ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚିନିରପ୍ତାନିକୁ ତତ୍କାଳ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି କଟକଣା ରହିବ। ଚଳିତ ବର୍ଷ ଚିନି ଉତ୍ପାଦନ କମ୍ ହେବାର ଆଶଙ୍କା ଥିବାରୁ ରପ୍ତାନି ବନ୍ଦ କରାଯାଇଛି। ଫଳରେ ଦେଶରେ ଚିନିର ଅଭାବ ରହିବନି ଓ ତାହାର ଦାମ୍ ମଧ୍ୟ ବଢ଼ିବ ନାହିଁ। ଚିନି ରପ୍ତାନି ବନ୍ଦ ସଂକ୍ରାନ୍ତରେ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିଏଫ୍ଟି) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଅଶୋଧିତ ଚିନ, ଧଳା ଚିନି ଓ ବିଶୋଧିତ ଚିନି ଉପରେ ରପ୍ତାନି କଟକଣା ଲାଗୁ ହୋଇଛି।
ଡିଜିଏଫ୍ଟି କହିଛି ଯେ ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚିନି ରପ୍ତାନିକୁ ନିଷିଦ୍ଧ କରାଯାଇଛି। ଏହାପରେ କଟକଣାର ଅବଧି ବଢ଼ିବ ନା ନାହିଁ ସେ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ତେବେ କେତେକ ପ୍ରକାର ରପ୍ତାନିକୁ ଏହି କଟକଣାରୁ ବାଦ ଦିଆଯାଇଛି। ନିର୍ଦ୍ଦିଷ୍ଟ କିଛି କୋଟା ଅଧୀନରେ ୟୁରୋପୀୟ ସଂଘ ଓ ଆମେରିକାକୁ ପଠାଯାଉଥିବା ଚିନି ଉପରେ ଏହି କଟକଣା ଲାଗୁ ହେବ ନାହିଁ। ପୂର୍ବରୁ ବୋଝେଇ ହୋଇସାରିଥିବା ଜାହାଜଗୁଡ଼ିକୁ ନିର୍ଦ୍ଦିଷ୍ଟ କେତେକ ସର୍ତ୍ତରେ ରପ୍ତାନି କରିବାର ଅନୁମତି ଦିଆଯିବ। ଯଦି ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ଜାହାଜ ବୋଝେଇ ହୋଇସାରିଥିବ ତେବେ ତାହା ଆଗକୁ ବଢ଼ିପାରିବ। ସିପିଂ ବିଲ୍ ପ୍ରସ୍ତୁତ ହୋଇ ବନ୍ଦରରେ ଜାହାଜ ଲାଗି ସାରିଥିବା ଭଳି ମାମଲାରେ ମଧ୍ୟ ଚିନି ରପ୍ତାନି ହୋଇପାରିବ।
ଦେଶରେ ଆଖୁ ଚାଷ ହେଉଥିବା ପ୍ରମୁଖ ଅଞ୍ଚଳଗୁଡ଼ିକରେ ଲଗାତାର ଦ୍ବିତୀୟ ବର୍ଷରେ ଉତ୍ପାଦନ ହ୍ରାସ ପାଇବା ଆଶଙ୍କା ରହିଛି। ତେଣୁ ଦର ଉପରେ ଲଗାମ ରଖିବା ପାଇଁ ରପ୍ତାନି ଉପରେ କଟକଣା ଲଗାଯାଇଛି। ଚଳିତ ବର୍ଷ ଜଳବାୟୁରେ ଏଲ୍ ନିନୋ ପ୍ରଭାବ ରହିବା ଆଶଙ୍କା କରାଯାଉଥିବାରୁ ତାହା ମଧ୍ୟ ଅମଳକୁ ପ୍ରଭାବିତ କରିବା ଆଶଙ୍କା ରହିଛି। ବ୍ରାଜିଲ ପରେ ଭାରତ ହେଉଛି ବିଶ୍ବର ଦ୍ବିତୀୟ ସର୍ବବୃହତ୍ ଚିନି ରପ୍ତାନିକାରୀ।
ପୂର୍ବରୁ ଏହା ୧.୫୯ ନିୟୁତ ଟନ୍ ଚିନି ରପ୍ତାନି କରିବା ଅନୁମତି ଦେଇଥିଲା। ବ୍ୟବସାୟୀମାନେ ୮,୦୦,୦୦୦ ଟନ୍ ଚିନି ରପ୍ତାନି କରିବାକୁ ଚୁକ୍ତି ସ୍ବାକ୍ଷର କରିଥିବା ବେଳେ ୬,୦୦,୦୦୦ ଟନ୍ ଚିନି ପଠାଇସାରିଛନ୍ତି। ଚଳିତ ବର୍ଷ ଫେବ୍ରୁଆରିରେ ମଧ୍ୟ ସରକାର ଅତିରିକ୍ତ କୋଟା ଜାରି କରିଥିଲେ। ଏବେ ହଠାତ୍ ରପ୍ତାନି ଉପରେ କଟକଣା ଲଗାଯାଇଥିବାରୁ ଚୁକ୍ତି ସ୍ବାକ୍ଷର କରିଥିବା ବ୍ୟବସାୟୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି।
ସୌଜନ୍ୟ ସମ୍ବାଦ

