ପ୍ରକଳ୍ପରେ ମହାବଳଟି ପ୍ରାୟ ୬ ମାସ ଘୂରି ବୁଲିଥିଲା । ତଥାପି ସେଠାରେ ନିଜ ଚରାଭୂଇଁ ବାଛି ପାରିଲାନି କି ସାଥୀ ଖୋଜିପାରିଲାନି । ମରାଠା ମହାବଳଟି ଡେବ୍ରିଗଡ଼ର ସ୍ଥାୟୀ ବାସିନ୍ଦା ହେବ ନା ଫେରିଯିବ, ସେନେଇ ଚିନ୍ତାପ୍ରକଟ କରିଛନ୍ତି ବନ୍ୟଜନ୍ତୁପ୍ରେମୀ ।
ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ଏହି ମହାବଳର ଫଟୋଚିତ୍ର ସହ ୨୦୨୫ ଶେଷାର୍ଦ୍ଧରେ ଉଦନ୍ତୀ-ସୀତାନଦୀରେ ବୁଲୁଥିବା ମହାବଳର କ୍ୟାମେରା-ଟ୍ରାପ୍ ଫଟୋଚିତ୍ର ପ୍ରାୟତଃ ଖାପ ଖୁଆଉଛି । କିଛି ମାସ ଧରି ଉଦନ୍ତୀ-ସୀତାନଦୀ ଓ ଗୋମର୍ଦ୍ଦା ଅଭୟାରଣ୍ୟରେ ଚକ୍କର କାଟିଥିବା ସେଠାକାର ବନ ବିଭାଗ ସ୍ପଷ୍ଟ କରିଛି । ସେଠାକାର ଘଞ୍ଚ ଜଙ୍ଗଲରେ ବାଘର ଖାଦ୍ୟ ଅଛନ୍ତି । ପର୍ଯ୍ୟାପ୍ତ ଖାଦ୍ୟ ଥିବା ସତ୍ତେ୍ୱ ମରାଠା ମହାବଳଟି କାହିଁକି ସେଠାକାର ଘଞ୍ଚ ଜଙ୍ଗଲକୁ ନିଜ ଇଲାକା ବନାଇଲାନି, ସେନେଇ କିଛି ଠୋସ୍ ତଥ୍ୟ ମିଳିନାହିଁ ।
ବୋଧହୁଏ, ସାଥୀ ସନ୍ଧାନରେ ନୂଆ ଜଙ୍ଗଲ(ଡେବ୍ରିଗଡ଼) କୁ ଆସିଥାଇପାରେ । କାହିଁକି ନା, ସେଠାରେ ୬ଟି ମହାବଳ ଅଛନ୍ତି । ସେଥିରୁ ୫ଟି ଅଣ୍ଡିରା, ଗୋଟିଏ ବାଘୁଣୀ । ସାଧାରଣତଃ, ମହାବଳଟିର ମିଳନ ଋତୁ ହେଉଛି ନଭେମ୍ବରରୁ ଏପ୍ରିଲ । ଶୀତ ଦିନେ ଅଣ୍ଡିରା ବାଘଗୁଡ଼ିକ ସାଥୀ ସନ୍ଧାନରେ ଅନ୍ୟ ରାଇଜରେ ଘୂରି ବୁଲିବା ନଜିର୍ ରହିଛି । ଯଦି ଡେବ୍ରିଗଡ଼ରେ ମରାଠା ମହାବଳକୁ ସାଥୀ ନ ମିଳିବ, ତା’ ହେଲେ କିଛି ଦିନ ଏଠି ବୁଲାବୁଲି କରି ପୁଣି ଛତିଶଗଡ଼ ଦେଇ ଫେରିଯିବ ।
କ୍ୟାମେରା-ଟ୍ରାପ୍ ଫଟୋଚିତ୍ରରୁ ମହାବଳର କଳା ଚିହ୍ନ (ଷ୍ଟ୍ରାଇପ୍ ପ୍ୟାଟର୍ଣ୍ଣ)କୁ ନେଇ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍ଟିସିଏ) କର୍ତ୍ତୃପକ୍ଷ ତର୍ଜମା କରୁଛନ୍ତି । ସେଥିରୁ ମରାଠା ବାଘର ରୁଟ୍ ସ୍ପଷ୍ଟ ହେବ । ବାଘର ଗତିବିଧି ଉପରେ ୧୦୦ଟି ଟ୍ରାପ୍ କ୍ୟାମେରା ଓ ର୍ୟାପିଡ୍ ରେସପନ୍ସ ଟିମ୍ ଯୋଗେ ନଜର ରଖାଯାଉଛି । ହୀରାକୁଦ ଜଳଭଣ୍ଡାରରେ ପାଟ୍ରୋଲିଂ କଡ଼ାକଡି଼ କରାଯାଇଛି।
ସୌଜନ୍ୟ ପ୍ରମେୟ




