ୱାସିଂଟନ: ହର୍ମୁଜ ପ୍ରଣାଳୀରେ ଜାରି ରହିଥିବା ଯୁଦ୍ଧ କେବଳ ସାମରିକ ନୁହେଁ, ବରଂ ବିଶ୍ୱ ଅର୍ଥନୀତି ପାଇଁ ଏକ ଦୀର୍ଘକାଳୀନ ସଙ୍କଟ ସୃଷ୍ଟି କରିବାକୁ ଯାଉଛି। ଆମେରିକା ପ୍ରତିରକ୍ଷା ଅଧିକାରୀଙ୍କ ଏକ ଗୋପନୀୟ ରିପୋର୍ଟରୁ ଜଣାପଡ଼ିଛି ଯେ, ଯଦି ସମ୍ପୂର୍ଣ୍ଣ ସାମୁଦ୍ରିକ ଜଳପଥକୁ ମୁକ୍ତ କରାଯାଏ, ତଥାପି ବିଶ୍ୱର ଏହି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ପରିବହନ ମାର୍ଗକୁ ସୁରକ୍ଷିତ କରିବା ପାଇଁ ଅଧାବର୍ଷ ସମୟ ଲାଗିବ। ଏହି ଆକଳନ ବିଶ୍ୱ ବଜାରରେ ତେଲ ଦର ବୃଦ୍ଧି ଓ ଯୋଗାଣ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାର ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି।
ଗତ ମଙ୍ଗଳବାର ଆମେରିକା ସଂସଦର ‘ହାଉସ୍ ଆର୍ମଡ୍ ସର୍ଭିସେସ୍ କମିଟି’ ସମ୍ମୁଖରେ ପେଣ୍ଟାଗନ ଅଧିକାରୀମାନେ ଏକ ଗୋପନୀୟ ରିପୋର୍ଟ ରଖିଥିଲେ। ଏଥିରେ କୁହାଯାଇଛି ଯେ, ଇରାନ ପକ୍ଷରୁ ସମୁଦ୍ର ମଧ୍ୟରେ ବ୍ୟାପକ ଭାବେ ବିଛାଯାଇଥିବା ଅତ୍ୟାଧୁନିକ ମାଇନ୍ସଗୁଡ଼ିକୁ ଚିହ୍ନଟ କରିବା ଓ ସେଗୁଡ଼ିକୁ ନଷ୍ଟ କରିବା ଏକ କଷ୍ଟକର ବ୍ୟାପାର। ଏହି ପ୍ରକ୍ରିୟା ଶେଷ ହେବାକୁ ଅତିକମ୍ରେ ୬ ମାସ ସମୟ ଲାଗିପାରେ। ଏହି ବ୍ରିଫିଂ ପରେ ଆମେରିକୀୟ ସାଂସଦମାନେ ଅନେକ ପ୍ରଶ୍ନ ଉଠାଇଛନ୍ତି। ବିଶେଷ କରି ଇରାନ ସହ ଚାଲିଥିବା ଏହି ଯୁଦ୍ଧର ଲକ୍ଷ୍ୟ, ରଣନୀତି ଓ ଏଥିରେ ହେବାକୁ ଥିବା ବିଶାଳ ଖର୍ଚ୍ଚକୁ ନେଇ ସେମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ରିପୋର୍ଟ ଅନୁଯାୟୀ, ସାଂସଦମାନେ ଯୁଦ୍ଧର ପ୍ରାରମ୍ଭରେ ଇରାନର ଏକ ସ୍କୁଲ ଉପରେ ହୋଇଥିବା ଆକ୍ରମଣ ବାବଦରେ ମଧ୍ୟ ପେଣ୍ଟାଗନକୁ ପ୍ରଶ୍ନ କରିଥିଲେ। ଏହି ଆକ୍ରମଣରେ ପ୍ରାୟ ୧୬୫ ଜଣଙ୍କର ମୃତ୍ୟୁ ହୋଇଥିଲା, ଯେଉଁଥିରେ ଅଧିକାଂଶ ସ୍କୁଲପଢୁଆ ଛାତ୍ରୀ ଥିଲେ। ଏହି ଘଟଣାକୁ ନେଇ ପ୍ରଶାସନ ପାଖରେ କୌଣସି ସନ୍ତୋଷଜନକ ଉତ୍ତର ନ ଥିବାରୁ ସାଂସଦମାନେ ଉଦ୍ବେଗ ପ୍ରକାଶ କରିଛନ୍ତି।
ସୌଜନ୍ୟ ସମ୍ବାଦ

