ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ସ୍ଥାୟୀ ମତ୍ସ୍ୟ ,ଖାଦ୍ୟ ପ୍ରସ୍ତୁତି ସମ୍ପର୍କିତ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର,୧୩ \୧୦: କୃଷି ଓ ଶିଳ୍ପଜାତ ବର୍ଜ୍ୟବସ୍ତୁ ତଥା ଉପଜାତ ପଦାର୍ଥର ବିନିଯୋଗ ମାଧ୍ୟମରେ ମତ୍ସ୍ୟ ଖାଦ୍ୟ ପ୍ରସ୍ତୁତି ସମ୍ପର୍କିତ ଗବେଷଣା ଓ ଆଧୁନିକ ଜ୍ଞାନକୁ ନେଇ‘ଫିସ୍ ଫିଡ୍ ଫର୍ମୁଲେସନ୍ ୱିଥ୍ ଆଗ୍ରୋ-ଇଣ୍ଡଷ୍ଟ୍ରିଆଲ୍ ୱେଷ୍ଟସ୍ ଆଣ୍ଡ ବାଏପ୍ରଡକ୍ଟସ୍’ ପୁସ୍ତକ ପ୍ରକାଶ ପାଇଛି । ଏହି ପୁସ୍ତକକୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକ ଉନ୍ମୋଚିତ କରିଛନ୍ତି । ସୋଆର ଶିଳ୍ପ ଜୈବପ୍ରଯୁକ୍ତି ଗବେଷଣା କେନ୍ଦ୍ର (ସିଆଇବିଆର୍) ନିର୍ଦ୍ଦେଶକ ପ୍ରଫେସର ହୃଦୟନାଥ ଥାଟୋଇ, ପଶ୍ଚିମବଙ୍ଗ ରାଇଗଞ୍ଜ ବିଶ୍ୱବିଦ୍ୟାଳୟ ମାଇକ୍ରୋବାୟୋଲୋଜି ପ୍ରଫେସର ଡକ୍ଟର ପ୍ରଦୀପ କେ. ଦାସମହାପାତ୍ର, ଅହମ୍ମଦାବାଦସ୍ଥିତ ଫିନେ ବାୟୋଟେକ୍ ପ୍ରାଇଭେଟ୍ ଲିମିଟେଡ୍ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡକ୍ଟର ପାର୍ଥ ବାନାର୍ଜୀ ଓ ସିଆଇବିଆର୍ ସହକାରୀ ପ୍ରଫେସର ଡକ୍ଟର ସୌରଭ ଚଟ୍ଟରାଜ ଏହାକୁ ସମ୍ପାଦନା କରିଛନ୍ତି ।
ଏଥିରେ ଦେଶ ଓ ବିଦେଶର ବିଭିନ୍ନ ଗବେଷକ, ବୈଜ୍ଞାନିକ ଓ ଅଧ୍ୟାପକଙ୍କ ଗବେଷଣାଲବ୍ଧ ଜ୍ଞାନ ଓ ଅଭିଜ୍ଞତାକୁ ସ୍ଥାନ ଦିଆଯାଇଛି । ଆକ୍ୱାକଲ୍ଚର, ମତ୍ସ୍ୟ ବିଜ୍ଞାନ, ଜୈବପ୍ରଯୁକ୍ତି, ପୁଷ୍ଟି ବିଜ୍ଞାନ ଓ ପରିବେଶ ବିଜ୍ଞାନ ଭଳି ବିଭିନ୍ନ କ୍ଷେତ୍ରର ଜ୍ଞାନକୁ ପୁସ୍ତକରେ ସ୍ଥାନିତ କରାଯାଇଛି । ଦ୍ରୁତଗତିରେ ବିକାଶଶୀଳ ଜଳକୃଷି କ୍ଷେତ୍ର ପାଇଁ ସ୍ଥାୟୀ ଓ ପରିବେଶ ଅନୁକୂଳ ସମାଧାନ ଖୋଜିବା ଦିଗରେ ପୁସ୍ତକର ପ୍ରକାଶନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ପାରମ୍ପରିକ ମତ୍ସ୍ୟ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହୃତ କଞ୍ଚାମାଲର ବର୍ଦ୍ଧିତ ମୂଲ୍ୟ ଏବଂ ଏହାର ପରିବେଶଗତ ପ୍ରଭାବ ଏବେ ଜଳକୃଷି କ୍ଷେତ୍ର ପାଇଁ ଏକ ବଡ଼ ଆହ୍ୱାନ । କୃଷି ଓ ଶିଳ୍ପଜାତ ବର୍ଜ୍ୟବସ୍ତୁ ତଥା ଉପଜାତ ପଦାର୍ଥକୁ ମୂଲ୍ୟବାନ ମତ୍ସ୍ୟ ଖାଦ୍ୟ ଉପାଦାନରେ ପରିଣତ କରିବାର ସମ୍ଭାବନା ଉପରେ ଏହି ପୁସ୍ତକ ଆଲୋକପାତ କରିଛି । ଏହାଦ୍ୱାରା ବର୍ଜ୍ୟବସ୍ତୁର ସୁପରିଚାଳନା ସହ ସମ୍ବଳ ପୁନଃବିନିଯୋଗ ଏବଂ ମତ୍ସ୍ୟ ଉତ୍ପାଦନକୁ ଅଧିକ ସ୍ଥାୟୀ କରିବା ସମ୍ଭବ ହୋଇପାରିବ ।
ପ୍ରଫେସର ଥାଟୋଇ କହିଛନ୍ତି, ବିଶ୍ୱରେ ଜଳକୃଷି କ୍ଷେତ୍ର ପାରମ୍ପରିକ ମତ୍ସ୍ୟ ଖାଦ୍ୟ ଉପାଦାନ ବିକଳ୍ପ ଭାବେ ଅର୍ଥନୈତିକ ଦୃଷ୍ଟିରୁ ସୁଲଭ ଏବଂ ପରିବେଶ ଅନୁକୂଳ ଉପାଦାନ ଖୋଜାଯାଉଛି । ଏତିକି ବେଳେ ଏହି ପୁସ୍ତକ ବିଶେଷ ପ୍ରାସଙ୍ଗିକତା ବହନ କରୁଛି । ଏହି ପୁସ୍ତକର ଗୁରୁତ୍ୱ କେବଳ ଶିକ୍ଷା ଓ ଗବେଷଣା ମଧ୍ୟରେ ସୀମିତ ନୁହେଁ । ଏହାର ସାମାଜିକ ଓ ପରିବେଶଗତ ଗୁରୁତ୍ୱ ମଧ୍ୟ ରହିଛି । ମତ୍ସ୍ୟ ଖାଦ୍ୟ ଉତ୍ପାଦନକାରୀ ଏବଂ ମତ୍ସ୍ୟଚାଷୀଙ୍କ ପାଇଁ ଏକ ଉପାଦେୟ ସନ୍ଦର୍ଭ ପୁସ୍ତକ ଭାବେ କାର୍ଯ୍ୟ କରିବ । ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ସୋଆ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ସୌଜନ୍ୟ ପ୍ରମେୟ




