Accident Beaking: ରାତିରେ ଶୋଇଥିଲେ ପରିବାର, ଘରେ ପଶିଗଲା ଦ୍ରୁତଗାମୀ କାର୍, ମୃତ୍ୟୁକୁ ମାତ୍ ଦେଲେ ୪ ସଦସ୍ୟ

ମୋହନା, ୧୬/୧୧: ଭାରସାମ୍ୟ ହରାଇ ଘର ଭିତରେ ପଶିଗଲା ଦ୍ରୁତଗାମୀ କାର l ଘରେ ଥିବା ବହୁ ଆସବାବପତ୍ର ନଷ୍ଟ ହୋଇଛି। ତେବେ ସୌଭାଗ୍ୟବଶତଃ ଘରର ଅନ୍ୟ ଏକ କୋଠରୀରେ ଶୋଇଥିବା ପରିବାରର ୪ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏଭଳି ଦୁର୍ଘଟଣା ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପିଣ୍ଡିକି ଗାଁରେ ଘଟିଛି ।
ସୂଚନା ଅନୁଯାୟୀ, ଆଜି ଭୋର୍ ସମୟରେ ଏକ କାର୍ ମୋହନାରୁ ଚାନ୍ଦିପୁଟ ଅଭିମୁଖେ ଯାଉଥିଲା। ଏହି ସମୟରେ ଚାଳକ ଭାରସାମ୍ୟ ହରାଇବାରୁ କାର୍ଟି ରାସ୍ତାକଡ଼ରେ ଥିବା ହରପ୍ରସାଦ ବିଷୋୟୀଙ୍କ ଘର ଭିତରକୁ ପଶିଯାଇଥିଲା । ଏଥିରେ ଘରର ବହୁ ଆସବାବପତ୍ର ସହ ସିଲେଇ ମେସିନ୍ ଭାଙ୍ଗି ନଷ୍ଟ ହୋଇଯାଇଛି । ତେବେ ହରପ୍ରସାଦ, ତାଙ୍କ ପତ୍ନୀ ଓ ପୁଅ-ଝିଅ ପଛପଟ କୋଠରୀରେ ଶୋଇଥିବାରୁ ବଡ଼ ଅଘଟଣରୁ ରକ୍ଷା ପାଇଯାଇଛନ୍ତି । ଏହି ଘଟଣା ପରେ ଗାଁରେ ଆତଙ୍କ ଖେଳିଯାଇଛି । ଘଟଣାସ୍ଥଳରେ ମୋହନା ପୁଲିସ ପହଞ୍ଚି ଗାଡ଼ି ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।
ସୌଜନ୍ୟ ପ୍ରମେୟ




