Bridge corruption ୩ମାସରେ ଭୁଶୁଡିବା ଅବସ୍ଥାରେ ୧୦ଲକ୍ଷ ଟଙ୍କାର ପୋଲ

ମୁଖ୍ୟ ରାସ୍ତା ଉପରେ ୧୦ଲକ୍ଷ ୫୦ହଜାର ଟଙ୍କାରେ ପୋଲ ମାତ୍ର ତିନିମାସ ପୂର୍ବେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ବର୍ତ୍ତମାନ ଏହା ଭୁଶୁଡ଼ିଯିବାକୁ ବସିଛି।

ବୈଶିଙ୍ଗା (ଦୀପକ କୁମାର ସିଂ):ମୟୂରଭଞ୍ଜ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ସ୍ତରରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଲାଣି l ଗ୍ରାମ ମୁଖ୍ୟ ରାସ୍ତାରେ ୧୦ଲକ୍ଷ ୫୦ହଜାର ଟଙ୍କାରେ ନିର୍ମିତ ପୋଲ ୩ମାସ ଵି ଗଲାନି, ଭୁଶୁଡି ଗଲାଣି l

ଅଭିଯୋଗ ଅନୁସାରେ, ଆଇଟିଡିଏ ପକ୍ଷରୁ ଆର୍ଥିକ ବର୍ଷ ୨୦୨୪-୨୫ରେ ଟେଣ୍ଡର ପ୍ରକ୍ରିୟାରେ ବେତନଟୀ ବ୍ଲକ୍‌ ଅଧୀନ ୧୮ନଂ ଜାତୀୟ ରାଜପଥର ଖଇରିବଣି ଛକ ନିକଟରୁ ଚାନ୍ଦପୁରା ଗ୍ରାମକୁ ଯାଇଥିବା ମୁଖ୍ୟ ରାସ୍ତା ଉପରେ ୧୦ଲକ୍ଷ ୫୦ହଜାର ଟଙ୍କାରେ ପୋଲ ମାତ୍ର ତିନିମାସ ପୂର୍ବେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା।  ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହୋଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା l  ତେବେ କୌଣସି ଅଧିକାରୀ ଏହି ନିର୍ମାଣ କାର୍ଯ୍ୟକୁ ଠିକ୍‌ ଭାବରେ ତଦାରଖ କରିନଥିଲେ l ଚଳିତ ବର୍ଷ ଜାନୁଆରିରେ ଏହାର ନିର୍ମାଣ କାର୍ଯ୍ୟ କୌଣସି ମତେ ଶେଷ ହୋଇଥିଲା।

Bridge1

ବର୍ତ୍ତମାନ ଏହାର ଉପରୁ ସିମେଣ୍ଟ ଛାଡ଼ି ଯାଇଛି। ଭିତର ଲୁହା ଛଡ଼ ବାହାରକୁ ଦେଖାଯାଉଛି।  ଏହି ରାସ୍ତାଦେଇ ଗାଡି ଚଳପ୍ରଚଳରେ ଅସୁବିଧା ଉପଜୁବା ସହିତ ଗ୍ରାମବାସୀ ଯିବା ଆସିବାରେ ହୀନସ୍ତା ହୋଉଥିବାର ଦେଖିବାକୁ ମିଳୁଛି । ଏନେଇ କନିଷ୍ଠ ଯନ୍ତ୍ରୀ କହିଛନ୍ତି, ସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ ହୋଇନାହିଁ। ଯଥାଶୀଘ୍ର ଏହାର ମରାମତି କରାଯିବ।

ସୌଜନ୍ୟ Prameya News7